ମୟୂରଭଞ୍ଜ: ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଜାତୀୟ ଅଭୟାରଣ୍ୟ ଶିମିଳିପାଳର ନିରୀହ ଜୀବଜନ୍ତୁ । ଶିକାରୀଙ୍କ ପାଇଁ ବିପଦରେ ନିରୀହ ଜୀବଜନ୍ତୁଙ୍କ ଜୀବନ। ଏହାକୁ ପ୍ରତିହତ କରିବାକୁ ଯାଇ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ବନ ବିଭାଗ କର୍ମଚାରୀ। ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବନ ବିଭାଗ କର୍ମଚାରୀ।ତେବେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଧୋବଣୀଶୋଳ ନିକଟରୁ ୨୦୨୪ ମସିହା ନଭେମ୍ବର ମାସରେ ବନବିଭାଗ ଏକ ବାଘଛାଲ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା।
ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ ସୂଚନା ଅନୁଯାୟୀ ଗତ ୧୫ ତାରିଖ ଦିନ ଏହି ଘଟଣା ଘଟିଥିଲେ ବି ବିଳମ୍ବରେ ଏହି ସାଙ୍ଘାତିକ ଘଟଣା ପଦାକୁ ଆସିଛି। ଏଥିସହ ପୁଲିସ ଓ ବନବିଭାଗ ଗୁରୁତ୍ବର ନେବା ବଦଳରେ ହାଲୁକା ଭାବେ ନେବା ଘଟଣାକୁନେଇ ଥିବାରୁ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଏହି ସଂଘବଦ୍ଧ ଆକ୍ରମଣ ଘଟଣାରେ ଏଯାଏଁ କାହାକୁ ଗିରଫ କରାଯାଇ ନାହିଁ। ଖବର ଅନୁଯାୟୀ ; ଗତ ଅଗଷ୍ଟ ୧୫ ତାରିଖ ଦିନ ବାରିପଦା ଏସ୍ଟିଆର ୩ଟି ଓ ବାଙ୍ଗିରିପୋଷି ବନ ବିଭାଗର ଦୁଇଟି ଗାଡ଼ିରେ ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ଭୁଆଶୁଣୀ ପଞ୍ଚାୟତ ଜଳଡିହା ଦୁମାସାହିକୁ ଚଢ଼ାଉ ପାଇଁ ଯାଇଥିଲେ।
ଭାଗିରଥୀ ମାରାଣ୍ଡି (୨୪) ନାମକ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅନ୍ୟ ଜଣଙ୍କୁ ଧରିବାକୁ ଗଲାବେଳେ ଶତାଧିକ ଗ୍ରାମବାସୀ ବନବିଭାଗ କର୍ମଚାରୀଙ୍କୁ ଘେରି ଯାଇଥିଲେ ଓ ଗାଡ଼ିକୁ ଆକ୍ରମଣ କରିଥିଲେ। ଏହି ସଂଘବଦ୍ଧ ଆକ୍ରମଣରେ ମିନାକ୍ଷୀ ନାମକ ଜଣେ ମହିଳା ଫୋରେଷ୍ଟ ଗାର୍ଡଙ୍କୁ କାଠ ଫାଳିଆ ଦ୍ୱାରା ମାଡ଼ ମାରିବାକୁ ପଛାଇ ନଥିଲେ। ଏନେଇ ବାଙ୍ଗିରିପୋଷି ରେଞ୍ଜର ମହେଶ୍ଵର ସିଂ ଅଗଷ୍ଟ ୧୬ ତାରିଖ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ପୁଲିସ ୨୩୪/୨୦୨୫ରେ ଏକ ମାମଲା ରୁଜୁ କରିଛି। ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିବାରେ ସଫଳ ହୋଇନଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କୁ ପଚାରିବାରୁ ସେ କହିଲେ; କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇନି। ଏହା ସଂଘବଦ୍ଧ ଆକ୍ରମଣ ଥିଲା | ତେଣୁ ଆମେ ଘଟଣାର ଯାଞ୍ଚ କରୁଛୁ ଓ ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ନିଶ୍ଚିତ ଗିରଫ କରିବୁ ବୋଲି ଶ୍ରୀ ସେନାପତି କହିଛନ୍ତି |










