16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଲୋକସଭାରେ ସଂଶୋଧିତ ଆୟକର ବିଲ୍‌-୨୦୨୫ ପାରିତ

ଲୋକସଭାରେ ସଂଶୋଧିତ ଆୟକର ବିଲ୍‌-୨୦୨୫ ପାରିତ

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ପାରିତ ହୋଇଛି ନୂଆ ତଥା ସଂଶୋଧିତ ଆୟକର ବିଲ୍‌-୨୦୨୫। ଏଥର ଅଧିକ ସଂଶୋଧନ ସହ ଏହି ବିଲ୍‌କୁ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ଣରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ବ୍ୟାପକ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତିକ୍ରମେ ଏହାକୁ ଗୃହରେ ପାରିତ କରାଯାଇଛି। ନୂତନ ଆୟକର ବିଲ-୨୦୨୫ ପ୍ରଥମେ ଗତ ଫେବୃଆରୀ ୧୩ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ତାହାକୁ ପ୍ରତ୍ୟାହାର କରିନେଇଥିଲେ।

ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଦେଶର ଅର୍ଥବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଥିବା ଆୟକର ଆଇନ୍‌-୧୯୬୧ରେ କେତେକ ପରିବର୍ତ୍ତନ ତଥା ସଂଶୋଧନ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧିତ ନୂଆ ଆୟକର ବିଲ୍ ପ୍ରସ୍ତୁତ କରାଯାଇଛି। ତେବେ ପୂର୍ବରୁ ଉପସ୍ଥାପିତ କରାଯାଇଥିବା ସଂଶୋଧିତ ବିଲ୍‌ରେ ଆଉ କିଛି ସଂଶୋଧନ କରାଯିବା ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ପ୍ରସ୍ତାବ ଦେବାପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଚୟନ କମିଟି ଦ୍ୱାରା ପ୍ରସ୍ତାବନାଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରସ୍ତାବକୁ ଏହି ସଂଶୋଧିତ ବିଲ୍‌ରେ ପୁନଃ ସାମିଲ କରାଯିବା ସହ ଏହାକୁ ଆଉ ଥରେ ନୂଆ କରି ଉପସ୍ଥାପନ କରାଯାଇଥିଲା। ୩୧ ସଦସ୍ୟ ବିଶିଷ୍ଟ ଚୟନ କମିଟି ପକ୍ଷରୁ ୪୫୭୫ ପୃଷ୍ଠାର ଏକ ସୁବିସ୍ତୃତ ରିପୋର୍ଟ ଗତ ମାସରେ ପ୍ରଦାନ କରାଯାଇଥିଲା। ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ଏବଂ ଅନେକ ଛୋଟ ସଂଶୋଧନ କରାଯିବା ନେଇ ସୁପାରିଶ କରାଯାଇଥିଲା, ଯେଉଁଥିରୁ ଅଧିକାଂଶ ପ୍ରସ୍ତାବକୁ ସରକାର ନୂଆ ଟିକସ ବ୍ୟବସ୍ଥାରେ ସାମିଲ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସଂଶୋଧିତ ଆଇନ ବର୍ତ୍ତମାନର ଆୟକର ଆଇନର ପରିସର, ଜଟିଳତାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବା ସହ ମୂଲ୍ୟାୟନ ବର୍ଷ ଏବଂ ପୂର୍ବ ବର୍ଷ ମଧ୍ୟରେ ଥିବା ବିଭ୍ରାନ୍ତିକର ପାର୍ଥକ୍ୟକୁ ଦୂର କରି, ‘କର ବର୍ଷ’ର ଏକ ସରଳ ଧାରଣା ପ୍ରଚଳନ କରୁଛି। ଦେଶର ଟିକସ ବ୍ୟବସ୍ଥାକୁ ଅପଡେଟ ଏବଂ ସରଳୀକରଣ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି।

ଏହି ଆଇନ୍‌କୁ ଶେଷ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବା ପୂର୍ବରୁ ରାଜ୍ୟସଭାର ଅନୁମୋଦନ ଆବଶ୍ୟକ। ସୁତରାଂ ଏହି ବିଲ୍‌କୁ ଏବେ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଏଠାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି ବିଲ୍ ଆଇନର ରୂପ ନେବ ଏବଂ କାର୍ଯ୍ୟକାରୀ ହେବ।

ସଂଶୋଧିତ ବିଲ୍ ଅନୁଯାୟୀ, ଯଦିଓ ବ୍ୟକ୍ତିବିଶେଷଙ୍କ ଆୟ ରିଟର୍ଣ୍ଣ ମୂଳ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପ୍ରଦତ୍ତ ସାମ୍ବିଧାନିକ ସମୟସୀମା ପରେ ମଧ୍ୟ ଦାଖଲ କରାଯାଏ, ତଥାପି ସେମାନେ ଟିଡିଏସ୍ ରିଫଣ୍ଡ ଦାବି କରିପାରିବେ। ତେଣୁ ଅର୍ଥ ମନ୍ତ୍ରଣାଳୟ ଏବେକାରୀ ଆୟକର ଆଇନ୍‌, ୧୯୬୧ର ବ୍ୟବସ୍ଥାକୁ ମଧ୍ୟ ସଂଶୋଧିତ ବିଲ୍‌ରେ ଅନ୍ତର୍ଭୁକ୍ତ କରିଛି। ଏତଦ୍‌ବ୍ୟତୀତ ଯେକୌଣସି ଆର୍ôଥକ ପ୍ରତିଷ୍ଠାନ ଦ୍ୱାରା ଆର୍ôଥକ ସହାୟତା ପ୍ରାପ୍ତ ଶିକ୍ଷା ଉଦ୍ଦେଶ୍ୟରେ ଉଦାରୀକରଣ ରେମିଟାନ୍ସ ଯୋଜନା (ଏଲ୍‌ଆର୍‌ଏସ୍‌) ରେମିଟାନ୍ସ ଉପରେ ‘ଶୂନ୍ୟ’ ଟିସିଏସ୍ ପ୍ରଦାନ କରେ। ସେହିପରି ସଂଶୋଧିତ ବିଲ୍‌ରେ ଧାର୍ମିକ ତଥା ଚାରିଟେବଲ୍ ଟ୍ରଷ୍ଟ୍‌ଗୁଡିକୁ ଦିଆଯାଉଥିବା ଡୋନେସନ୍ (ଆର୍ଥିକ ସହାୟତା) କ୍ଷେତ୍ରରେ ମଧ୍ୟ ଟିକସ ରିହାତି ବ୍ୟବସ୍ଥା ମଧ୍ୟ ପୂର୍ବବତ୍ ବଳବତ୍ତର ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking