28.8 C
Bhubaneswar
Monday, July 27, 2026
Homeଦେଶ ବିଦେଶନୂଆଦିଲ୍ଲୀ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ପାଳନ

ନୂଆଦିଲ୍ଲୀ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ପାଳନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ରସାବଳୀ ଦିବସ ମହାସମାରୋହ ରେ ପାଳନ କରାଯାଇଛି ।ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଦିବସ, ଗମ୍ହା ପୂର୍ଣ୍ଣମୀ, ରକ୍ଷା ବନ୍ଧନ ଆଦି ପବିତ୍ର ତିଥି ଏକାସାଙ୍ଗରେ ପଡି ଥିବାରୁ ସମଗ୍ର ଉତ୍ସବଟି ଭକ୍ତିପୂତ ପରିବେଶ ଓ ଆଧ୍ୟାତ୍ମିକ ଉଚ୍ଛ୍ବାସ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଶ୍ରୀ ନୀଳାଚଳ ସେବାସଙ୍ଘ ଓ ଓମ ସାଇ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହାପାର୍ବଣ ଉପଲକ୍ଷେ ଉତ୍ସବ ସ୍ଥଳ ନୂଆଦିଲ୍ଲୀ ସ୍ଥିତ ହାଉଜ଼ଖାସ ଜଗନ୍ନାଥ ମନ୍ଦିରର ବେଶମେଣ୍ଟକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନ ଙ୍କ ସହିତ ସାମିଲ ହୋଇଥିବାର ଦେଖା ଯାଇଥିଲା। ଦିଲ୍ଲୀରେ ରସାବଳୀ ଦିବସ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବାରୁ,ଏହାକୁ କେନ୍ଦ୍ରକରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା।

ସମାବେଶ କୁ ସମ୍ବୋଧନ କରି ଶ୍ରୀ ନୀଳାଚଳ ସେବାସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପାଖରେ ଲାଗି ହେଉଥିବା ପ୍ରସିଦ୍ଧ ମିଠାଇ ଭୋଗ ରସାବଳୀକୁ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଉପଲବ୍ଧ କରାଯାଇ ପାରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଓମ ସାଇଟ୍ରଷ୍ଟ ର ଅଧ୍ୟକ୍ଷା ଏବଂ ଓଡିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତି ର ପ୍ରତିଷ୍ଠାତା ଜ୍ୟୋସ୍ନାମୟୀ ପରିଡା, ଓଡ଼ିଶାର ଏହି ପାରମ୍ପରିକ ସ୍ୱାଦିଷ୍ଟ ମିଠାକୁ ଜାତୀୟ ଓ ଅନ୍ତର୍ଜାତୀୟ ଦରବାରରେ ପହୁଞ୍ଚାଇବା ଓ ଏହାକୁ ଲୋକପ୍ରିୟ କରିବା,ଏହି ଦିବସ ପାଳନର ଅସଲ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ।

ଏହି ଅବସରରେ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ,ବରିଷ୍ଠ ପ୍ରସାଶକ ଗୋକୁଳ ପଟନାୟକ, ପ୍ରସନ୍ନ କୁମାର ଦାଶ, ସତ୍ୟ ନାରାୟଣ ସାହୁ, ଶ୍ରୀଦେବ ନନ୍ଦ,ବିଭୁତି ଦାସ, ଆଲୋକ ପାଢ଼ୀ,ଆଶିଷ ସିଂହ ଓ ଉଦୟ ଇଣ୍ଡିଆର ଗ୍ରୁପ ସମ୍ପାଦକ ଦୀପକ ରଥ ପ୍ରମୁଖ ରସାବଳୀ ଭଳି ମଧୁର ମିଠାର ମହକକୁ ଦିଲ୍ଲୀରେ ପ୍ରସାରିତ କରିବା ନେଇ ସଂଗଠକ ମାନଙ୍କର ସାଧୁ ଉଦ୍ୟମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ। ସଭାରେ ଆଗନ୍ତୁକ ମାନଙ୍କୁ ରସାବଳୀ ରେ ଆପ୍ୟାୟିତ କରାଯିବା ସାଙ୍ଗକୁ ବହୁ ପ୍ରତିଭାବାନ ବ୍ୟକ୍ତିବିଶେଷ, ରସାବଳୀ ପ୍ରସ୍ତୁତକାରୀ, ସାଂସ୍କୃତିକ ଟ୍ରୁପ ଏବଂ ମନ୍ଦିରର ପୂଜାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ରସାବଳୀ ଦିବସର ବିଶେଷ ଆକର୍ଷଣ ପ୍ରଖ୍ୟାତ କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳଙ୍କ ଦ୍ୱାରା ପରିବେଷିତ ରସାବଳୀ ଆଧାରିତ ସୁମଧୁର ଓ ସୁଲଳିତ ସଂଗୀତ ଗୁଡିକ ଥିଲା ।ଡ଼ଃ ଧଳଙ୍କର ରସରସିଆ ରସାବଳୀ ଗୀତ ଗାୟନର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ଙ୍କର ନୃତ୍ୟ ପ୍ରସ୍ତୁତି ମଧ୍ୟ ଖୁବ ଉଚ୍ଚକୋଟୀର ଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣ ପ୍ରଭା ପତି ଓ ଅଭିଷେକ ମହାନ୍ତି ସୁଚାରୁ ରୂପେ ସଂଚାଳନା କରିଥିଲେ। ରସାବଳୀ ଦିବସର ଭବ୍ୟ ଆୟୋଜନକୁ ଓମ ସାଇଟ୍ରଷ୍ଟର ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ପରିଡା, ରଶ୍ମିତା ଖଟୁଆ ଏବଂ ଟିମ ସଫଳତାର ସହିତ ପରିଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଯୋଗଗୁରୁ ରବୀନ୍ଦ୍ର ଆଚାର୍ଯ୍ୟ,ଇପ୍ସିତା ବେହୁରା,ଗଜେନ୍ଦ୍ର ସାମନ୍ତ, ସବିତା ପ୍ରଧାନ ଓ ଉପାଲି ଅପରାଜିତା ରଥ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking