ପୁରୀ: ସୋମବାର ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଅଧରପଣା ନୀତି। ରଥ ସହିତ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମୁଣ୍ଡାଙ୍କ ଆହାର ତୃପ୍ତି ପାଇଁ ଏହି ଅଧରପଣା ଭୋଗ ଓ ହାଣ୍ଡି ଭଙ୍ଗା ଯିବାର ପରମ୍ପରା ରହିଛି। ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଥିଲା ଏହି ଅଧରପଣା ନୀତି। ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୮ ଟା ସୁଦ୍ଧା ଅଧରପଣା ନୀତି ସମ୍ପୂର୍ଣ୍ଣ ହେବାର ଥିବା ବେଳେ ନୀତି ବିଳମ୍ବ ଯୋଗୁ ରାତ୍ର ୯ଟା୧୦ରେ ଅଧରପଣା ନୀତି ସମ୍ପୂର୍ଣ୍ଣ ହୋଇଥିଲା। ହଜାର ହଜାର ଭକ୍ତଙ୍କ ଗହଣରେ ଏହି ନୀତି ଅନୁଷ୍ଠିତ ହୋଇଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ଘୋଷଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ହେଉଛି ଅଧରପଣା ନୀତି। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ। ଆଜି ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀବିଗ୍ର ମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥିଲା। ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥିଲା। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥିଲେ। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ତେବେ ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀ ମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଆୟୋଜିତ ହେଉଥିବା ଅନେକ ପାରମ୍ପରିକ ରୀତିରେ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ଭକ୍ତିଭାବପୂର୍ଣ୍ଣ ଏକ କାର୍ଯ୍ୟକ୍ରମ ହେଉଛି ‘ଅଧର ପଣା’। ଏହି ପବିତ୍ର ପାନୀୟ ଅର୍ପଣ ରୀତି, ସୁନାବେଶ ପରେ ଏବଂ ନୀଳାଦ୍ରି ବିଜେ ପୂର୍ବରୁ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ରଥ ଉପରେ ବସିଥିବା ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନିକଟରେ ଅନୁଷ୍ଠିତ ହୁଏ, ଯେଉଁଠି ଦେବତାଙ୍କୁ ଏକ ପବିତ୍ର ମିଠା ପାନୀୟ ନୈବେଦ୍ୟ ରୂପେ ଅର୍ପଣ କରାଯାଏ।ଆଜି ସକାଳ ୦୭.୫୫ ରୁ ୦୭.୨୦ ମଧ୍ୟେ ମଙ୍ଗଳ ଆଳତି, ୦୭.୪୦ ରୁ ୦୮.୧୦ ମଇଲମ ଓ ତଡ଼ପଲାଗି, ୦୮.୧୫ ରୁ ୦୮.୪୫ ତିନି ରଥ ଅବକାଶ ଶେଷ, ୦୮.୪୫ ରୁ ୦୯.୨୫ ତିନି ରଥ ବେଶ ଶେଷ, ୦୯.୫୫ ରୁ ୧୦.୧୫ ତିନି ରଥ ଗୋପାଳବଲ୍ଲଭ, ୧୨.୧୫ ରୁ ୧.୦୫ ସକାଳ ଧୂପ, ୧. ୧୦ ରୁ ୧. ୩୦ରେ ତିନି ରଥ ମଇଲମ, ୧.୩୫ ରୁ ୨.୦୫ ତିନି ରଥ ମହାସ୍ନାନ ଓ ସର୍ବାଙ୍ଗ, ୨.୧୦ ରୁ ୨.୪୦ ତିନିରଥ ବେଶଶେଷ, ୦୩.୦୫ ରୁ ୦୩.୪୫ରେ ତିନିରଥ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥିଲା।
ପାଣିଆ ଆପଟ ସେବାୟତଙ୍କ ଦ୍ୱାରା ଛାଉଣି ମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇଥିଲା। ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇ ପଣା ପ୍ରସ୍ତୁତ କରିଥିଲେ। ପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ। ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା। ତେବେ ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥଉପର ପରିଷ୍କାର କରାଯାଇଥିଲା। ପରେ ମହାପ୍ରଭୁ ମହାସ୍ନାନ ହୋଇଥିଲେ। ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା। ଏହା ପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା। ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଥିଲା।
ଅନ୍ୟପକ୍ଷରେ ଆସନ୍ତାକାଲି ନିଳାଦ୍ରି ବିଜେ। ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ ମହାବାହୁ। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳରେ ତାଳ ମିଳାଇ ଝୁଲି ଝୁଲି ନୀଳକନ୍ଦରକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବାଟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରାଇବେ। ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟାଯିବ। ପରମ୍ପରା ଅନୁଯାୟୀ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପନ୍ତି ଭୋଗ କରାଯିବ। ଏଥି ସହ ଶେଷ ହେବ ଚଳିତ ବର୍ଷର ଘୋଷଯାତ୍ରା।










