26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫୯%କୁ ଡିଏ ବୃଦ୍ଧି କରିବେ ସରକାର

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫୯%କୁ ଡିଏ ବୃଦ୍ଧି କରିବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୋଦୀ ସରକାର ପୁଣିଥରେ ସେମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ ଭାରତ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଜୁଲାଇ ୨୦୨୫ରୁ ମହଙ୍ଗା ଭତ୍ତା (ଡିଏ)ରେ ୪% ବୃଦ୍ଧି କରିବାର ସମ୍ଭାବନା ରହିଛି। ସରକାରଙ୍କ ଏହି ୪% ଡିଏ ବୃଦ୍ଧି ନିଷ୍ପତ୍ତି ସାକାର ହେଲେ ମହଙ୍ଗା ଭତ୍ତା ହାର ୫୫%ରୁ ୫୯%କୁ ବୃଦ୍ଧି ପାଇବ। ସାମ୍ନାକୁ ଆସିଥିବା ସାମ୍ପ୍ରତିକ ମୁଦ୍ରାସ୍ଫୀତି ତଥ୍ୟ ଆଧାରିତ ରିପୋର୍ଟରୁ ଏପ୍ରକାର ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏବେ ଠୁ କୁହାଯାଉଛି ଯେ, ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଦୀପାବଳି ସମୟ ବେଳକୁ କେନ୍ଦ୍ର ସରକାର ଏସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି।

ଡିଏ ଗଣନା ପାଇଁ ଆଧାର ସ୍ୱରୂପ ଅଖିଳ ଭାରତୀୟ ଶିଳ୍ପ ଶ୍ରମିକ ମୂଲ୍ୟ ସୂଚକାଙ୍କ (ଏଆଇସିପିଆଇ-ଆଇଡବ୍ଲ୍ୟୁ) ମେ ୨୦୨୫ରେ ୦.୫ ପଏଣ୍ଟ ବୃଦ୍ଧି ପାଇ ୧୪୪ରେ ପହଞ୍ଚିଛି। ଗତ ତିନି ମାସ ମଧ୍ୟରେ ସୂଚକାଙ୍କରେ ନିରନ୍ତର ବୃଦ୍ଧି ଦେଖାଦେଇଛି, ଏହା ମାର୍ଚ୍ଚରେ ୧୪୩, ଏପ୍ରିଲରେ ୧୪୩.୫ ଥିଲା ଏବଂ ବର୍ତ୍ତମାନ ମେ’ ମାସ ପାଇଁ ଏହା ୧୪୪ରେ ଅଛି। ତେବେ ଯଦି ସୂଚକାଙ୍କରେ ଏପ୍ରକାର ଊର୍ଦ୍ଧ୍ୱଗାମୀ ଧାରା ଜାରି ରହେ ଏବଂ ଜୁନ୍‌ରେ ଏହା ୧୪୪.୫ ପଏଣ୍ଟକୁ ବୃଦ୍ଧି ପାଏ, ତେବେ ଏଆଇସିପିଆଇ-ଆଇଡବ୍ଲ୍ୟୁ ୧୨ ମାସର ହାରାହାରି ପ୍ରାୟ ୧୪୪.୧୭ରେ ପହଞ୍ଚିବାର ଆଶା କରାଯାଉଛି। ୭ମ ବେତନ କମିଶନ ସୂତ୍ର ଆଧାରରେ ଏହା ଏହା ପ୍ରାୟ ୫୮.୮୫%ର ଡିଏ ହାରରେ ପରିଣତ ହେବ। ସାମଗ୍ରିକ ଭାବରେ, ସରକାର ଜୁଲାଇ ୨୦୨୫ ରୁ ୫୯% ଡିଏକୁ ଅନୁମୋଦନ କରିପାରନ୍ତି।

ସୂଚନାଯୋଗ୍ୟ, ଏହା ସପ୍ତମ ବେତନ କମିଶନ ଅଧୀନରେ ଶେଷ ଡିଏ ବୃଦ୍ଧି ହେବ, ଯାହାର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ ରେ ଶେଷ ହେଉଛି। ସେହିପରି ଯଦିଓ ୮ମ ବେତନ କମିଶନ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ, କେନ୍ଦ୍ର ସରକାର କିନ୍ତୁ ନୂତନ ଦରମା ଗଠନକୁ ଜାନୁଆରୀ ୧, ୨୦୨୬ରୁ କାର୍ଯ୍ୟକାରୀ କରିବେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏହାର ଅର୍ଥ ନୂତନ ବେତନ କମିଶନ ଅଧୀନରେ ଦରମା କିମ୍ବା ପେନ୍‌ସନ୍‌ରେ ଯେକୌଣସି ବୃଦ୍ଧି ଜାନୁଆରୀ ୨୦୨୬ ଏବଂ ପ୍ରକୃତ କାର୍ଯ୍ୟ ଆରମ୍ଭ ତାରିଖ ମଧ୍ୟରେ ବକେୟା ଭାବରେ ପ୍ରଦାନ କରାଯିବ। ପ୍ରକାଶ, ସରକାର ମୁଦ୍ରାସ୍ଫୀତି ଟ୍ରାକ କରିବା, ମହଙ୍ଗା ଭତ୍ତା ନିୟନ୍ତ୍ରଣ କରିବା ଏବଂ ନୀତି ପ୍ରସ୍ତୁତ କରିବା ପାଇଁ ଏଆଇସିପିଆଇ-ଆଇଡବ୍ଲ୍ୟୁ ସୂଚକାଙ୍କ ବ୍ୟବହାର କରିଥାନ୍ତି। ଜାନୁଆରୀ ଏବଂ ଜୁଲାଇରେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking