ଭୁବନେଶ୍ୱର : ଆସନ୍ତାକାଲି ବାହୁଡ଼ାଯାତ୍ରା ଓ ରବିବାର ସୁନାବେଶ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁଲିସ ବାହୁଡ଼ା ଓ ସୁନାବେଶ ପାଇଁ ଟ୍ରାଫିକ୍ ଆଡଭାଇଜରୀ ଜାରି କରିଛି। ଭୁବନେଶ୍ୱର, କୋଣାର୍କ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ବିଭିନ୍ନ ଗାଡ଼ି (ଆନ୍ତଃରାଜ୍ୟ ଓ ରିଜର୍ଭ ବସ୍, ଯାତ୍ରୀବାହୀ ବସ୍, ହାଲକା ଯାନ ଏବଂ ଦୁଇଚକିଆ) କେଉଁ ରୁଟ୍ ଦେଇ କେଉଁଠି ପାର୍କିଂ କରିବେ ସେ ନେଇ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍ କରାଯାଇଛି। ଭୁବନେଶ୍ୱର କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭଠାରେ ପାର୍କିର୍ଂ କରାଯିବ। ଜଗନ୍ନାଥ ବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡ଼ିଆ ଠାରେ ରଖାଯିବ। ମାଟିତୋଟା ଖେଳପଡ଼ିଆ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ଛକଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍ ପଡିଆ ଠାରେ ରହିବାର ବ୍ୟବସ୍ଥା କରାଯାଇଛି। ଜଗନ୍ନାଥ ବଲ୍ଲଭ ଠାରେ ରଖିଥିବା ଯାନଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ ଛକ ଦେଇ ଭୁବନେଶ୍ୱର କିମ୍ବା ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ। ତେବେ କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ବାଇଦାସ ନଗର ଛକ, ଗ୍ରୀଡ୍ ଷ୍ଟେସନ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକଠାରେ ପାର୍କିଂ କରିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।
ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍ଗୁଡ଼ିକ ମାଳତିପାଟପୁର ବସ୍ଷ୍ଟାଣ୍ଡରେ ରହଣି କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍ ଫ୍ଲୋରିସ୍ ଇଣ୍ଡିଆଠାରେ ରହିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍ଗୁଡିକ ସ୍ୱାମୀ ନାରାୟଣ ମନ୍ଦିର ଠାରେ ରହଣି କରିବେ। ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ମାଳତିପାଟପୁର ବ୍ରିଜ୍, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ ଦେଇ ତାଳବଣିଆ ବସ୍ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ଗ୍ରୀଡ୍ ଷ୍ଟେଶନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ମଙ୍ଗଳାଘାଟ ଛକ, ମାଳତିପାଟପୁର ବ୍ରିଜ୍, ବାଇଦାସ ନଗର ଛକ, ଗ୍ରୀଡ୍ ଷ୍ଟେଶନ୍ ଛକ ଦେଇ ତାଳବଣିଆ ବସ୍ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ଗ୍ରୀଡ୍ ଷ୍ଟେଶନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ବାଇଦାସ ନଗର ଛକ, ଗ୍ରୀଡ୍ ଷ୍ଟେଶନ ଛକ ଦେଇ ତାଳବଣିଆ ବସ୍ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ସମାନ ବାଟ ଦେଇ ପ୍ରସ୍ଥାନ କରିବେ।
ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନ ମାଳତିପାଟପୁର ବ୍ରିଜ୍, ବାଇଦାସ ନଗର ଛକ, ଗ୍ରୀଡ୍ ଷ୍ଟେଶନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର୍ ଷ୍ଟାଡିୟମ୍, ଉଦ୍ୟାନ କୃଷି ପଡ଼ିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ୱୟରେ ନିଜ ନିଜର ଯାନଗୁଡ଼ିକୁ ରଖିବେ। ପୁଣି ସେଠାରୁ ପିକେଆର୍ ଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ୍ ଷ୍ଟେଶନ୍ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଯିବେ ଓ ସେଠାରେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳରେ ରହିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନ ବାଇଦାସ ନଗର ଛକ, ଗ୍ରୀଡ୍ ଷ୍ଟେଶନ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର୍ ଷ୍ଟାଡିଅମ୍, ଉଦ୍ୟାନ କୃଷି ପଡ଼ିଆ ଓ ସ୍ୱଚ୍ଛ ମାଛ ବଜାରଠାରେ କ୍ରମାନ୍ୱୟରେ ଯାନଗୁଡ଼ିକୁ ରଖିବା ସହ ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।










