29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଶେଷରେ ସ୍ୱୀକାର କଲା ଇରାନ୍‌: ଆମେରିକା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୩ ଆଣବିକ କେନ୍ଦ୍ର

ଶେଷରେ ସ୍ୱୀକାର କଲା ଇରାନ୍‌: ଆମେରିକା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୩ ଆଣବିକ କେନ୍ଦ୍ର

ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମ ଚାଲିଥିବା ତିନୋଟି ପ୍ରମୁଖ ପରମାଣୁ ସ୍ଥାନ ଫୋର୍ଡୋଓ, ନାତାଞ୍ଜ ଏବଂ ଇସ୍ଫାହାନ୍ ଆଦି ଅଞ୍ଚଳରେ ଆମେରିକାର ଆକ୍ରମଣ ଦ୍ୱାରା ଏସବୁ ଆଣବିକ କେନ୍ଦ୍ରଗୁଡ଼ିକ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଇରାନ ସ୍ୱୀକାର କରିଛି। ପୂର୍ବରୁ ଇରାନୀ ଅଧିକାରୀମାନେ ଏହି ଆକ୍ରମଣର ପ୍ରଭାବ ପଡ଼ି଼ନଥିବା ଦେଖାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସାଟେଲାଇଟ୍ ଫଟୋ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପିରେ ଇରାନ ଏହାର କ୍ଷତିର ଗୁରୁତ୍ୱକୁ ସ୍ୱୀକାର କରିଛି। ଇରାନ୍ ଦର୍ଶାଇଛି ଯେ, ଆମେରିକା ସେନା ପକ୍ଷରୁ କରାଯାଇଥିବା ‘ଅପରେସନ୍ ମିଡନାଇଟ୍ ହାମର୍‌’ ସାମରିକ କାର୍ଯ୍ୟାନୁଷ୍ଠାନ ଉପରୋକ୍ତ ୩ଟି ଆଣବିକ କେନ୍ଦ୍ର ଉପରେ ହିଁ ହୋଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଶନିବାର ରାତିରେ ଆରମ୍ଭ ହୋଇଥିବା ‘ଅପରେସନ୍ ମିଡନାଇଟ୍ ହାମର’ରେ ପ୍ରାୟ ୭ଟି ବି-୨ ସ୍ପିରିଟ୍ ଷ୍ଟେଲଥ୍ ବମ୍ବର ଏବଂ ଏକ ଆମେରିକୀୟ ସବ୍‌ମେରାଇନ୍‌ରୁ ନିକ୍ଷେପ ହୋଇଥିବା ଟୋମାହକ୍ କ୍ରୁଜ୍ ମିସାଇଲ ଇରାନ୍‌ର ଏହି ୩ ପ୍ରମୁଖ ଆଣବିକ କେନ୍ଦ୍ର ଉପରେ ମାଡ଼ କରାଯାଇଥିଲା। ଫୋର୍ଡୋଓ ଆଣବିକ କେନ୍ଦ୍ର ଉପରେ ୧୪ଟି ୩୦,୦୦୦ ପାଉଣ୍ଡର ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର (ଏମ୍‌ଓପି) ବମ୍ ଏବଂ ନାତାଞ୍ଜ ଓ ଇସ୍ଫାହାନ୍‌ରେ ୩୦ରୁ ଅଧିକ ଟୋମାହକ୍ ମିସାଇଲ ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣ ଇରାନର ପରମାଣୁ ଅସ୍ତ୍ର ନିର୍ମାଣ କ୍ଷମତାକୁ ବନ୍ଦ କରିବା ଲକ୍ଷ୍ୟରେ କରାଯାଇଥିଲା। ଏହାସତ୍ତ୍ୱେ ଇରାନ୍ ସେତେବେଳେ ଆକ୍ରମଣରେ କ୍ଷୟକ୍ଷତି ହୋଇଥିବା ଦାବିକୁ ଅସ୍ୱୀକାର କରିଥିଲା। କିନ୍ତୁ ସାମ୍ନାକୁ ଆସିଥିବା ସାଟେଲାଇଟ୍ ଫଟୋ ଅନୁଯାୟୀ, ଫୋର୍ଡୋଓରେ ଦୁଇଟି ପ୍ରବେଶ ପଥ ନିକଟରେ ୬ ଟି ବଡ଼ କ୍ରେଟର ଦେଖାଯାଇଛି, ଯାହା ବଙ୍କର-ବଷ୍ଟର ବମ୍ବର ପ୍ରୟୋଗକୁ ସୂଚିତ କରୁଛି। ସେହିପରି ନାତାଞ୍ଜରେ ଭୂମିଗତ ସେଣ୍ଟ୍ରିଫୁଜ ହଲ୍ ଉପରେ ଦୁଇଟି କ୍ରେଟର ଏବଂ ଇସ୍ଫାହାନ୍‌ରେ ମଧ୍ୟ ଗୁରୁତର କ୍ଷତି ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି।

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ର ମୁଖ୍ୟ ରାଫାଏଲ ଗ୍ରୋସି କହିଛନ୍ତି ଯେ ଫୋର୍ଡୋଓର ଭୂମିଗତ ସୁବିଧାଗୁଡ଼ିକରେ କ୍ଷତିର ମାତ୍ରା ନିର୍ଣ୍ଣୟ କରିବା କଷ୍ଟକର, କିନ୍ତୁ ନାତାଞ୍ଜ ଏବଂ ଇସ୍ଫାହାନ୍‌ରେ ଗୁରୁତର କ୍ଷତି ହୋଇଥିବା ସ୍ପଷ୍ଟ ହୋଇଛି। ପ୍ରକାଶ, ଇରାନୀ ଅଧିକାରୀମାନେ ପୂର୍ବରୁ ଦାବି କରିଥିଲେ ଯେ, ଫୋର୍ଡୋଓରୁ ଅଧିକାଂଶ ଉଚ୍ଚ-ସମୃଦ୍ଧ ଇଉରାନିୟମ ଏବଂ ଜରୁରୀ ସାମଗ୍ରୀ ଆକ୍ରମଣ ପୂର୍ବରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଆମେରିକୀୟ ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ମାତ୍ର କିଛି ମାସ ପଛକୁ ଠେଲି ଦେଇଛି, ସମ୍ପୂର୍ଣ୍ଣ ନଷ୍ଟ କରିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking