17.1 C
Bhubaneswar
Tuesday, December 9, 2025
Homeଓଡିଶାରାଜ୍ୟ ସରକାରଙ୍କ ବିଫଳତା ଗଣାଇଲା ବିଜେଡି

ରାଜ୍ୟ ସରକାରଙ୍କ ବିଫଳତା ଗଣାଇଲା ବିଜେଡି

ବେକାରଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଏବେ ପ୍ରତାରଣା
ନୂଆ-ଓ ବୃତ୍ତି ବନ୍ଦ କରି ରାଜ୍ୟର ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଗତ ଏକ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତାକୁ ନେଇ ବିଶେଷକରି ଛାତ୍ର ଓ ଯୁବ ବର୍ଗକୁ ଦେଇଥିବା ପ୍ରତିଶ୍ରୁତିର ପାଳନରେ ସରକାରଙ୍କ ବିଫଳତାକୁ ନେଇ ଆସନ୍ତାକାଲି ପୁରୀ ଠାରେ ବିଜୁ ଜନତା ଦଳର ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ପୁରୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ଯୁବ ନେତୃତ୍ୱମାନେ, ଏହି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି।

ବିଜୁ ଜନତା ଦଳର ବିଧାୟକ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ରାଜ୍ୟର ବେକାର ଯୁବକ ମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ନବୀନ ସରକାରଙ୍କ ଦ୍ୱାରା ୧୬, ୦୦୦ ଶିକ୍ଷକ ନିଯୁକ୍ତି ପାଇଁ ସମସ୍ତ କାର୍ୟ୍ୟ ଶେଷ ହୋଇ ରହିଥିଲା, ଯାହାକୁ ବିଜେପି ସରକାର କେବଳ ନିଯୁକ୍ତିପତ୍ର ବାଣ୍ଟି ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ସେହିପରି, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ରାଜ୍ୟର ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ମଧ୍ୟ ବିପଦକୁ ଠେଲି ହୋଇ ଯାଇଛି। କାରଣ, ରାଜ୍ୟକୁ ଆସିବାକୁ ଥିବା ଏଫଡିଆଇରେ ହ୍ରାସ ପାଇଛି। ଜେଏସଡବ୍ଲୁ ଓ ଆର୍ସେଲର ମିତଲ ନିପନ ଷ୍ଟିଲ ଓଡିଶାକୁ ଛାଡି ଅନ୍ୟତ୍ର ଯିବା ପାଇଁ ନିଷ୍ପତ୍ତି ନେଇ ସାରିଲେଣି। ଗତ ଏକ ବର୍ଷ ଭିତରେ, ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରୀକ୍ଷାରେ, ପ୍ରଶ୍ନ ପତ୍ର ଲିକ, ଭୁଲ ପ୍ରଶ୍ନପତ୍ର ବଣ୍ଟନ ଇତ୍ୟାଦି ବିଭ୍ରାଟ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ବିଫଳତା ସମସ୍ତ କ୍ଷେତ୍ରରେ ଜଳ ଜଳ ହୋଇ ଦିଶୁଥିଲେ ମଧ୍ୟ ସରକାର ଉତ୍ସବ ପାଳନ କରି ମିଛ ସଫଳତାର ପ୍ରଚାର କରୁଛନ୍ତି। ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳଵନ୍ତରାୟ କହିଥିଲେ, ନିର୍ବାଚନ ସମୟରେ ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପାଲଟିଛି। ଦଳର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ରାଜ୍ୟର ଯୁବ ଛାତ୍ରଙ୍କ ସହିତ ରାଜ୍ୟ ବିଜେପି ସରକାର ପ୍ରତାରଣା କରିଛନ୍ତି। ନବୀନ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ନୂଆ-ଓ ବୃତ୍ତିକୁ ବନ୍ଦ କରାଯାଇଛି ଯାହା ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଏକ ପ୍ରତାରଣା। ବିଜେପିର ବର୍ଷକୁ ଦୁଇ କୋଟି ନିଯୁକ୍ତି ପ୍ରଦାନ ପ୍ରତିଶ୍ରୁତି ଏକ ଭେଳିକିରେ ପରିଣତ ହୋଇଛି।

ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ଶ୍ରୀ ସୁବାଶିଷ ଖୁଣ୍ଟିଆ କହିଥିଲେ, ଆସନ୍ତା କାଲି ପୁରୀର ସ୍ୱାମୀ ନାରାୟଣ ମନ୍ଦିର ସଲଗ୍ନ ପଡିଆରେ ବିଜୁ ଜନତା ଦଳର ଜନଜାଗରଣ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ, ରାଜ୍ୟର ପ୍ରତି ବ୍ଲକରୁ ଯୁବ ଛାତ୍ର ମାନେ ଯୋଗ ଦେବେ। ରାଜ୍ୟ ବିଜେପି ସରକାରଙ୍କ ଗତ ଏକ ବର୍ଷର ବିଫଳତାକୁ ସାମ୍ନାକୁ ଆସିବ ବିଜେଡି। ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି କହିଥିଲେ, ରାଜ୍ୟ ସରକାର ନିଜ ବଜେଟରେ ବଭିନ୍ନ ବିଭାଗ ପାଇଁ ବ୍ୟୟ ବରାଦ କରିଥିବା ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇ ପାରି ନାହାନ୍ତି, ଯାହା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲା ଯାଉଛି। ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହୋଇପଡିଛି। ପୁରୀର ସ୍ଥାନୀୟ ବାସିନ୍ଦା ମାନଙ୍କୁ ପରିଚୟ ପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପ୍ରବେଶ ପାଇଁ ପୂର୍ବରୁ ବ୍ୟବସ୍ଥା ଥିଲା ଯାହା ଏବେ ବନ୍ଦ ହେବା କାରଣରୁ ସ୍ଥାନୀୟ ବାସିନ୍ଦା ମାନେ ହଇରାଣ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking