20.1 C
Bhubaneswar
Saturday, December 20, 2025
Homeଓଡିଶାଯାଜପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର...

ଯାଜପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଆଉଟରିଚ୍ କାର୍ଯ୍ୟକ୍ରମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଏହି ବୈଠକରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ, ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନ ଯୋଜନାରେ ହିତାଧିକାରୀଙ୍କ କାର୍ଡ ଗୁଡ଼ିକୁ ଯଥାଶୀଘ୍ର ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇଦେବା, ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରି ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପଞ୍ଚସଖା ଶିକ୍ଷାସେତୁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଯୋଜନାରେ ଜିଲ୍ଲାର ୯୭ ଟି ସ୍କୁଲ୍ କୁ ଅନ୍ତର୍ଭୁକ୍ତ କରାଯାଇ ଗୁଣାତ୍ମକ ଶିକ୍ଷା ସହ ମଡେଲ ସ୍କୁଲରେ ପରିଣତ କରାଯିବ। ବୈଠକରେ ପି.ଏମ ଶ୍ରୀ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି), ମଧୁବାବୁ ପେନସନ ଯୋଜନା, ଗ୍ରାମାଞ୍ଚଳ ବିଦ୍ୟୁତକରଣ, ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ, କ୍ରୀଡା ଭିତ୍ତିଭୂମି, ଦକ୍ଷତା ବିକାଶ ଏବଂ ଡିଜିଟାଲ ସଶକ୍ତିକରଣ ସମ୍ପର୍କରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ଵ ଗୃହ, କିଚେନ୍, ଟଏଲେଟ୍ ବିଦ୍ୟୁତିକରଣ, କେନ୍ଦ୍ରକୁ ରାସ୍ତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ପରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ବିକାଶ ମେଳା ୨୦୨୫ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ।

ବିକାଶ ମେଳା ପ୍ରଶାସନିକ ଭବନ ପଡିଆ ଠାରେ ଜୁନ ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ମେଳାରେ ୫ ହଜାର ଜନ ସମାଗମ ହେବ। ସ୍କିମ୍ ଅନୁଯାୟୀ ହିତାଧିକାରୀ ମାନଙ୍କୁ ସୁବିଧା ପ୍ରଦାନ, ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା, ସଫଳ କାହାଣୀ ବୁକଲେଟ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ, ଆଇ.ଇ.ସି କ୍ରିୟାକଳାପ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଏଟର, ସଙ୍ଗୀତ, ନୃତ୍ୟ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ ଓ ପ୍ରାଣୀ ସମ୍ପଦ, ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ, ହାଣ୍ଡିକ୍ରାଫ୍ଟ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଶ୍ରମ, କ୍ରୀଡା ବିଭାଗ ପକ୍ଷରୁ ଜୁନ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସକାଳ ୧୦.୩୦ ମିନିଟ ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ସେମିନାର ଆୟୋଜନ, ପେଣ୍ଟିଂ, ରଙ୍ଗୋଲି ପ୍ରତିଯୋଗିତା, ବାଲୁକା ଶିଳ୍ପ, ରଜଦୋଳି, ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଗଛ ବଣ୍ଟନ, ନିଶା ନିବାରଣ ସଚେତନତା ଅଭିଯାନ, ଇତ୍ୟାଦି ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ବ୍ଲକରେ ଭ୍ୟାନ ମାଧ୍ୟମରେ ଜନ ସଚେତନତା ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ୍ ଓ ପୌରାଞ୍ଚଳ ପରିକ୍ରମା କରିବ।

ଏତଦ୍ ବ୍ୟତୀତ ପ୍ରଶାସନିକ ଭବନ ପଡିଆ ଠାରେ ଓର୍ମାସ ପକ୍ଷରୁ ୧୦୦ ଟି ଷ୍ଟଲ୍ ବିଭିନ୍ନ ବିଭାଗର ପ୍ରଦର୍ଶନୀ, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ବାରା ଗ୍ରାମୀଣ ଉତ୍ପାଦ ବିକ୍ରୟ କରାଯିବ। ଏତଦ୍ ବ୍ୟତୀତ ୨୫ ଟି ପାରମ୍ପରିକ ଖାଦ୍ୟ ଷ୍ଟଲର ଆୟୋଜନ କରାଯାଇଛି। ଶେଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking