21.1 C
Bhubaneswar
Wednesday, February 25, 2026
Homeଓଡିଶାସବୁ ରୋଗକୁ ପ୍ରତିହତ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ସବୁ ରୋଗକୁ ପ୍ରତିହତ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୁଧବାର ଅପରାହ୍ଣରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଉପସ୍ଥିତିରେ ବର୍ଷାଋତୁରେ ଦେଖା ଦେଉଥିବା ବିଭିନ୍ନ ସଂକ୍ରାମକ ରୋଗ ପାଇଁ ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ। ଏଥିରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶାରେ ବର୍ଷା ଋତୁ ଆଗୁଆ ପ୍ରବେଶ କରିଥିବାରୁ ସମୟ ସମୟରେ ବର୍ଷା ଜାରି ରହିଛି। ଯାହା ଫଳରେ ମ୍ୟାଲେରିଆ, ଡେଙ୍ଗୁ, ଜଣ୍ଡିସ, ହଇଜା ଆଦି ସଂକ୍ରାମକ ରୋଗ ବଢ଼ିବାର ସମ୍ଭାବନା ରହିଛି। ସବୁ ରୋଗକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମହାନଗର ନିଗମ ଏବଂ ରାଜ୍ୟର ଡେଙ୍ଗୁ ପ୍ରବଣ ଅଞ୍ଚଳଗୁଡିକ ଚିହ୍ନଟ କରି ସେସବୁ ସ୍ଥାନରେ ମଶା ନିୟନ୍ତ୍ରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଲେରିଆ ପ୍ରବଣ ଜିଲ୍ଲାଗୁଡିକରେ ଔଷଧ ସିଞ୍ଚିତ ମଶାରୀ, କୀଟନାଶକ ଅବଶେଷାଂଶ ସ୍ପ୍ରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜଳବାହିତ ରୋଗର ପ୍ରତିରୋଧ କରିବା ପାଇଁ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳର ବ୍ୟବହାର, ଜଳ ଉତ୍ସଗୁଡ଼ିକର ବିଶୋଧନ ଏବଂ ବୁଲା ବିକାଳିମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜନସାଧାରଣଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଗାଁରୁ ଆରମ୍ଭ କରି ସହର ଯାଏଁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଦିନେ ଥଣ୍ଡା, କାଶ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଜନସାଧାରଣ ସ୍ୱାସ୍ଥ୍ୟ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ବୟସ୍କ ଏବଂ ଅନ୍ୟ ବିଭିନ୍ନ ରୋଗରେ ପଡ଼ି ଶରୀରର ଗୋଗ ପ୍ରତିରୋଧକ ଶକ୍ତି କମୁଥିବା ଲୋକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ବୈଠକରେ ଓଡ଼ିଶାରେ କୋଭିଡ୍ ସ୍ଥିତି ସଂପର୍କରେ ଅନୁଧ୍ୟାନ ଓ ଆଲୋଚନା କରାଯାଇଥିଲା। ଭାରତର ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଯଦିଓ କୋଭିଡ ସଂଖ୍ୟା ସାମାନ୍ୟ ବୃଦ୍ଧି ଘଟିଛି, ଓଡ଼ିଶାରେ କିନ୍ତୁ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବୈଠକରୁ ଜଣାଯାଇଛି। ଗତ ୭ ଦିନ ମଧ୍ୟରେ ଓଡ଼ିଶାରେ କରାଯାଇଥିବା ପରୀକ୍ଷା ମଧ୍ୟରେ ୫୪୬ଟି ନମୁନା ମଧ୍ୟରୁ ଆଜି ସୁଦ୍ଧା ମାତ୍ର ୨୩ ଜଣଙ୍କ ଠାରେ କୋଭିଡ୍ ଭୂତାଣୁ ଚିହ୍ନଟ କରାଯାଇଥିଲା ଏବଂ ତନ୍ମଧ୍ୟରୁ ୪ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି। ଅନ୍ୟ ୧୯ ଜଣ ଘରେ ଚିକିତ୍ସିତ େଉଉଛନ୍ତି ଏବଂ କୌଣସି ରୋଗୀ ଗୁରୁତର ନାହାନ୍ତି। ଆଇସିଏମଆର ଗତକାଲି ଦେଇଥିବା ବିବରଣୀ ଅନୁସାରେ ଏ ସମସ୍ତ ଭୂତାଣୁ ଜନିତ ସଂକ୍ରମଣ ଓମିକ୍ରନ୍ ଭୂତାଣୁର ଉପ ପ୍ରଜାତି ଏବଂ ଏହା କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେନାହିଁ। କେବଳ ଯେଉଁମାନେ ପୂର୍ବରୁ ଦୀର୍ଘଦିନ ଧରି ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି ବା ସେମାନଙ୍କର କୋମର୍ବିଡିଟି ରହିଛି , ସେ କ୍ଷେତ୍ରରେ ସେମାନଙ୍କୁ ସ୍ୱାସ୍ଥ୍ୟଗତ ସାବଧାନତା ଅବଲମ୍ବନ କରିବା ପାଇଁ ଆଇସିଏମଆର ତରଫରୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking