31.1 C
Bhubaneswar
Friday, February 13, 2026
Homeଓଡିଶାଠକେଇ ଅଭିଯୋଗ : ହାୱଡ଼ାରୁ ଅଭିଯୁକ୍ତ ଗିରଫ

ଠକେଇ ଅଭିଯୋଗ : ହାୱଡ଼ାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସାଇବର କ୍ରାଇମ୍ ୟୁନିଟ୍ ପଶ୍ଚିମବଙ୍ଗର ହାୱଡ଼ାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ରୋହିତ କୁମାର ଜୟସୱାଲ। ଅଭିଯୁକ୍ତ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ ସମେତ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି। ଏହାସହ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରାଯାଇଛି । ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମେ ୧୫ ତାରିଖରେ ପାରାଦ୍ଵୀପ ଅଞ୍ଚଳର ଜଣେ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ରୋହିତ ନିଜକୁ CBI ଏବଂ ଦିଲ୍ଲୀ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ଏହାସହ ତାଙ୍କ ନାମରେ ବୁକ୍ ହୋଇଥିବା ଏକ ପାର୍ସଲକୁ ଦିଲ୍ଲୀ କଷ୍ଟମ୍ସ ବିଭାଗ ଜବତ କରିଛି ବୋଲି ସୂଚନା ଦେଇଥିଲା।

ସେହି ପାର୍ସଲରେ ATM କାର୍ଡ, ୧୫ଟି ଭାରତୀୟ ପାସପୋର୍ଟ, ୨ଟି ଲାପଟପ୍, ୪ କିଲୋଗ୍ରାମ କପଡା ଏବଂ ଡ୍ରଗ୍ସ ରହିଛି ବୋଲି କହିଥିଲା। ଉକ୍ତ ପାର୍ସଲକୁ ନୂଆଦିଲ୍ଲୀର ଚାନ୍ଦନୀ ଚୌକରୁ ସଂଘାଇ (ଚୀନ୍) ପଠାଯିବାର ରହିଛି ବୋଲି ଭୟଭୀତ କରିଥିଲା । ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଟଙ୍କା ପଠାଇବାକୁ କହିଥିଲା ନ ହେଲେ ଡିଜିଟାଲ ଗିରଫ କରାଯିବ ବୋଲି ଧମକ ଦେଇଥିଲା। ଅଭିଯୋଗକାରୀ ଜଣକ ଭୟଭୀତ ହୋଇ ୭୩ ଲକ୍ଷ ୬୨ ହଜାର ଟଙ୍କା ଉକ୍ତ ଠକର ବିଭିନ୍ନ ଆକାଉଣ୍ଟକୁ ପଠାଇଥିଲା। କିଛିଦିନ ପରେ ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ସୋସିଆଲ ମିଡିଆ ଏବଂ ମେସେଜିଂ ଆପରେ ନିଜକୁ ପୋଲିସ ଅଧିକାରୀ, ନ୍ୟାୟିକ ଅଧିକାରୀ ବୋଲି ନିଜକୁ ପରିଚୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଉଛି। ଆମ ଆଇନରେ ଡିଜିଟାଲ ଗିରଫ ଭଳି କୌଣସି ଶବ୍ଦ ନାହିଁ। ସାଇବର ଠକାମି ସଂକ୍ରାନ୍ତରେ ସଚେତନ ହୁଅନ୍ତୁ। ଠକାମିର ଶିକାର ହେଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking