27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ ମହିଳା ୟୁଟ୍ୟୁବର ସହ ୬ ଗିରଫ

ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ ମହିଳା ୟୁଟ୍ୟୁବର ସହ ୬ ଗିରଫ

– ଆଇଏସ୍‌ଆଇକୁ ଗୁପ୍ତ ସୂଚନା ଦେଇଥିବା ମାନିଲେ ଜ୍ୟୋତି ମାଲହୋତ୍ରା
– ସମସ୍ତ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୁଲିସ୍‌

ହିସାର : ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ହରିଆଣାର ହିସାର ପୁଲିସ୍ ଟିମ୍ ୬ଜଣଙ୍କୁ ଗିରଫ କରିଛି। ଏଥିରେ ଲୋକପ୍ରିୟ ସୋସିଆଲ ମିଡିଆ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ମଧ୍ୟ ସାମିଲ ରହିଛନ୍ତି। ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ଭାରତ ଏବଂ ବିଶେଷକରି ଭାରତୀୟ ସେନାର ସମ୍ବେଦନଶୀଳ ସୂଚନାସବୁ ହସ୍ତାନ୍ତର କରିବା ଭଳି ଗମ୍ଭୀର ଅଭିଯୋଗ ରହିଛି। ଏତଦ୍‌ବ୍ୟତୀତି ସେ ଗତ ଜାନୁଆରୀରେ ପହଲଗାମ ଗସ୍ତରେ ଯାଇଥିବା ବେଳେ ମାର୍ଚ୍ଚରେ ପାକିସ୍ତାନ ଯାଇଥିଲେ। ଜ୍ୟୋତି ଟ୍ରାଭେଲ୍ ୱିଥ୍ ଜୋ ନାମକ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିବା ବେଳେ ହିସାରର ନ୍ୟୁ ଅଗ୍ରସେନ ଏକ୍ସଟେନସନ୍‌ରୁ ତାଙ୍କୁ ଗିରଫ କରାଯାଇଛି। ପୁଲିସ୍ ଏବେ ତାଙ୍କୁ ଏବଂ ଅନ୍ୟ ୫ଜଣଙ୍କୁ କୋର୍ଟରେ ହାଜର କରିବା ପରେ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ଆରମ୍ଭ କରିଛି।

ଜେରା ସମୟରେ ଜ୍ୟୋତି ନିଜ ବୟାନ୍‌ରେ କହିଛନ୍ତି ଯେ, ସେ ୨୦୨୩ ମସିହାରେ ଭିସା ପାଇବା ପାଇଁ ପାକିସ୍ତାନ ହାଇକମିଶନଙ୍କ ନିକଟକୁ ଯାଇଥିଲେ। ସେଠାରେ ତାଙ୍କର ସାକ୍ଷାତ ଅହସାନ ଉର୍ ରହିମ ଓରଫ ଡାନିଶ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା। ସେ ଡାନିଶଙ୍କ ସହ ମୋବାଇଲ ନମ୍ବର ଏକ୍ସଚେଞ୍ଜ ମଧ୍ୟ କରିଥିଲେ। ଏହାପରଠାରୁ ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ଏବଂ ସେମାନଙ୍କ ସମ୍ପର୍କ ବନ୍ଧୁତାର ରୂପ ନେଇଥିଲା। ପରେ ଜ୍ୟୋତି ଡାନିଶ୍‌ଙ୍କ ନିମନ୍ତ୍ରଣ କ୍ରମେ ଦୁଇଥର ପାକିସ୍ତାନ ଗସ୍ତ ମଧ୍ୟ କରିଥିଲେ। ଏହି ସମୟରେ ସେ ଡାନିଶଙ୍କ ଅନ୍ୟ ଜଣେ ବନ୍ଧୁ ଅଲି ଆହୱାନ୍‌ଙ୍କୁ ଭେଟିଥିଲେ ଯିଏକି ଜ୍ୟୋତିଙ୍କୁ ପାକିସ୍ତାନ ଆସିବା, ସେଠାରେ ରହିବା ଏବଂ ଖାଦ୍ୟପେୟର ବ୍ୟବସ୍ଥା କରୁଥିଲେ। ତେବେ ସମୟକ୍ରମେ ଅଲି ଆହୱାନ, ରାଣା ଶେହବାଜ ଏବଂ ଶାକିର ନାମକ ପାକିସ୍ତାନୀ ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀଙ୍କ ସହ ମଧ୍ୟ ଜ୍ୟୋତିଙ୍କୁ ଭେଟ କରାଇଥିଲେ। ଏହି ଠାରୁ ହିଁ ଜ୍ୟୋତି ପାକିସ୍ତାନ ଓ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ପାଇଁ ଭାରତରେ ଗୁଇନ୍ଦା କାମ କରିବା ଆରମ୍ଭ କରିଥିଲେ। ସେ ସମସ୍ତ ପାକିସ୍ତାନୀ ଏଜେଣ୍ଟଙ୍କ ନଂକୁ ଅନ୍ୟ ନାମରେ ନିଜ ମୋବାଇଲ୍ ନଂରେ ସେଭ୍ କରୁଥିଲେ, ଯାହାଦ୍ୱାରା ତାଙ୍କୁ କେହି ସନ୍ଦେହ କରିବେ ନାହିଁ। ସେ ପାକିସ୍ତାନରୁ ଭାରତ ଫେରିବା ପରେ, ହ୍ୱାଟ୍ସଆପ୍‌, ସ୍ନାପଚଟ୍ ଏବଂ ଟେଲିଗ୍ରାମ ମାଧ୍ୟମରେ ସେହି ଲୋକଙ୍କ ସହିତ ଯୋଗାଯୋଗରେ ରହୁଥିଲେ। ଏହି ସମୟରେ ସେ ଭାରତ ଏବଂ ଭାରତୀୟ ସେନା ତଥା ଜମ୍ମୁ କାଶ୍ମୀରର ସୂଚନାସବୁକୁ ସେମାନଙ୍କୁ ଦେଉଥିଲେ। ପ୍ରକାଶ, ଗୁପ୍ତଚର ଅଭିଯୋଗରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଅହସାନ ଉର୍ ରହିମ ଓରଫ୍ ଡାନିଶକୁ ବ୍ୟକ୍ତିଗତ ଭାବରେ ନିଷିଦ୍ଧ ଘୋଷଣା କରାଯାଇଛି।

୩୩ ବର୍ଷୀୟା ଜ୍ୟୋତି ମାଲହୋତ୍ରାଙ୍କୁ ଆଇବି ଟିମ୍ ପଚରାଉଚରା ପାଇଁ ସିଆଇଏ ଷ୍ଟାଫ୍ ହିସାର କାର୍ଯ୍ୟାଳୟକୁ ନିଆଯାଇଛି। ଜ୍ୟୋତିଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ରହିଥିବା ବେଳେ ସେ ଏବେ ବି ଅବିବାହିତ ଅଛନ୍ତି। ସେ ପ୍ରାୟତଃ ଦିଲ୍ଲୀରେ ରୁହନ୍ତି ଏବଂ ହିସାରକୁ କମ୍ ଆସନ୍ତି। ତାଙ୍କ ବାପା ହରିଶ କୁମାର ମାଲହୋତ୍ରା ବିଦ୍ୟୁତ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ। ତେବେ ଜ୍ୟୋତି ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଭାବେ କାମ କରନ୍ତି ଯେଉଁଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ଆୟ କରନ୍ତି। ସେ ଦେଶ ଦେଶ ବୁଲିବା ସହ ସେସବୁ ସ୍ଥାନର ସ୍ୱତନ୍ତ୍ର ସ୍ଥାନ, ଖାଦ୍ୟ ଏବଂ ସଂସ୍କୃତି ସହିତ ଜଡିତ ଭିଡିଓ ତିଆରି କରନ୍ତି ଏବଂ ସେଗୁଡ଼ିକୁ ଅପଲୋଡ୍ କରନ୍ତି। ଜ୍ୟୋତି ଦିଲ୍ଲୀର ଏକ ଶିଖ୍ ଦଳ ସହିତ ୨ ଥର ଏବଂ ଥରେ ଏକାକୀ ପାକିସ୍ତାନର କରତାରପୁର ସାହିବ ଗୁରୁଦ୍ୱାର ପରିଦର୍ଶନ କରିଥିବା କଥା ସ୍ୱୀକାର କରିଛନ୍ତି। ଏହାବ୍ୟତୀତ ସେ ଦୁବାଇ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ନେପାଳ, ଭୁଟାନ, ଚୀନ୍‌, ପାକିସ୍ତାନ ଏବଂ ବାଂଲାଦେଶ ଇତ୍ୟାଦି ଦେଶ ଭ୍ରମଣ କରିଛନ୍ତି। ତେବେ ଜ୍ୟୋତିଙ୍କ ଅଧିକାଂଶ ଭିଡିଓ ଭାରତୀୟ ଭୌଗୋଳିକ ସୀମାରେଖା, ଭାରତୀୟ ସେନା ଏବଂ ପାକିସ୍ତାନ ସହିତ ଜଡିତ। ଜ୍ୟୋତି ମାଲହୋତ୍ରାଙ୍କର ୟୁଟ୍ୟୁବରେ ୩.୭୭ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ୧.୩୧ ଲକ୍ଷ ଫଲୋଅର୍ସ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking