27.1 C
Bhubaneswar
Saturday, December 6, 2025
Homeଓଡିଶାପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ଦାଣ୍ଡବୋଷ ଅଂଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତିଯେ, ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ ଓ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ। ଏଥିସହିତ, ପଣ୍ଡିତ ମୁର୍ମୁଙ୍କ ରଚିତ ସମସ୍ତ ପୁସ୍ତକ ଗୁଡିକୁ ଜନାଦୃତ କରାଇବା ପାଇଁ, ବାରିପଦାରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ, ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିବା ସହିତ ଏହି ସବୁ କାର୍ଯ୍ୟ ପାଇଁ ସମୁଦାୟ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ପଣ୍ଡିତ ମୂର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ । ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ପାଳନ କେବଳ ଜଣେ ଉଦ୍ଭାବକଙ୍କ ମାନସିକ ସୃଷ୍ଟିର ସମ୍ମାନ ନୁହେଁ, ବରଂ ଏହା ଏକ ଜନଜାତିର ଭାଷା, ସଂସ୍କୃତି ଓ ଅସ୍ମିତାର ଏକ ମୁକ୍ତ ଅଭିଯାନର ପରିଚୟ। ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ।

ଆମେ ଅନେକ ସମୟରେ ଭାଷାକୁ କେବଳ ଯୋଗାଯୋଗ ର ସାଧନ ବୋଲି ଭାବୁ। କିନ୍ତୁ ଭାଷା ହେଉଛି ଅସ୍ମିତା, ଅସ୍ତିତ୍ୱ, ଓ ଅଭିମତର ପ୍ରତିନିଧି। ଯେଉଁ ସମାଜ ନିଜ ଭାଷାରେ ଗର୍ବ ଅନୁଭବ କରେ, ସେହି ସମାଜ ଆଗକୁ ବଢ଼େ। ଅଲଚିକି ଏହି ଗର୍ବର ପ୍ରତୀକ। ଏହା ମନୁଷ୍ୟକୁ ଶିକ୍ଷା, ସଂହତି, ଓ ସଂସ୍କୃତିରେ ଏକ ଜନଶକ୍ତି ରୂପେ ଗଢ଼ିଥାଏ। ଓଡ଼ିଶା ସରକାର ଏହି ଲିପି ଓ ସାନ୍ତାଳୀ ଭାଷା ପ୍ରତି ସଦା ଗଭୀର ଦୃଷ୍ଟି ଓ ପ୍ରଶ୍ରୟ ଦେଇଛି। ପ୍ରାଥମିକ ଶିକ୍ଷାରେ ସାନ୍ତାଳୀ ଭାଷାର ଅନୁଷ୍ଠାନ, ପାଠ୍ୟପୁସ୍ତକ ତିଆରି, ଶିକ୍ଷକ ପ୍ରଶିକ୍ଷଣ, ଓ ଭାଷା ଶୋଧ କେନ୍ଦ୍ର ସୃଷ୍ଟି ଦ୍ୱାରା ଆମେ ଏହାକୁ ଆଗକୁ ନେଉଛୁ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ସାନ୍ତାଳ ସମାଜ ପାଇଁ ପଣ୍ଡିତ ମୁର୍ମୁ ଦେଖିଥିବା ପଥ ଆଜି ମଧ୍ୟ ଆଲୋକମୟ। ମୁଁ ଚାହେଁ ଯେ ଆମ ପିଢ଼ି ପିଢ଼ି ତାଙ୍କ ଦେଖିଥିବା ମୂଲ୍ୟବୋଧ, ଜ୍ଞାନ, ଓ ସଂସ୍କୃତି ପ୍ରତି ପ୍ରେମକୁ ଅନୁସରଣ କରୁ। ଅନ୍ୟ ଭାଷା, ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତି ପାଇଁ ସମ୍ମାନ ଓ ଆତ୍ମସମ୍ମାନ ହେଉ ସାମ୍ପ୍ରଦାୟିକ ସମନ୍ୱୟର ମୂଳ ଶକ୍ତି। ତାଙ୍କ ଦର୍ଶନ ଓ ଆଦର୍ଶକୁ ଆଗେଇନେବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କ ନାମରେ ଏକ ମେଡିକାଲ କଲେଜ୍‌ ଖୋଲାଯାଇଛି। ତାଙ୍କ ନାମରେ ଆହୁରି ଅଧିକ ଗବେଷଣା କେନ୍ଦ୍ର, ଶିକ୍ଷାନୁଷ୍ଠାନ ସ୍ଥାପିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର୍‌ କରାଯିବ।

ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେଯେ, ପଣ୍ଡିତ ମୁର୍ମୁ କେବଳ ଜ୍ଞାନ ଓ ଶିକ୍ଷାର ଅନୁସୂଚକ ନୁହେଁ, ସେ ଜଣେ ଏପରି ବ୍ୟକ୍ତିତ୍ୱ, ଯିଏ ଏହି ଭୂମିର ଅନ୍ତଃସ୍ଥ ମୂଲ୍ୟବୋଧକୁ ଉଜାଗର କରିଛନ୍ତି। ଆମ ସରକାର ଏହି ବିରାଟ ଅବଦାନକୁ ସମ୍ମାନ ଜଣାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି। ଆମ ସରକାର ରଘୁନାଥ ମୁର୍ମୁଙ୍କ ନାମକୁ ରାଜ୍ୟର ଶିକ୍ଷା ଓ ସଂସ୍କୃତି ନୀତିର ଏକ ଅଭିନ୍ନ ଅଂଶ କରିଛି। ତାଙ୍କ ଜୀବନ ଓ କାର୍ଯ୍ୟକୁ ସ୍ମରଣ କରି ଆମେ ଏକ ନୂଆ ପିଢ଼ିକୁ ଅନୁପ୍ରେରଣା ଦେଉଛୁ। ପଣ୍ଡିତ ମୂର୍ମୁଙ୍କ ସୃଷ୍ଟି ଓ ଚିନ୍ତାଧାରା ସମସ୍ତ ପିଢ଼ି ପାଇଁ ଏକ ଜୀବନ ଶିକ୍ଷା। ତାଙ୍କ ଜୀବନ ଆମକୁ ଶିଖାଏ ଯେ, ଯଦି ଆମେ ନିଜ ଭାଷା, ନିଜ ଚିନ୍ତାଧାରା ଓ ନିଜ ସଂସ୍କୃତି ପାଇଁ ସଚେତନ ଓ ସଂଘଠିତ ହେବୁ, ତେବେ କୌଣସି ଶକ୍ତି ଆମକୁ ପଛକୁ ଟାଣିପାରିବ ନାହିଁ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେଯେ ଗୋରୁ ଗୋମକେ ଗୋଟିଏ ଏମିତି ଫୁଲ ଥିଲେ, ଯିଏ ମଉଳିବା ପରେ ମଧ୍ୟ ନିଜ ସୁଗନ୍ଧ ପ୍ରସାରି ଚାଲିଛନ୍ତି।

ସେହିପରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ,ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପଣ୍ଡିତ ମୁର୍ମୁଙ୍କୁ ଜଣେ ଅଲୌକିକ ଶକ୍ତିର ଅଧିକାରୀ ବୋଲି କହିଥିବା ବେଳେ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ, ଏହି ଉତ୍ସବ ଯୋଗୁଁ ଆଜି ଇତିହାସ ପୁନର୍ଜିବିତ ହୋଇ ଉଠିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ, ମୁଖ୍ୟମନ୍ତ୍ରୀ, ପ୍ରସିଦ୍ଧ ସାନ୍ତାଳୀ ଭାଷା ଗବେଷକ, ଶ୍ରୀ ଚୂନଦା ସୋରେନଙ୍କୁ ଗୁରୁ ଗୋମକେ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିବା ସହିତ ଏକ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ ଉପରେ ଆଧାରିତ ଏକ ସ୍ମରଣିକା ଉନ୍ମୋଚନ କରାଯିବ ସହିତ ପଣ୍ଡିତ ମୁର୍ମୁଙ୍କ ବଂଶଜ ଶ୍ରୀ ଚୁନିୟାନ ମୁର୍ମୁଙ୍କୁ ଓ ପ୍ରସିଦ୍ଧ ସାନ୍ତାଳୀ ଲେଖିକା ତଥା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶରାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ମୟୂରଭଞ୍ଜ ସାଂସଦ ଶ୍ରୀମତୀ ମମତା ମହାନ୍ତ, ସାଂସଦ, ଶ୍ରୀ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ, ଶ୍ରୀ ଜଲେନ ନାଏକ, ସାରସକଣା ବିଧାୟକ, ଶ୍ରୀ ଭାଦବ ହାଁସଦା, କରଞ୍ଜିଆ ବିଧାୟକ,
ଶ୍ରୀ ପଦ୍ମଚରଣ ହାଇବୁରୁ, ବାରିପଦା ବିଧାୟକ, ଶ୍ରୀ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ, ଶ୍ରୀ ସନାତନ ବିଜୁଳି ବାଙ୍ଗିରିପୋଷି ବିଧାୟିକା, ସୁଶ୍ରୀ ସଞ୍ଜୀଳି ମୁର୍ମୁ, ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରଷ୍ଟ ସମ୍ପାଦକ ଇଂ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତଭାଷଣ ଦେଇଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking