16.1 C
Bhubaneswar
Sunday, December 7, 2025
Homeଓଡିଶାଖୁବଶୀଘ୍ର ଆସିବ ୩୨ଟି ଅତ୍ୟାଧୁନିକ ମୋବାଇଲ ଫରେନସିକ୍ ଭ୍ୟାନ୍

ଖୁବଶୀଘ୍ର ଆସିବ ୩୨ଟି ଅତ୍ୟାଧୁନିକ ମୋବାଇଲ ଫରେନସିକ୍ ଭ୍ୟାନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଶର ତିନୋଟି ନୂଆ ଅପରାଧିକ ଆଇନ୍‌ର ଫଳପ୍ରଦ କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଜିରୋ ଏଫ.ଆଇ.ଆର୍‌ ଉପରେ ଗୁରୁତ୍ୱାରୋପ କରିବା ସହ ଇ-ଏଫ.ଆଇ.ଆର୍, ଇ-ସମନ୍, ଇ-ସାକ୍ଷ୍ୟ ପ୍ରଦାନ ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ, ସରଳ ହେବା ସହିତ ତ୍ୱରିତ ବେଗରେ କାର୍ଯ୍ୟକାରୀ କରାଯାଇ ପାରିବ। ଏଥିପାଇଁ ଜେଲ୍‌, ହସ୍ପିଟାଲ, ଫରେନସିକ୍ ଲ୍ୟାବ, କୋର୍ଟ ଇତ୍ୟାଦିକୁ ଭିଡିଓ କନ୍‌ଫରେନ୍‌ସ ଜରିଆରେ ଯୋଡିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ସାକ୍ଷୀ ମାନେ ଯେଉଁ ସ୍ଥାନରେ ଥିବେ, ସେହି ସ୍ଥାନରୁ ହିଁ ସାକ୍ଷ୍ୟ ପ୍ରଦାନ କରିପାରିବେ। ତଦନ୍ତ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଯେତେଦୂର ସମ୍ଭବ ଇଲେକ୍ଟ୍ରୋନିକ୍ ମୋଡ୍‌ରେ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଫରେନ୍‌ସିକ୍ ବ୍ୟବସ୍ଥାର ଉନ୍ନତି ପାଇଁ ଅତ୍ୟାଧୁନିକ ମୋବାଇଲ ଫରେନସିକ୍ ଭ୍ୟାନ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବଶୀଘ୍ର ୩୨ଟି ମୋବାଇଲ ଫରେନସିକ୍ ଭ୍ୟାନ ନିୟୋଜିତ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭିଡ ହିଂସା (Mob Lynching), ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସଂଗଠିତ ଅପରାଧ (Organized Crime) କ୍ଷେତ୍ରରେ ଏସ୍‌ପିଙ୍କ ତଳ ର‍୍ୟାଙ୍କର କୌଣସି ଅଧିକାରୀ ତଦାରଖ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂଆ ଆଇନ୍‌ର ଫଳପ୍ରଦ କାର୍ଯ୍ୟକାରୀତା ପାଇଁ ପୋଲିସ, ଜେଲ୍, ଆଇନଗତ କାର୍ଯ୍ୟାନୁଷ୍ଠାନ (Prosecution) ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ବୈଠକର ସୂଚନା ଅନୁଯାୟୀ ନୂଆ ଅପରାଧିକ ଆଇନ ସଂପର୍କରେ ୯୮ ପ୍ରତିଶତରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦକ୍ଷ ତଦନ୍ତ ପ୍ରକ୍ରିୟା ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପାଇଁ ପଦକ୍ଷେପ ନିଆଯାଉଛି । ଫରେନ୍‌ସିକ ଲ୍ୟାବ ଗୁଡିକର ଉନ୍ନତିକରଣ କରାଯାଉଛି ଏବଂ ଫରେନ୍‌ସିକ ଓ ସାଇବର ଫରେନ୍‌ସିକ ବିଶେଷଜ୍ଞ ମାନଙ୍କ ପାଇଁ ୨୪୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି ।

ସେହିପରି ଜେଲ୍‌ ବିଭାଗର ଶତ ପ୍ରତିଶତ କର୍ମଚାରୀ ମାନଙ୍କୁ ମଧ୍ୟ ନୂଆ ଆଇନ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଜେଲ୍‌ରେ ଭିଡିଓ କନ୍‌ଫରେନ୍‌ସିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ପ୍ରୋସିକ୍ୟୁସନ କ୍ୟାଡରେ ମଧ୍ୟ ୨୬୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯିବା ସହିତ BNSS ଆଇନ ଅନୁଯାୟୀ ଓଡିଶା ପ୍ରୋସିକ୍ୟୁସନ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି। ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଜଡିତ ସମସ୍ତ ସଂସ୍ଥା ଗୁଡିକ ଦକ୍ଷ ହେଲେ, ନ୍ୟାୟ ପ୍ରଦାନ ବ୍ୟବସ୍ଥା ତ୍ବରିତ ହେବ ଏବଂ ସମସ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking