15.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶପାକିସ୍ତାନକୁ ଝଟ୍‌କା ପରେ ଝଟ୍‌କା; ଆମଦାନୀ ଉପରେ ରୋକ୍ ଲଗାଇଲା ଭାରତ

ପାକିସ୍ତାନକୁ ଝଟ୍‌କା ପରେ ଝଟ୍‌କା; ଆମଦାନୀ ଉପରେ ରୋକ୍ ଲଗାଇଲା ଭାରତ

– ଭାରତୀୟ ବନ୍ଦରରେ ପାକିସ୍ତାନୀ ଜାହାଜର ନୋ-ଏଣ୍ଟ୍ରି
– ଡାକ ଓ ପାର୍ସଲ୍ ସେବା ବି ନିଷିଦ୍ଧ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଚାଲିଛି ଭାରତ। ପ୍ରଥମେ ପାକିସ୍ତାନକୁ କୂଟନୈତିକ ଓ ଡିଜିଟାଲ୍ ଝଟ୍‌କା ଦେବାପରେ ଏବେ ପାକିସ୍ତାନକୁ ଆର୍ôଥକ ସ୍ତରରେ ଦୁର୍ବଳ କରିବାକୁ ଭାରତ ସରକାର ଗୋଟି ଚାଳନା କରିଛନ୍ତି। ସାମରିକ ଷ୍ଟ୍ରାଇକ୍ ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ ଚାରିପଟୁ ଘେରାବନ୍ଦୀ କରିବାକୁ ଚେଷ୍ଟା ହୋଇଛି। ପୂର୍ବରୁ ପାକିସ୍ତାନୀଙ୍କୁ ମିଳିଥିବା ଭିସାକୁ ଭାରତ ସରକାର ରଦ୍ଦ କରି ଏପ୍ରିଲ୍ ୩୦ ସୁଦ୍ଧା ଦେଶ ଛାଡ଼ିବାକୁ କହିଥିଲେ। ଏହାପରେ ପାକିସ୍ତାନର ଏକାଧିକ ୟୁଟ୍ୟୁବ୍ ଚ୍ୟାନେଲ୍ ଭାରତରେ ବ୍ଲକ୍ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ କ୍ରିକେଟର୍‌ଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମଧ୍ୟ ଭାରତରେ ନିଷିଦ୍ଧ ହୋଇଛି। ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ଉପରେ ମଧ୍ୟ ଭାରତ ସରକାର ରୋକ୍ ଲଗାଇଛନ୍ତି। ଏସବୁକୁ ନେଇ ବିଚଳିତ ହୋଇପଡ଼ିଥିବା ପାକିସ୍ତାନକୁ ଆଜି ଭାରତ ସରକାର ପୁଣି ଏକାଧିକ ଝଟ୍‌କା ଦେଇଛନ୍ତି। ପାକିସ୍ତାନୀଙ୍କ ଭଳି ପାକିସ୍ତାନ ସାମଗ୍ରୀ ମଧ୍ୟ ଭାରତରେ ବ୍ୟାନ୍ ହୋଇଛି। ପାକିସ୍ତାନରୁ ହେଉଥିବା ସମସ୍ତ ପ୍ରକାରର ଆମଦାନୀକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଆମଦାନୀ ଉପରେ ରୋକ୍ ଲଗାଯାଇଛି। ପୂର୍ବରୁ ପାକିସ୍ତାନରୁ ସିଧାସଳଖ ଆମଦାନୀ ଉପରେ ଏକ ପ୍ରକାରର ଅଘୋଷିତ ରୋକ୍ ଲାଗିଥିଲା। କିନ୍ତୁ କିଛି ସାମଗ୍ରୀ ତୃତୀୟ ପାର୍ଟି ଦ୍ୱାରା ପାକିସ୍ତାନରୁ ଭାରତକୁ ଆମଦାନୀ ହେଉଥିଲା। ଏବେ ତା’ ଉପରେ ମଧ୍ୟ ଭାରତ ସରକାର ରୋକ୍ ଲଗାଇଛନ୍ତି।

ଏହାବାଦ ପାକିସ୍ତାନୀ ଜାହାଜଗୁଡ଼ିକ ମଧ୍ୟ ଆଉ ଭାରତୀୟ ବନ୍ଦରର ବ୍ୟବହାର କରିପାରିବେ ନାହିଁ। ପାକିସ୍ତାନକୁ ଅନ୍ୟ ଦେଶର ବନ୍ଦରକୁ ବ୍ୟବହାର କରି ନିଜ ସାମଗ୍ରୀ ତୃତୀୟ ଦେଶକୁ ରପ୍ତାନୀ କରିବାକୁ ପଡ଼ିବ। ଏହାର ପ୍ରଭାବ ପାକିସ୍ତାନର ଅର୍ଥନୀତିକ ଉପରେ ପଡ଼ିବ। ପୂର୍ବରୁ ପାକିସ୍ତାନ ବିମାନଗୁଡ଼ିକ ପାଇଁ ଭାରତ ସରକାର ଆକାଶ ପଥ ବନ୍ଦ କରିଥିଲେ। ଆଜି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ବୈଦେଶିକ ବାଣଜ୍ୟ ନୀତି (ଏଫ୍‌ଟିପି)ରେ ଗୋଟିଏ ନୂଆ ନିୟମ ଯୋଡ଼ାଯାଇ ପାକିସ୍ତାନରେ ଉତ୍ପାଦିତ କିମ୍ବା ପାକିସ୍ତାନରୁ ରପ୍ତାନୀ ହେଉଥିବା ସମସ୍ତ ପ୍ରକାରର ପ୍ରତ୍ୟକ୍ଷ, ପରୋକ୍ଷ ଓ ଟ୍ରାଞ୍ଜିଟ୍‌ରେ ଥିବା ସାମଗ୍ରୀ ଉପରେ ତତ୍କାଳ ପ୍ରଭାବରେ ନିଷେଧାଦେଶ ଲାଗୁ କରାଯାଇଥିବା କୁହାଯାଇଛି। ଜାତୀୟ ସୁରକ୍ଷା ଓ ସର୍ବସାଧାରଣ ନୀତିର ସ୍ୱାର୍ଥ ଦୃଷ୍ଟିରୁ ଏପରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଭାରତ ସରକାର ସାମୁଦ୍ରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଏକ କଡ଼ା ଆଦେଶ ଜାରି କରିଛନ୍ତି। ଏହି ଅନୁସାରେ ଏବେ ପାକିସ୍ତାନ ପତାକା ଥିବା କୌଣସି ଜାହାଜକୁ ଭାରତୀୟ ବନ୍ଦରଗୁଡ଼ିକର ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ। ସେହିପରି ଭାରତୀୟ ଜାହାଜ ମଧ୍ୟ ପାକିସ୍ତାନ ବନ୍ଦରକୁ ଯିବେ ନାହିଁ। ଏହି ନିଷ୍ପତ୍ତି ମର୍ଚ୍ଚାଣ୍ଟ୍ ଶିପିଂ ଆକ୍ଟ ୧୯୫୮ ଅନୁସାରେ ନିଆଯାଇଛି। ଏହି ନିୟମ ତତ୍କାଳ ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ଆହୁରି କୁହାଯାଇଛି, ଯଦି କେହି ଏହି ରୋକ୍‌ରୁ ରିହାତି ଚାହାନ୍ତି ତେବେ ତାଙ୍କୁ ପ୍ରଥମେ ଭାରତ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଆମଦାନୀ ଓ ଜାହାଜ ଚଳାତଳ ଉପରେ ରୋକ୍ ବ୍ୟତୀତ ଭାରତ ସରକାର ପାକିସ୍ତାନକୁ ପାର୍ସଲ ଝଟ୍‌କା ମଧ୍ୟ ଦେଇଛନ୍ତି। ପାକିସ୍ତାନ ସହ ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବା ଉପରେ ଭାରତ ସରକାର ତତ୍କାଳ ପ୍ରଭାବରେ ରୋକ୍ ଲଗାଇଛନ୍ତି। ଏହି ରୋକ୍ ଉଭୟ ଆକାଶ ଓ ସ୍ଥଳପଥରେ ଆସୁଥିବା ପାର୍ସଲ ଏବଂ ଡାକ ଉପରେ ଲାଗୁହେବ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking