ନୂଆଦିଲ୍ଲୀ: ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ, ଗୁରୁବାର ଏକ ବଡ଼ ବୟାନ୍ ଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯଦି ଡାକ୍ତରମାନଙ୍କୁ କେବଳ ଜେନେରିକ୍ ଔଷଧ ଲେଖିବାକୁ ବାଧ୍ୟତାମୂଳକ କରିଦିଆଯାଏ ତେବେ ତେବେ ଔଷଧ କମ୍ପାନୀଗୁଡ଼ିକଙ୍କ ପକ୍ଷରୁ ଡାକ୍ତରଙ୍କୁ ଦିଆଯାଉଥିବା ମୋଟାଅଙ୍କର ଲାଞ୍ଚ, ଦାମୀ ପ୍ରସାଧନ ସାମଗ୍ରୀ ଭଳି ଲାଞ୍ଚ ସମସ୍ୟାର ସମାଧାନ ହୋଇପାରିବ। ଖଣ୍ଡପୀଠଙ୍କ ଏହି ବୟାନ୍ ମୌଖିକ ଭାବେ ଆସିଛି।
ଖଣ୍ଡପୀଠ କହିଛନ୍ତି, ଡାକ୍ତରମାନଙ୍କର ଜେନେରିକ୍ ଔଷଧ ଲେଖିବାର ଆଇନଗତ ଅଧିକାର ଥାଏ। କିନ୍ତୁ ଔଷଧ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ ଅଯୌକ୍ତିକ ତଥା ଉଚ୍ଚ ମୂଲ୍ୟଯୁକ୍ତ ଔଷଧ ଲେଖିବାକୁ ପ୍ରୋତ୍ସାହିତ କରିବା ପାଇଁ ଲାଞ୍ଚ ଦେଇଥାନ୍ତି, ଯାହାକୁ ଡାକ୍ତରମାନେ ମନା କରିପାରିନଥାନ୍ତି। ଅନ୍ୟପକ୍ଷେ ରୋଗୀମାନଙ୍କୁ ଇଚ୍ଛା ନଥାଇ ମଧ୍ୟ ଡାକ୍ତରମାନେ ଦାମୀ କମ୍ପାନୀ (ବ୍ରାଣ୍ଡ୍)ର ଔଷଧ ଲେଖିବାକୁ ବାଧ୍ୟ ହୋଇଥାନ୍ତି। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି, ଡାକ୍ତରମାନଙ୍କୁ କେବଳ ଜେନେରିକ୍ ମେଡିସିନ୍ (କମ୍ ମୂଲ୍ୟ କିନ୍ତୁ ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧ) ଲେଖିବାକୁ ବାଧ୍ୟତାମୂଳକ କରିଦିଆଯିବା ଉଚିତ୍। ସାରା ଦେଶରେ ଏହାକୁ ଏକ ନିୟମ ଭାବେ କଡାକଡି ଭାବେ ପାଳନ କରାଯିବା ଉଚିତ୍। ଏହା ଦ୍ୱାରା ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅଧିକ ସୁଲଭ ହେବ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନୀତି ପ୍ରଣୟନ କରିବାକୁ ମଧ୍ୟ କହିଛନ୍ତି। ଏହାସହ ଡାକ୍ତରୀ ଶିକ୍ଷା ଓ ପ୍ରାକ୍ଟିସ୍ ନିୟନ୍ତ୍ରଣ କରୁଥିବା ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏମ୍ସିଆଇ)କୁ ଏହି ନିୟମକୁ କଡ଼ାକଡ଼ି ପାଳନ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତିକୁ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଏହା ଦେଶରେ ଔଷଧର ମୂଲ୍ୟ ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟ ସେବାର ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଜେନେରିକ ଔଷଧର ଗୁଣବତ୍ତା ଓ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସରକାର ଏକ ଶକ୍ତିଶାଳୀ ତଦାରଖ ବ୍ୟବସ୍ଥା ଗଠନ କରିବା ଆବଶ୍ୟକ।










