17.1 C
Bhubaneswar
Monday, December 22, 2025
Homeଖେଳନରେନ୍‌-ବରୁଣଙ୍କ ସ୍ପିନ୍‌ରେ ଫସିଲା ଦିଲ୍ଲୀ କ୍ୟାପିଟାଲ୍ସ; କୋଲ୍‌କାତା ୧୪ ରନ୍‌ରେ ବିଜୟୀ

ନରେନ୍‌-ବରୁଣଙ୍କ ସ୍ପିନ୍‌ରେ ଫସିଲା ଦିଲ୍ଲୀ କ୍ୟାପିଟାଲ୍ସ; କୋଲ୍‌କାତା ୧୪ ରନ୍‌ରେ ବିଜୟୀ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୪୮ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନ୍‌ରେ ହରାଇ ଦେଇଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ କୋଲ୍‌କାତା ପ୍ରଥମେ ବ୍ୟାଟିଂ ପାଇ ୯ ୱିକେଟ୍ ହରାଇ ୨୦୪ ରନ୍ କରିଥିବା ବେଳେ ଜବାବରେ ଦିଲ୍ଲୀ ୯ ୱିକେଟ୍ ବିନିମୟରେ ୧୯୦ ରନ୍ କରିବାକୁ ସମର୍ଥ ହୋଇଛି। ୨୦୫ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀକୁ ଦ୍ୱିତୀୟ ବଲ୍‌ରେ ହିଁ ପ୍ରଥମ ଝଟ୍‌କା ଲାଗିଥିଲା। ଅଭିଷେକ ପୋରେଲ୍ (୪)ଙ୍କୁ ଅନୁକୂଳ ରୟ ପ୍ୟାଭିଲିୟନ୍ ଫେରାଇଥିଲେ। ଏହାପରେ କରୁଣ ନାୟର ୧୫ ରନ୍ କରି ବୈଭବ ଆରୋରାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। କେଏଲ୍ ରାହୁଲଙ୍କ ଠାରୁ ବଡ଼ ଇନିଂସ୍‌ର ଆଶା କରାଯାଉଥିବା ବେଳେ ସେ ମାତ୍ର ୭ ରନ୍ କରି ରନ୍ ଆଉଟ୍ ହୋଇଥିଲେ।

ଏହାପରେ କ୍ୟାପ୍‌ଟେନ୍ ଅକ୍ଷର ପଟେଲ୍ ଓ ଫାଫ୍ ଡୁପ୍ଲେସିସ୍ ଚତୁର୍ଥ ୱିକେଟ୍ ପାଇଁ ୭୬ ରନ୍‌ର ପାର୍ଟନରଶିପ୍ କରି ଟିମ୍‌କୁ ସମ୍ଭାଳିଥିଲେ। ମାତ୍ର ଅକ୍ଷର ପଟେଲ୍‌ଙ୍କୁ ଆଉଟ୍ କରି ସୁନୀଲ୍ ନରେନ୍ ଏହି ପାର୍ଟନରଶିପ୍‌ରେ ବ୍ରେକ୍ ଲଗାଇଥିଲେ। ଅକ୍ଷର ୨୩ ବଲ୍‌ରେ ୪ ଚୌକା ଓ ୩ ଛକା ସହାୟତାରେ ୪୩ ରନ୍ କରି ବିଦାୟ ନେଇଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍‌ସ (୧) ଶସ୍ତାରେ ଆଉଟ୍ ହେବାପରେ ଡୁପ୍ଲେସିସ୍ ୬୨ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ବିଦାୟ ନେଇଥିଲେ। ତାଙ୍କ ୪୫ ବଲ୍‌ର ଇନିଂସ୍‌ରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ଏହାପରେ ୧୮ତମ ଓଭର୍‌ରେ ଲଗାତାର ବଲ୍‌ରେ ଆଶୁତୋଷ ଶର୍ମା (୭) ଓ ମିଚେଲ୍ ଷ୍ଟାର୍କ (୦)ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଦିଲ୍ଲୀକୁ ବଡ଼ ଝଟ୍‌କା ଦେଇଥିଲେ। ଶେଷ ଓଭର୍‌ରେ ଦିଲ୍ଲୀକୁ ବିଜୟ ପାଇଁ ୨୫ ରନ୍‌ର ଆବଶ୍ୟକତା ଥିବାବେଳେ ଜମି ଆସିଥିବା ବିପରାଜ ନିଗମ (୩୮)ଙ୍କୁ ଆଉଟ୍ କରି ଆନ୍ଦ୍ରେ ରସେଲ୍ କୋଲ୍‌କାତାକୁ ୧୪ ରନ୍‌ରେ ବିଜୟୀ କରାଇଥିଲେ। କୋଲ୍‌କାତା ପକ୍ଷରୁ ସୁନୀଲ୍ ନରେନ୍ ୩, ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ୍ ନେଇଥିବା ବେଳେ ଅନୁକୂଳ ରୟ, ବୈଭବ ଆରୋରା ଏବଂ ଆନ୍ଦ୍ରେ ରସେଲ୍‌ଙ୍କୁ ୧-୧ ସଫଳତା ମିଳିଥିଲା।

ଟସ୍ ହାରି ବ୍ୟାଟିଂ ପାଇଥିବା କେକେଆର୍ ଧମାକାଦାର ଆରମ୍ଭ କରିଥିଲା। ରହମନୁଲ୍ଲାହ ଗୁୁରବାଜ୍ ଓ ସୁନୀଲ୍ ନରେନ୍ ୩ ଓଭର୍‌ରେ ୪୮ ରନ୍ ଯୋଡ଼ିଥିଲେ। ତେବେ ତୃତୀୟ ଓଭର୍‌ର ଶେଷ ବଲ୍‌ରେ ଗୁରବାଜ୍ (୨୬)ଙ୍କୁ ଆଉଟ୍ କରି ମିଚେଲ୍ ଷ୍ଟାର୍କ ଟିମ୍‌କୁ ପ୍ରଥମ ଝଟ୍‌କା ଦେଇଥିଲେ। ଏହାପରେ ନରେନ୍‌ଙ୍କ ସହ କ୍ୟାପ୍‌ଟେନ୍ ଆଜିଙ୍କ୍ୟ ରାହାଣେ ଯୋଗଦେଇ ଇନିଂସ୍ ସମ୍ଭାଳିଥିଲେ। ୮୫ ରନ୍‌ର ସ୍କୋର୍‌ରେ ନରେନ୍ (୨୭)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରି ବିପରାଜ ନିଗମ୍ ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ରାହାଣେ ୧୪ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୨୬ ରନ୍ କରି ଅଷ୍ଟମ ଓଭର୍‌ରେ ଅକ୍ଷର ପଟେଲ୍‌ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଭେଙ୍କଟେଶ ଆୟର୍ ପୁଣିଥରେ ଫ୍ଲପ୍ ହେବା ସହିତ ମାତ୍ର ୭ ରନ୍ କରି ବିଦାୟ ନେଇଥିଲେ। ୧୦ ଓଭର୍ ପରେ କେକେଆର୍ ସ୍କୋର୍ ୪ ୱିକେଟ୍‌ରେ ୧୧୭ ରନ୍ ଥିଲା। ଏହାପରେ ରିଙ୍କୁ ସିଂହ ଓ ଅଙ୍ଗକୃଷ ରଘୁବଂଶୀଙ୍କ ମଧ୍ୟରେ ୬୧ ରନ୍‌ର ଉତ୍ତମ ପାର୍ଟନରଶିପ୍ ହୋଇଥିଲା। ତେବେ ରଘୁବଂଶୀଙ୍କୁ ଆଉଟ୍ କରି ଦୁଷ୍ମନ୍ତ ଚମୀରା ୧୭ତମ ଓଭର୍‌ରେ ଏହି ପାର୍ଟନରଶିପ୍ ଭାଙ୍ଗିଥିଲେ। ରଘୁବଂଶୀ ୩୨ ବଲ୍‌ରେ ୩ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୪୪ ରନ୍ କରିଥିଲେ। ପରବର୍ତ୍ତୀ ଓଭର୍‌ରେ ରିଙ୍କୁ ୩୬ ରନ୍ କରି ବିପରାଜଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ରିଙ୍କୁଙ୍କ ୨୫ ବଲ୍‌ର ଇନିଂସ୍‌ରେ ୩ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହାପରେ ଆନ୍ଦ୍ରେ ରସେଲ୍ ୯ ରନ୍‌ରେ ୧୭ ରନ୍‌ର ଇନିଂସ୍ ଖେଳିଥିଲେ। ଏହା ବଳରେ କେକେଆର୍ ୨୦୪ ରନ୍‌ର ସ୍କୋର୍ କରିଥିଲା। ଦିଲ୍ଲୀ ପକ୍ଷରୁ ମିଚେଲ୍ ଷ୍ଟାର୍କ ୩, ବିପରାଜ ନିଗମ ଓ ଅକ୍ଷର ପଟେଲ୍ ୨-୨ ଏବଂ ଦୁଷ୍ମନ୍ତ ଚମୀରା ଗୋଟିଏ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking