30.1 C
Bhubaneswar
Thursday, February 5, 2026
Homeଓଡିଶାବ୍ରହ୍ମଗିରିରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଧାୟିକା ଉପାସନାଙ୍କ ପ୍ରୟାସ

ବ୍ରହ୍ମଗିରିରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଧାୟିକା ଉପାସନାଙ୍କ ପ୍ରୟାସ

ଭୁୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର । ନୂତନ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସେ ଗୁରୁତ୍ୱ ଦେଇ ପୁରୀ-କୋଣାର୍କ-ବ୍ରହ୍ମଗିରି-ସାତପଡ଼ା ଅଞ୍ଚଳର ଜଙ୍ଗଲ ଏବଂ ଖାଲି ସ୍ଥାନରେ ବିଶାଳ ବୃକ୍ଷରୋପଣ ଅଭିଯାନ ସହ ‘ଗ୍ରୀନର୍ ପୁରୀ’ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପଚାରି ବୁଝିଛନ୍ତି ।

ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ବିଧାୟିକା ଶ୍ରୀମତୀ ମହାପାତ୍ର ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ପୁରୀ ବନପ୍ରାଣୀ ବନଖଣ୍ଡରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ନୂତନ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି ।

ବିଗତ ୩ ବର୍ଷ ଯଥା ୨୦୨୨-୨୩ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ ଏବଂ ଅସ୍ତରଙ୍ଗ ରେଞ୍ଜରେ ମୋଟ ୧୩୦ ହେକ୍ଟର ସଘନ ବନୀକରଣ, ୨୩୮ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁରୁଦ୍ଧାର ଓ ୦.୫୭ ଲକ୍ଷ ସହରାଞ୍ଚଳ ବନୀକରଣ ସୃଷ୍ଟି କରାଯାଇଛି । ଏହି ବନୀକରଣ ନିମନ୍ତେ ୨.୭୨ ଲକ୍ଷ ବୃକ୍ଷ ଚାରା ରୋପଣ ସହିତ ୧୦.୫୧ ଲକ୍ଷ ଚାରା ସାଧାରଣ ଲୋକ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସଂଗଠନଙ୍କ ମଧ୍ୟରେ ବିତରଣ କରାଯାଇଛି ।

ଖାଲି ସ୍ଥାନରେ ବିଶାଳ ବୃକ୍ଷରୋପଣ ଅଭିଯାନ ସହିତ ‘ଗ୍ରୀନ୍ ପୁରୀ’ ନିର୍ମାଣର ଲକ୍ଷ୍ୟ ରଖି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ମୋଟୋ ଗ୍ରାମରେ ୧୦ ହେକ୍ଟର ସଘନ ବନୀକରଣ ଓ ମାଣିକପାଟଣା ବନ ସୁରକ୍ଷା ସମିତି ଏବଂ ମୋଟୋ ବନ ସୁରକ୍ଷା ସମିତି ମାଧ୍ୟମରେ ୧୫ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ବନୀକରଣ ନିମନ୍ତେ ପ୍ରସ୍ତାବ ରହିଛି । ଏହାସହ ମନରେଗା ଯୋଜନାରେ ବାଲୁଖଣ୍ଡରେ ୭୦ ହଜାର ଚାରା, କୋଣାର୍କରେ ୪୦ ହଜାର ଚାରା ଏବଂ ୮୦ ହଜାର ଚାରା ବଣ୍ଟନ ନିମନ୍ତେ ଉତ୍ପାଦନ କରାଯାଉଛି ।ଆଗାମୀ ବର୍ଷମାନଙ୍କରେ ମଧ୍ୟ ଉକ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking