23.1 C
Bhubaneswar
Tuesday, May 5, 2026
Homeଓଡିଶାଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର: ସମ୍ମାନ ଓ ସମୃଦ୍ଧିର ନାଁ ସୁଭଦ୍ରା ଯୋଜନା। ଏହି ଯୋଜନାର ସଫଳତା ମା’ ମାନଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ୱାସ ରହିଛି। ସୁଭଦ୍ରା ଯୋଜନାକୁ ଆହୁରି ତ୍ୱରାନ୍ୱିତ କରି ମା’ ଓ ଭଉଣୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର ଠାରେ ୨ୟ କିସ୍ତି ସୁଭଦ୍ରା ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଯାଜପୁର ଜିଲ୍ଲା ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ସମସ୍ତଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଓ ସୁଭଦ୍ରା ଯୋଜନା ଦ୍ଵିତୀୟ କିସ୍ତି ପ୍ରଦାନର ଶୁଭେଚ୍ଛା ଜଣାଇବା ସହ କହିଲେ ମହିଳା ମାନେ ଶିକ୍ଷା, ଚାକିରି, ବ୍ୟବସାୟ କିମ୍ବା ଘରକରଣା ସବୁ ଦିଗରେ ପୁରୁଷଙ୍କ ଠାରୁ ବହୁ ଆଗରେ। ଜଣେ ପୁରୁଷ ଯାହା କରି ପାରିବ ନାହିଁ ତାଠୁ ମହିଳା ବହୁତ ଅଧିକ କରିପାରିବାର କ୍ଷମତା ରଖିଛି। ମହିଳା ମାନେ ଦୁର୍ବଳ, ଏକା କାର୍ଯ୍ୟ କରିବା ପାଇଁ ଅସମର୍ଥ ଏଭଳି ମନରେ ଥିବା ଏହି ଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା ଦରକାର। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ, ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା କହିଲେ ବିକଶିତ ଭାରତର ଅର୍ଥ ହେଉଛି ଯୁବଶକ୍ତି ର ବିକାଶ, କୃଷକ ଭାଇ ତଥା ଅନ୍ନଦାତାଙ୍କ ବିକାଶ ସର୍ବୋପରି ନାରୀଶକ୍ତି ତଥା ମାତୃଶକ୍ତି ର ବିକାଶ। ମହିଳା ମାନଙ୍କର ଉନ୍ନତି ହେଲେ ଦେଶର ପ୍ରଗତି ହେବ। ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମହତ୍ତ୍ଵ ଭୂମିକା ଗ୍ରହଣ କରିଛି। ମହିଳା ବିକାଶର ଅର୍ଥ ଦେଶର ବିକାଶ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀ ଅମର କୁମାର ନାୟକ କହିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଆର୍ଥିକ ସ୍ବାବଲମ୍ବୀ କରିବା ଯେଉଁ ଲକ୍ଷ୍ୟ ଥିଲା ତାହା ସୁଭଦ୍ରା ଯୋଜନା ମାଧ୍ୟମରେ ଆଉ ଦୁଇ ପାଦ ଆଗକୁ ଯାଇଛି। ଓଡ଼ିଶା ଇତିହାସରେ ଏହା ସବୁଠାରୁ ବଡ଼ ଯୋଜନା ଯାହା ମାଧ୍ୟମରେ ୧ କୋଟି ରୁ ଉର୍ଦ୍ଧ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଭାବେ ବାର୍ଷିକ ୧୦,୦୦୦ ଲେଖାଏଁ ଅର୍ଥରାଶି ପହଞ୍ଚାଯଉଛି। ମହିଳା ମାନଙ୍କ ଭିତରେ ଥିବା ପ୍ରତିଭା କୁ ଚିହ୍ନଟ କରି ତାଙ୍କୁ ପ୍ରଶିକ୍ଷିତ କରି ଆଗକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ କହିଲେ ସୁଭଦ୍ରା ଯୋଜନା ମହିଳାମାନଙ୍କ ସଶକ୍ତିକରଣ ପାଇଁ ଏକ ବହୁତ ବଡ଼ ସଂକଳ୍ପ ଯେଉଁଥିରେ ମହିଳା ମାନଙ୍କୁ ବର୍ଷକୁ ୧୦,୦୦୦ ଲେଖାଏଁ ଅର୍ଥରାଶି ଦିଆଯିବ,ଯାହାକି ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ କାହା ଉପରେ ନିର୍ଭର କରିବାକୁ ପଡ଼ିବନି ନିଜର ଛୋଟ ବ୍ୟବସାୟ ଆରମ୍ଭ କରି ସ୍ବାବଲମ୍ବୀ ମଧ୍ୟ ହୋଇପାରିବେ।
ଆଜିର ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନା ଉପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ସ୍ବାଗତ ଭାଷଣ ଦେଇଥିଲେ। ଆଜି ଯାଜପୁର ଜିଲ୍ଲାର 5,33,706 ଜଣ ହିତାଧିକାରୀ ସୁଭଦ୍ରା ଦ୍ଵିତୀୟ କିସ୍ତି ର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବାକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜିନୀ ଦାସ,ବିଭାଗୀୟ ଅଧିକାରୀ ,ବୁଦ୍ଧିଜୀବୀ,ଏସ.ଏଚ.ଜି ମହିଳା ମାନେ, ଅଙ୍ଗନୱାଡ଼ି କର୍ମୀ, ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking