32.1 C
Bhubaneswar
Saturday, February 14, 2026
Homeଓଡିଶାବିକଶିତ ଓଡିଶା ଗଠନ କରିବା ପାଇଁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ କରିବାକୁ ପଡିବ: ପ୍ରଫୁଲ୍ଲ...

ବିକଶିତ ଓଡିଶା ଗଠନ କରିବା ପାଇଁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ କରିବାକୁ ପଡିବ: ପ୍ରଫୁଲ୍ଲ ଘଡାଇ

ଭୁବନେଶ୍ୱର : ୨୦୨୫-୨୦୩୬ ମସିହା ସୁଦ୍ଧା ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ସରକାରଙ୍କୁ ପ୍ରଥମେ ରାଜ୍ୟର ଅଭିବୃଦ୍ଧି ହାର ବା ଜି.ଏସ.ଡି.ପିକୁ ବଢାଇବାକୁ ପଡିବ । ୨୦୨୪-୨୫ ବଜେଟରେ ରାଜ୍ୟର ଅଭିବୃଦ୍ଧି ହାର ୯.୨୬ ପ୍ରତିଶତ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ୭.୨ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଭାବରେ ୨୦୨୫-୨୬ ଆର୍ଥିକ ବର୍ଷପାଇଁ ରାଜ୍ୟର ଅଭିବୃଦ୍ଧି ହାର ୮ ରୁ ୮.୫ ପ୍ରତିଶତ ଲକ୍ଷ ଧାର୍ଯ୍ୟ କରାଯାଇଛି, ତାହା କେତେଦୂର ସମ୍ଭବ ହୋଇ ପାରୁଛି ବର୍ଷ ଶେଷରେ ଜଣା ପଡିବ । ତେଣୁ ଅଭିବୃଦ୍ଧି ହାର ଯଦି ନବଢିବ ତେବେ ରାଜ୍ୟ କିପରି ବିକଶିତ ହେବ ଏହା ଏକ ବିଚାର୍ଯ୍ୟର ବିଷୟ । ଅପରପକ୍ଷରେ ରାଜ୍ୟର ଋଣ ଭାର ୨୦୨୩-୨୪ରେ ୯୬,୩୧୦କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା ୧ଲକ୍ଷ ୩୪ ହଜାର କୋଟିକୁ ବୃଦ୍ଧି ପାଇଛି ।

୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୪,୦୦୦ କୋଟି ଋଣ କରିଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୭,୪୦୦କୋଟି ଟଙ୍କା ଋଣ କରିବା ପାଇଁ ଲକ୍ଷ ରଖିଛନ୍ତି, ଯାହା ମଧ୍ଯରେ ଉଚ୍ଚ ସୁଧ ହାରରେ ଖୋଲା ବଜାରରୁ ୧୭,୧୨୩ କୋଟି ଟଙ୍କା ଋଣ ଅନ୍ତର୍ଭୁକ୍ତ ହେବ । ଫଳରେ ରାଜ୍ୟ ସରକାର ଋଣ ଶୁଝିବା ଏବଂ ସୁଧ ପରିଶୋଧ କରିବା ପାଇଁ ବଜେଟରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ ଏବଂ ପୁଂଜିଗତ ବ୍ୟୟ(Capital expenditure) ପାଇଁ ଅର୍ଥର ଅଭାବ ପଡିବ, ଯାହା ଅଭିବୃଦ୍ଧି ଦିଗରେ ପ୍ରତିବନ୍ଧକ ସାଜିବ । ରାଜ୍ୟରେ ଋଣ-ଜି.ଏସ.ଡି.ପି ଅନୁପାତ ୧୨.୭ ପ୍ରତିଶତ ହୋଇଛି ଯାହା ୨୫ ପ୍ରତିଶତ ମଧ୍ୟରେ ରହିବା କଥା ।

୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଫିସକାଲ ଡେଫିସିଟି-ଜି.ଏସ.ଡି.ପିର ହାର (Fiscal Deficit of GSDP) ୨.୯ ପ୍ରତିଶତ ଥିବା ବେଳେ ୨୦୨୪-୨୫ରେ ଏହା ୩.୪ ପ୍ରତିଶତରେ ପହଂଚିଛି, ଯାହା ଏଫ.ଆର.ବିଏମ୍ ଆକ୍ଟ ଅନୁଯାୟୀ ୩.୫ ପ୍ରତିଶତର ପାଖାପାଖି ଅଟେ । ଯଦି ଏହା ଆଗାମୀ ଦିନରେ ଅଧିକ ବୃଦ୍ଧି ପାଏ ତେବେ ତାହା ରାଜ୍ୟ ଅଭିବୃଦ୍ଧିରେ କେବଳ ବାଧକ ସାଜିବ ନାହିଁ ବରଂ ରାଜ୍ୟ ଅର୍ଥନୀତିକୁ ଦୁର୍ବଳ କରିଦେବ । ରାଜ୍ୟ ଅଭିବୃଦ୍ଧି ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ଅଧିକ ।

ଏଥିପାଇଁ ଶିକ୍ଷା ବଜେଟରେ ଅଧିକ ବ୍ୟୟବରାଦ ହେବା ଉଚିତ । ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ବଜେଟର ୬ ପ୍ରତିଶତ ବ୍ୟୟ ବରାଦ କରାଯିବା ସ୍ଥଳେ ଆମ ରାଜ୍ୟରେ ଏହା ମାତ୍ର ୩ ରୁ ୩.୫ ପ୍ରତିଶତ ମଧ୍ୟରେ ରହୁଛି । ତେଣୁ ଏ କ୍ଷେତ୍ରରେ ମଧ୍ୟ ଅଧିକ ବ୍ୟୟ ବରାଦ କରି ରାଜ୍ୟରେ ଶିକ୍ଷିତ ମାନବ ସମ୍ବଳ ସୃଷ୍ଟି କରିବା ଉଚିତ । ସବୁଠାରୁ ଗୁରୁତ୍ବ ପୂର୍ଣ ବିଷୟ ହେଉଛି ରାଜ୍ୟ ବଜେଟରେ ଯେଉଁ ଅର୍ଥ ବ୍ୟୟ ବରାଦ ହେଉଛି ତାକୁ ଠିକ୍ ଭାବରେ ଖର୍ଚ୍ଚ କରିବା, କେନ୍ଦ୍ରୀୟ ଅନୁଦାନକୁ ଠିକ୍ ସମୟରେ ବ୍ୟୟ କରିବା, କାର୍ଯ୍ୟକ୍ରମ ଏବଂ ପୁଂଜି ବ୍ୟୟ ଉପରେ ଗୁରୁତ୍ଵ ଦେବା ଏବଂ ରାଜ୍ୟର ସାମଗ୍ରୀକ ବିକାଶ(inclusive growth) ଯଥା ସବୁ ସ୍ତର, ସବୁ ଅଂଚଳ ଏବଂ ସବୁ ବର୍ଗର ବିକାଶ ଉପରେ ଗୁରୁତ୍ଵ ଦେଲେ ହିଁ ୨୦୩୬ ମସିହା ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇ ପାରିବ ବୋଲି ଏକ ପ୍ରେସ ବିବୃତିରେ ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking