ଭୁବନେଶ୍ୱର: ଶରୀର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ହେଉଛି ଆଖି । ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଆଖି ହେଉଛି ମୂଲ୍ୟବାନ୍ ଅଙ୍ଗ । ଦୁନିଆକୁ ରଙ୍ଗୀନ କରେ ଆଖି । ଥରେ ଦୃଷ୍ଟିଶକ୍ତି ହରାଇଲେ ମଣିଷ ଦୃଷ୍ଟିହୀନ ହୋଇଯାଏ ତେଣୁ ଆଖିର ଯତ୍ନ ନେଇ ତାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଜରୁରୀ । ଚକ୍ଷୁର ଉତ୍ତମ ଯତ୍ନ ନ ନେଲେ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଏପଟେ ଖରା ଦିନ ଆସିଲେ ଲୋକମାନେ ରାସ୍ତାକଡ଼ରେ ସନ୍ ଗ୍ଲାସ ବ୍ୟବହାର କରିଥାନ୍ତି । ତେବେ ଏହି ସନ୍ ଗ୍ଲାସ ଜଣେ ମଣିଷର ଆଖି ପ୍ରତି କେତେ ଉପକାର, ଏହାର କୁପ୍ରଭାବ କ’ଣ ରହିଛି ଆସନ୍ତୁ ଜାଣିବା ।
ରାସ୍ତାକଡରେ ବିକ୍ରି ହେଉଥିବା ସନ୍ଗ୍ଲାସ ଆଖି ପାଇଁ ବହୁ ମାତ୍ରାରେ ଅସୁରକ୍ଷିତ ଅଟେ । ଏହାଦ୍ୱାରା ଆଖି ଉପରେ ପ୍ରଭାବ ପଡିବା ସହିତ ଆଖି ମଧ୍ୟ ନଷ୍ଟ ହେବାରେ ଲାଗିଥାଏ । ରାସ୍ତାକଡ଼ରେ ବିକ୍ରି ହେଉଥିବା ସନ୍ଗ୍ଲାସ କେବଳ ଖରାଦିନ ପାଇଁ ଯେତିକି ଉପଯୋଗୀ ଅଟେ ସେତିକି ମଧ୍ୟ ଅସୁରକ୍ଷିତ । ବିଶେଷ ଭାବରେ ଖରା ସମୟରେ ଶସ୍ତା ସନ୍ଗ୍ଲାସ ବ୍ୟବହାର ଦ୍ୱାରା ଅନେକ ପ୍ରଭାବ ପଡିଥାଏ । ଯେପରିକି ଆଖିରୁ ଲୁହ ବାହାରିବା, ମୁଣ୍ଡବିନ୍ଧା ହେବା, ଅଧିକ ସମୟ ଧରି ଚଷମା ବ୍ୟବହାର କଲେ ଦୃଷ୍ଟିଶକ୍ତି କମିଯିବା ସହ ଆଖି ଖେଞ୍ଚି ହେବା ଭଳି ଲକ୍ଷଣ ଦେଖାଯାଇଥାଏ ।
ଅଧିକ ଖରାରେ ସତର୍କ ନ ରହିଲେ ଆଖି ଲାଲ ପଡିବା, କୁଣ୍ଡେଇ ହେବା ସହ ଖରାରେ ଦେଖିବାକୁ ସମସ୍ୟା ହୋଇଥାଏ । ଲୁହର ମାତ୍ରା କମିଯାଇ ଚକ୍ଷୁ ଶୁଷ୍କ ହୋଇଯାଏ । ଏହାଦ୍ୱାରା ଆଖିରେ କିଛି ଜନିଷ ପଡିବା ପରି ଲାଗେ । ଖରାର ପ୍ରଭାବରେ ଆଖିରେ ଆଲର୍ଜି ହୁଏ । ଖରା ପ୍ରଭାବରୁ ଆଖିକୁ ରକ୍ଷା କରିବା ପାଇଁ ବାହାରକୁ କଳା ଚଷମା ପିନ୍ଧିବା, ଅତିବାଇଗେଣି ରଶ୍ମୀରୁ ବଞ୍ଚାଇପାରିବା ଭଳି ଚଷମା ଲଗାଇଲେ ଅତି ଭଲ ଅଟେ । ଚଷମା ପିନ୍ଧିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।










