ଜୟପୁର: ଦୀର୍ଘ ବର୍ଷ ଧରି ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଭାବେ କାମ କରୁଥିବା ରାଜସ୍ଥାନ କ୍ୟାଡର ଆଇପିଏସ୍ ପଙ୍କଜ କୁମାର ଚୌଧୁରୀଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଡିମୋସନ କରାଯାଇଛି। ସିଧାଅର୍ଥରେ କହିଲେ ତାଙ୍କ ପାହ୍ୟାକୁ ୨ଟି ପାହ୍ୟା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଆଇପିଏସ୍ ପଙ୍କଜ ଚୌଧୂରୀଙ୍କ ବିରୋଧରେ ଏହା ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ତାଙ୍କୁ ଆଗାମୀ ୩ ବର୍ଷ ଧରି ଏହି ଡିମୋସନ୍ଡ୍ ପଦରେ ରହିବାକୁ ହେବ। ପୂର୍ବରୁ ସେ ଲେଭଲ୍ ୧୧ ସିନିୟର ପେ’ ସ୍କେଲରେ ରହିଥିଲେ। କିନ୍ତୁ ଏବେ ୩ ବର୍ଷ ପାଇଁ ସେ ଲେଭଲ ୧୦ ଜୁନିୟର ପେ’ ସ୍କେଲରେ ରହିବେ। ଲେଭଲ ୧୦ ଜୁନିୟର ପେ’ ସ୍କେଲରେ ସାଧାରଣତଃ ଟ୍ରେନି ଆଇପିଏସ୍ମାନଙ୍କୁ ରଖାଯାଇଥାଏ।
ବାସ୍ତବରେ ପଙ୍କଜ ଚୌଧୁରୀଙ୍କ ବିରୋଧରେ ଦ୍ୱିତୀୟ ବିବାହ ଭଳି ସଂଗୀନ ଅଭିଯୋଗ ଆସିଛି। ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ମଧ୍ୟ କିଛି ବର୍ଷ ତଳେ ସେ ଅନ୍ୟଜଣେ ମହିଳାଙ୍କୁ ନିଜ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ। ଏହି ମାମଲା ପ୍ରାୟ ୪ ବର୍ଷ ପୂର୍ବର ହୋଇଥିବା ବେଳେ ଏହା ପ୍ରଥମେ ରାଜସ୍ଥାନ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଇଥିଲା। କୋର୍ଟ ମଧ୍ୟ ଆଇପିଏସ୍ ଅଧିକାରୀ ପଙ୍କଜଙ୍କ ସପକ୍ଷରେ ରାୟ ଦେଇଥିଲେ। ୨୦୨୦ରେ ପ୍ରଥମ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ, ୨୦୨୧ରେ ହାଇକୋର୍ଟ ଓ ୨୦୨୧ରେ ସୁପ୍ରିମକୋର୍ଟ ପଙ୍କଜ କୁମାରଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ। ତଥାପି ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କୁ ଏବେ ଡିମୋସନ କରିଛନ୍ତି। କିନ୍ତୁ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀ ବିଧିବଦ୍ଧ ଭାବେ କୌଣସି ପ୍ରକାରର ବିବୃତି ଜାରି କରିନାହାନ୍ତି।










