30.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶକଂଗ୍ରେସ ଦ୍ରୁତଗତିରେ ନିଜ ଚରିତ୍ର ବଦଳାଉଛି : ମୋଦୀ

କଂଗ୍ରେସ ଦ୍ରୁତଗତିରେ ନିଜ ଚରିତ୍ର ବଦଳାଉଛି : ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବଜେଟ୍ ଅଧିବେଶନ ଅଭିଭାଷଣ ଉପରେ ରାଜ୍ୟସଭାରେ ଆଜି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜବାବ ରଖିଛନ୍ତି । ଏହି ଅବସରରେ ସେ କଂଗ୍ରେସକୁ ପୁଣି ଥରେ ଟାର୍ଗେଟ୍ କରିବା ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ସେ ଲୋକସଭାରେ ମଧ୍ୟ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ସୋନିଆଙ୍କ ଅପମାନଜନକ ବିବୃତିକୁ ତୀବ୍ର ଭର୍ତ୍ସନା କରିଥିଲେ। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କଂଗ୍ରେସ ଏବେ ଦେଶରେ ଜାତିବାଦର ବିଷ ବାଣ୍ଟୁଛି। ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ନାମକୁ ନେଇ କଂଗ୍ରେସ ପୂର୍ବରୁ ବିରକ୍ତ ହେଉଥିଲା। କିନ୍ତୁ ଆଜି କଂଗ୍ରେସ ‘ଜୟ ଭୀମ’ କହିବାକୁ ବାଧ୍ୟ ହୋଇଛି। କଂଗ୍ରେସ ଆମ୍ବେଦକରଙ୍କୁ ଭାରତ ରତ୍ନ ପାଇବାକୁ ମଧ୍ୟ ଯୋଗ୍ୟ ମନେ କରିନଥିଲା। କିନ୍ତୁ କଂଗ୍ରେସ ଏବେ ସମ୍ବିଧାନର କଥା କହୁଛି। କଂଗ୍ରେସ ଦ୍ରୁତ ଗତିରେ ନିଜ ଚରିତ୍ର ବଦଳାଇବାରେ ଲାଗିଛି। ନିର୍ବାଚନ ସମୟ ଆସିଲେ ହିଁ କଂଗ୍ରେସକୁ ଦେଶବାସୀଙ୍କ କଥା ମନେପଡେ। ଏହାର ସିଧାଅର୍ଥ ନିର୍ବାଚନ ସମୟରେ କଂଗ୍ରେସ ଭୋଟ୍ ଚାଷ କରିବାକୁ ଆଗଭର ହୋଇଥାଏ। କଂଗ୍ରେସ ଲୋକଙ୍କ ଆଖିରେ ପଟି ବାନ୍ଧି ରାଜନୀତି କରୁଥିଲା। ଏବେବି କଂଗ୍ରେସ ସେହି ସମାନ ପ୍ରୟାସ କରୁଛି। କିନ୍ତୁ ଦେଶବାସୀ ଆଉ ନିଜ ଆଖିରେ ପଟି ବାନ୍ଧି ହୋଇ ରହିବାକୁ ଚାହୁଁନାହାନ୍ତି। ଦେଶବାସୀ ବିଜେପି ଉପରେ ବିଶ୍ୱାସ କରୁଛନ୍ତି। ବିଜେପି ‘ସବ୍‌କା ସାଥ୍‌, ସବକା ବିକାଶ’ର ନୀତିରେ କାର୍ଯ୍ୟ କରୁଛି। ଦେଶବାସୀ ବିଜେପି ସରକାରଙ୍କ ବିକାଶ ମଡେଲକୁ ପରୀକ୍ଷଣ କରିଛନ୍ତି ଏବଂ ବୁଝିଛନ୍ତି। ବିଜେପିର ମଡେଲ ହେଉଛି ରାଷ୍ଟ୍ର ପ୍ରଥମ। ସେଥିପାଇଁ ଦେଶବାସୀ ବିଜେପିକୁ କ୍ରମାଗତ ୩ୟ ଥର ପାଇଁ କ୍ଷମତା ପ୍ରଦାନ କରିଛନ୍ତି। କିନ୍ତୁ କଂଗ୍ରେସର ମୂଳ ନୀତି ପରିବାର ପ୍ରଥମ ହିଁ ରହିଆସିଛି।

କଂଗ୍ରେସ ଯୁଗରେ ତୁଷ୍ଟିକରଣ ରାଜନୀତି ଶୀର୍ଷରେ ଥିଲା। ମୋଦୀ କହିଛନ୍ତି, କଂଗ୍ରେସ ଏଭଳି ଏକ ଦଳ ଯେଉଁଠାରେ ସମ୍ପୂର୍ଣ୍ଣ ଦଳ ଗୋଟିଏ ପରିବାର ପ୍ରତି ସମର୍ପିତ ହୋଇଯାଇଛି, ସେଠାରେ ସବ୍‌କା ବିକାଶ, ସବ୍‌କା ସାଥ୍‌, ସେମାନଙ୍କ ପାଇଁ ସମ୍ଭବ ନୁହେଁ। ଏଭଳି କିଛି କଂଗ୍ରେସ ଠାରୁ ଆଶା କରିବା ମଧ୍ୟ ବଡ଼ ଭୁଲ୍ ହେବ। ଏହା ସେମାନଙ୍କ ଚିନ୍ତାଧାରାର ବାହାରେ ଏବଂ ଏହା ସେମାନଙ୍କ ରୋଡମ୍ୟାପ୍‌ରେ ନାହିଁ। କିନ୍ତୁ ଆମେ କଂଗ୍ରେସ ଭଳି ତୁଷ୍ଟୀକରଣ ନୁହେଁ, ଜନ ସନ୍ତୁଷ୍ଟୀକରଣରେ ବିଶ୍ୱାସ କରୁ। ମୋଦୀ ଏହି ଅବସରରେ କଂଗ୍ରେସକୁ ନିଜର ଏପ୍ରକାର ମାନସିକତା ପରିହାର କରି ଦେଶର ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଦେଇଛନ୍ତି। ମୋଦୀଙ୍କ କହିବାନୁସାରେ ଲୋକସଭା ନିର୍ବାଚନରେ ଯେଉଁମାନେ କଂଗ୍ରେସ ସହ ଥିଲେ ସେମାନେ ଆଜି କଂଗ୍ରେସ ଠାରୁ ଦୂରକୁ ଯିବାକୁ ଉଚିତ୍ ମଣୁଛନ୍ତି। କାରଣ ସେମାନେ ବିଳମ୍ବରେ ହେଲେ ମଧ୍ୟ ବୁଝିସାରିଛନ୍ତି ଯେ, କଂଗ୍ରେସର ମୂଳ ମନ୍ତ୍ର ହେଉଛି ଅନ୍ୟର ପ୍ରତିଷ୍ଠାକୁ ହ୍ରାସ କରିବା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁକରିଥିବା କଂଗ୍ରେସ ସେସମୟରେ ଦେଶର ସମ୍ବିଧାନକୁ ମଧ୍ୟ ଦମନ କରିବାକୁ ପ୍ରୟାସ କରିଥିଲା। ଯେତେବେଳେ ପ୍ରଖ୍ୟାତ ସଂଗୀତକାର ତଥା କଣ୍ଠଶିଳ୍ପୀ କିଶୋର କୁମାର କଂଗ୍ରେସ ପାଇଁ ଗୀତ ଗାଇବାକୁ ମନା କଲେ, ସେତେବେଳେ କିଶୋର କୁମାରଙ୍କ ସମସ୍ତ ଗୀତକୁ ଆକାଶବାଣୀରେ ବ୍ୟାନ୍ କରାଯାଇଥିଲା।

ଏହି ଅବସରରେ ମୋଦୀ ନିଜ ପୂର୍ବ ୨ଟି ଟର୍ମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଦେଶବାସୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ଜନହିତକର ଯୋଜନାର ଏକ ଲମ୍ବା ତାଲିକା ଗୃହରେ ରଖିଛନ୍ତି। ମୋଦୀ କହିଛନ୍ତି, କେବଳ ଯୋଜନା କଲେ ହେବନି, ଏସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମଧ୍ୟ ହେବ। ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓବିସି ଆୟୋଗକୁ ସାମ୍ବିଧାନିକ କରାଯିବା ନେଇ ଦାବି ହେଉଥିଲା। କିନ୍ତୁ ଏବେ ଏହା ସମ୍ଭବ ହୋଇପାରିଛି। ଓବିସି ବର୍ଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସଂରକ୍ଷଣ ବ୍ୟବସ୍ଥାକୁ ଏସ୍‌ସି, ଏସ୍‌ଟି ବର୍ଗ ବି ସମର୍ଥନ କରିଛନ୍ତି। ସେହିପରି ଦେଶର ବିକାଶରେ ନାରୀଶକ୍ତି ଯୋଗଦାନକୁ ଅସ୍ୱୀକାର କରିହେବନି। ଏଥିପାଇଁ ନାରୀଶକ୍ତି ବନ୍ଧନ ଅଧିନିୟମ ଅଣାଯାଇଛି। ପିଏମ ବିଶ୍ୱକର୍ମା ଯୋଜନା, ମୁଦ୍ରା ଯୋଜନା ସମେତ ଅନେକ ଯୋଜନା ଦେଶର ଯୁବବର୍ଗଙ୍କୁ ଆତ୍ମନିର୍ଭର କରିପାରିଛି। ଗରିବ ଓ ବଞ୍ଚିତ ସମୁଦାୟ ଲୋକଙ୍କ ପାଇଁ କାମ କରାଯାଉଛି। କୃଷି ଓ କୃଷକଙ୍କ ବିକାଶ ପାଇଁ ପାଣ୍ଠି ପରିମାଣକୁ ବହୁଗୁଣିତ କରାଯାଇଛି ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking