17.1 C
Bhubaneswar
Friday, December 19, 2025
Homeଓଡିଶାଓଡିଶା ଗସ୍ତରେ ନ୍ୟାସନାଲ ଡ଼ିଫେନ୍ସ କଲେଜର ୧୭ ଜଣିଆ ପ୍ରତିନିଧି ମଣ୍ଡଳୀ

ଓଡିଶା ଗସ୍ତରେ ନ୍ୟାସନାଲ ଡ଼ିଫେନ୍ସ କଲେଜର ୧୭ ଜଣିଆ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରଠାରେ ନ୍ୟାସନାଲ ଡ଼ିଫେନ୍ସ କଲେଜର ୧୭ ଜଣିଆ ପ୍ରତିନିଧି ମଣ୍ଡଳୀ ଶୈକ୍ଷିକ ଭାରତ ଭ୍ରମଣ ଅବସରରେ ଓଡିଶାକୁ ୪ ଦିନିଆ ଗସ୍ତରେ ଆସିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ପୋଲିସ ବ୍ୟବସ୍ଥା ଓ ତଟ ସୁରକ୍ଷା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। । ଉକ୍ତ ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ରାଜ୍ୟର ପୋଲିସ ବ୍ୟବସ୍ଥାରେ ଆଧୁନିକୀକରଣ, ମାଓ ସମସ୍ୟାର ମୁକାବିଲା, ସଂଗଠିତ ଅପରାଧର ନିରାକରଣ ଓ ରାଜ୍ୟର ତଟବର୍ତ୍ତୀ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମାଓବାଦୀ ବିରୋଧୀ ଅଭିଯାନ ଠାରୁ ଆରମ୍ଭ କରି କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ, ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଏବଂ ପ୍ରତିକାର, ସଡ଼କ ଦୁର୍ଘଟଣା ଏବଂ ଏହାର ନିରାକରଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

୧୯୩୬ ମସିହା ଅପ୍ରେଲ ୧ ତାରିଖରୁ ଓଡିଶା ପୋଲିସ ବାହିନୀ ଗଠନ ହେବା ଠାରୁ ଆରମ୍ଭ କରି ସାମ୍ପ୍ରତିକ ପରିସ୍ଥିତିରେ ପୋଲିସର ଭୁମିକା ସମ୍ପର୍କରେ ପ୍ରତିନିଧିମଣ୍ଡଳୀଙ୍କୁ ଅବଗତ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପୋଲିସ ପ୍ରତି ଆହ୍ୱାନ ଓ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଡିଜିପି ସୂଚନା ପ୍ରଦାନ କରିଥିଲେ। ଏହା ବ୍ୟତୀତ ସଦ୍ୟ ସମାପ୍ତ ହୋଇଥିବା ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡିଶା ଭଳି ମେଗା ଇଭେଣ୍ଟକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରେ ଓଡିଶା ପୋଲିସ ମୁଖ୍ୟ ଭୁମିକା ଗ୍ରହଣ କରିଥିଲା। ପୋଲିସର ଭୁମିକାକୁ ପ୍ରତିନିଧି ମଣ୍ଡଳୀ ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ ଏହି ପ୍ରତିନିଧିମଣ୍ଡଳୀରେ ବ୍ରାଜିଲ, ଭୁଟାନ, ଦକ୍ଷିଣ ଆଫ୍ରିକା, ନେପାଳ, ବଙ୍ଗଳାଦେଶ ଆଦି ଦେଶର ପ୍ରତିନିଧିଗଣ ସାମିଲ ହୋଇଥିଲେ। ଏହା ବ୍ୟତୀତ ଭାରତୀୟ ନୌସେନା, ଭାରତୀୟ ବାୟୁସେନା ଏବଂ ସ୍ଥଳ ବାହିନୀର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସ୍ୱତନ୍ତ୍ର ଡିଜିପି କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର. ପି କୋଚେ, ବିପିଏସପିଏ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା, ଏସସିଆରବି ନିର୍ଦ୍ଦେଶକ ଡ଼ଃ ସନ୍ତୋଷ ୍ୱାଲା, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଏସଏପି) ଶ୍ରୀ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ପ୍ରୋଭିଜନିଂ) ଶ୍ରୀ ଯତୀନ୍ଦ୍ର କୋୟଲ, ଆଇଜି ( କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର, ଆଇଜି ( ଅପରେସନ) ଶ୍ରୀ ଜୟ ନାରାୟଣ ପଙ୍କଜଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking