20.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି

ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି

 ବାର୍ଷିକ ୧୫ ହଜାର କିମି ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତା
 ରାସ୍ତାକଡ଼ରେ ନିର୍ମାଣ ହେବ ୟୁଟିଲିଟି କରିଡ଼ର
 ଗ୍ରାମାଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ରହିବ ଅର୍ଥ ବ୍ୟବସ୍ଥା
 ନିୟମିତ ରାସ୍ତାର ସ୍ଥିତି ଯାଞ୍ଚ ମରାମତି ପାଇଁ ହେବ ବ୍ୟବସ୍ଥା
 ରାସ୍ତା ଦୁର୍ଘଟଣା ଏଡ଼ାଇବା ପାଇଁ ନୀତିରେ ରହିବ ସ୍ୱତନ୍ତ୍ର ପ୍ରାବଧାନ

ଭୁବନେଶ୍ୱର: ରାଜ୍ୟରେ ରାସ୍ତାଘାଟର ନିର୍ମାଣ, ମରାମତି ଏବଂ ଉନ୍ନତିକରଣ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଆଇନ୍‌, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ, ରାଜ୍ୟ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଗମନାଗମନ ସୁବିଧାକୁ କିଭଳି ଅଧିକ ଉନ୍ନତ ଏବଂ ଶୃଙ୍ଖଳିତ କରି ହେବ ସେଥିନେଇ ଆଲୋଚନା ହୋଇଥିଲା । ଏଥିରେ ବାର୍ଷିକ ୧୫ ହଜାର କିଲୋମିଟର ହିସାବରେ ଆସନ୍ତା ୫ ବର୍ଷରେ ୭୫ ହାଜର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗର ରାସ୍ତା ଓ ସେତୁ ଅନ୍ତର୍ଭୁକ୍ତ । ସମ୍ପ୍ରତି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ପାଣି ପାଇପ୍‌, ବିଜଳି ଲାଇନ୍‌, ଟେଲିଫୋନ୍‌ ଇଣ୍ଟରନେଟ୍‌ କେବୁଲ ଆଦି ବିଛାଇବା ପାଇଁ ଭଲଥିବା ରାସ୍ତାକୁ ବାରମ୍ବାର ଖୋଳି ଦିଆଯାଉଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ବିଭିନ୍ନ ରାସ୍ତାକଡ଼ରେ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ କରାଯିବ ।

ଏଥି ସହିତ ରାସ୍ତା ସମ୍ପ୍ରସାରଣ ସମୟରେ ଯେପରି ଗଛ କାଟିବାକୁ ନପଡ଼େ ସେହିଭଳି ଭାବେ ଚାରାରୋପଣ ପାଇଁ ବ୍ୟବସ୍ଥା କରାଯିବ । ତେବେ ଆବଶ୍ୟକସ୍ଥଳେ ପୁରୁଣା ତଥା ବଡ଼ ବଡ଼ ଗଛକୁ ନ କାଟି ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇପାରିବ ତହା ଉପରେ ନୀତିରେ ବ୍ୟବସ୍ଥା ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା କ୍ଷୁଦ୍ର, ମାଧ୍ୟମ ଏବଂ ଦୀର୍ଘ ସେତୁ ନିର୍ମାଣ ଶୈଳୀ ଓ ଏହାର ମାନ କିଭଳି ହେବ ସେଥି ନେଇ ଏହି ନୀତିରେ ଉଲ୍ଲେଖ ରହିବ I ଅନେକ ସମୟରେ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣବେଳେ ଜମି ଅଧିଗ୍ରହଣ ନେଇ ସମସ୍ୟା ଉପୁଜୁ ଥିବାରୁ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ରହିବ ।

ଏଥିସହିତ କେବଳ ନୂଆ ରାସ୍ତା ନିର୍ମାଣ ନୁହେଁ ପୁରୁଣା ରାସ୍ତାର ନିୟମିତ ଯାଞ୍ଚ ଏବଂ ମରାମତି କରାଯିବ । ମୌସୁମୀ ଏବଂ ମୌସୁମୀ ପୂର୍ବ ଓ ପରବର୍ତ୍ତୀ ସମୟରେ ରାସ୍ତା ଯାଞ୍ଚ ତଥା ମରାମତି ଉପରେ ଧ୍ୟାନ ଦିଆଯିବ । ରାସ୍ତା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ନିର୍ମାଣ ଶୈଳୀକୁ ଆପଣାଇବା ସହ ରାସ୍ତା ନିର୍ମାଣ ସମୟରେ ପରିବେଶକୁ ଗୁରୁତ୍ୱ ଦେବା ସହ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ବର୍ଜ୍ୟବସ୍ତୁକୁ କିଭଳି ରାସ୍ତା ନିର୍ମାଣ ଉପଯୋଗ କରାଯାଇପାରିବ ସେଥିନେଇ ସମୀକ୍ଷା ବୈଠକ ଆଲୋଚନା ହୋଇଥିଲା । ଏହି ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରିଶ ଏସ୍‌.ଏନ୍‌, ରାଜ୍ୟ ପରିବହନ ପ୍ରାଧିକରଣର କମିଶନର ଅମିତାଭ ଠାକୁର, ଇଆଇସି ସିଭିଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡ. ମହେଶ୍ଵର ସ୍ଵାଇଁ, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ଯକ୍ଷ ଶ୍ରୀ ଏନ୍ ତିରୁମାଲା ନାଏକଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking