26.1 C
Bhubaneswar
Tuesday, March 24, 2026
Homeଓଡିଶାଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଓଡିଶା ସହିତ ହାତ ମିଳାନ୍ତୁ: ସ୍ୱାସ୍ଥ୍ୟ ଏବଂ ପରିବାର...

ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଓଡିଶା ସହିତ ହାତ ମିଳାନ୍ତୁ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୫ରେ ସ୍ୱାସ୍ଥ୍ୟ, ଫାର୍ମା ଏବଂ ବାୟୋଟେକ୍ନୋଲୋଜି ଉପରେ ଶୀର୍ଷକ ଅଧିବେଶନ ଆଜି ଆୟୋଜିତ ହୋଇଯାଇଛି । ଏହି ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ କାରିଗରୀ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ “ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି, ଯାହାଦ୍ୱାରା ଓଡିଶାର ଆର୍ଥିକ-ସାମାଜିକ ସ୍ଥିତିରେ ଆଶାତୀତ ଉନ୍ନତି ଆସିବ । ଶିଳ୍ପ, ଏକାଡେମୀ ଏବଂ ସମାଜ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରି ଉଭୟ ମୌଳିକ ଏବଂ ପ୍ରୟୋଗିକ ଗବେଷଣା ତଥା ବୈଷୟିକ ଜ୍ଞାନକୌଶଳ ଉପରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସରକାର ଓଡିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪ ପ୍ରଣୟନ କରିଛନ୍ତି । ଯାହା ନିବେଶକ ମାନଙ୍କୁ ଆକୃଷ୍ଟ କରୁଛି ।

ରାଜ୍ୟର ଅସୀମ ସୁଯୋଗ ଏବଂ ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଉତ୍କର୍ଷ ଓଡ଼ିଶା ହେଉଛି ଏକ ଉପଯୁକ୍ତ ପ୍ଲାଟଫର୍ମ । ଆଜି ଓଡିଶା ନବସୃଜନ ଏବଂ ପୁଞ୍ଜି ବିନିଯୋଗର ଏକ ହବ୍ ଭାବରେ ଉଭା ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି । ଓଡିଶା ସରକାରଙ୍କ ବିକଶିତ ଓଡ଼ିଶା- ୨୦୩୬ର ସ୍ବପ୍ନକୁ ସାକାର କରିବାକୁ ହେଲେ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସରକାରଙ୍କ ସହ ହାତ ମେଳାଇବା ଦରକାର । ସରକାରଙ୍କ ପ୍ରକୃତ ଲକ୍ଷ୍ୟ ହେଉଛି ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଉଲ୍ଲେଖ କରିଛନ୍ତି । ସୁପର ସ୍ପେସିଆଲିଟି ହସ୍ପିଟାଲ, ବହୁ-ସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ସୁଲଭ ଓ ଗୁଣାତ୍ମକ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣର ସ୍ୱଦେଶୀ ଉତ୍ପାଦନ ଉପରେ ଓଡିଶା ସରକାରଙ୍କ ଧ୍ୟାନ କେନ୍ଦ୍ରୀଭୂତ ବୋଲି ସେ କହିଛନ୍ତି ।

ଏହି ପରିପ୍ରେକ୍ଷିରେ ଡା. ମାନସ ରଞ୍ଜନ ସାହୁ , କୁଳପତି , ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ପ୍ରଫେସର ସରୋଜ କାନ୍ତ ମିଶ୍ର , ଡା. ଅମୂଲ୍ୟ ପଣ୍ଡା, ପ୍ରଫେସର ଅରୁଣ କୁମାର ଦାସ ବକ୍ତା ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ, ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡିଶାକୁ ଏକ ଉତ୍କର୍ଷ ରାଜ୍ୟ ରୂପେ ପରିଗଣିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ଓଡିଶାରେ ସମ୍ପ୍ରତି ୧୨ ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ପାଇପଲାଇନରେ ଆଉ ୨ ଟି ମେଡିକାଲ କଲେଜ ରହିଛି, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡିଶା ଦ୍ରୁତଗତିରେ ଅଗ୍ରଗତି କରୁଛି । ଏଥିସହ ୮ ଟି ନର୍ସିଂ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ପାଇପଲାଇନରେ ଆଉ ୭ ଟି ନର୍ସିଂ କଲେଜ ରହିଛି ।

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଏବଂ ଜନବହୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ଡାଏଲିସିସ୍ ସେବା ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ସରକାର ୫ ,୦୦୦ ଡାକ୍ତର ଏବଂ ୧,୨୦୦ ନର୍ସ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଅଧିବେଶନରେ ଦେଶର ୦୯ ଗୋଟି ଅଗ୍ରଣୀ କମ୍ପାନୀ ଓଡିଶାରେ ପ୍ରାୟ ୪୩୪୯ କୋଟି ଟଙ୍କା ନିବେଶ କରିବା ପାଇଁ ମନ ବଳେଇଛନ୍ତି । ଏହା ଓଡ଼ିଶାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା, ଫାର୍ମାସ୍ୟୁଟିକାଲ୍ ଏବଂ ବାୟୋଟେକ୍ନୋଲୋଜି ମାନୁଫାକ୍ଚୁରିଂ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା ସହିତ ବିକଶିତ ଓଡିଶା ୨୦୩୬ ର ଲକ୍ଷ୍ୟ ହାସଲ ପାଇଁ ସହାୟକ ହେବ । ଏହି ଅଧିବେଶନରେ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁଗମ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ. ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking