16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆପ୍‌-ବିଜେପି ଆରୋପ ପ୍ରତ୍ୟାରୋପ; ଆପ୍ ଯୋଗୁ ୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ

ଆପ୍‌-ବିଜେପି ଆରୋପ ପ୍ରତ୍ୟାରୋପ; ଆପ୍ ଯୋଗୁ ୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ

ନୂଆଦିଲ୍ଲୀ: ଲିକ୍ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି ଏବେ କ୍ଷମତାସୀନ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସରକାରକୁ ଘେରିବା ଆରମ୍ଭ କରିଛି। ବିଜେପି କହିଛି ଆପ୍ ସରକାର ଦିଲ୍ଲୀରେ ଅବକାରୀ ନୀତି ଲାଗୁ କରିବା ଯୋଗୁ ରାଜ୍ୟବାସୀ ପ୍ରାୟ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି। ଏତଦ୍‌ବ୍ୟତୀତ ଆପ୍ ପକ୍ଷରୁ କରାଯାଇଥିବା ଅନ୍ୟ ଦୁର୍ନୀତି ଯୋଗୁ ମଧ୍ୟ ଦିଲ୍ଲୀ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇଛି।

ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, “୨୦୨୫ ଆର୍ôଥକ ବର୍ଷରେ ଅବକାରୀ ନୀତି ଦୁର୍ନୀତି ହୋଇଛି। ଏଥିଯୋଗୁ ଦିଲ୍ଲୀର ୨୦୨୬ କୋଟିର ରାଜସ୍ୱହାନୀ ଘଟିଛି। ସେହିପରି ଆମ୍ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ପାଠଶାଲା ଯୋଜନା ଅନ୍ତର୍ଗତ ସ୍କୁଲ ତିଆରି କରିବ ବୋଲି କହିଥିଲା। କିନ୍ତୁ ସ୍କୁଲ ବଦଳରେ ମଦ ଦୋକାନଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ପାଠଶାଲା ବଦଳରେ ଦିଲ୍ଲୀକୁ ମଧୁଶାଳାରେ ପରିଣତ କରିଦେଇଛି ଆପ୍‌। ଆମ୍ ଆଦ୍‌ମୀ ଦିଲ୍ଲୀରେ ସଫେଇ ଅଭିଯାନ ସମ୍ପର୍କରେ କହୁଥିଲା କିନ୍ତୁ ଦିଲ୍ଲୀବାସୀଙ୍କ ଉପରେ ନିଶାଖୋରଙ୍କ ପ୍ରାଦୁର୍ଭାବକୁ ବୃଦ୍ଧି କରିଦେଲେ। ଆପ୍‌ର ୧୦ ବର୍ଷର ଯାତ୍ରା କେବଳ ଦୁର୍ନୀତି ଓ ପାପରେ ଭର୍ତ୍ତି ହୋଇଛି। ସ୍ୱାଧୀନ ଭାରତରେ ଗୋଟିଏ ସରକାରର ୮ ଜଣ ମନ୍ତ୍ରୀ, ୧୫ ବିଧାୟକ ଓ ଜଣେ ସାଂସଦଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜେଲ ଯିବା ନିଶ୍ଚିତ ରୂପେ ଚିନ୍ତାଜନକ ଘଟଣା। ଏଭଳି ସରକାରଙ୍କୁ ବିଦାୟ ରାସ୍ତା ଦେଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦୁର୍ନୀତିର କିଙ୍ଗପିନ୍ ବୋଲି ଅଭିହିତ କରିଛନ୍ତି ଅନୁରାଗ ଠାକୁର। ସେହିପରି ଦୁର୍ନୀତି ବିରୋଧରେ ଆନ୍ଦୋଳନ କରି କରି ନିଜେ ଦୁର୍ନୀତିଗ୍ରସ୍ତ ହୋଇଗଲେ ବୋଲି କେଜ୍ରିୱାଲ୍‌ଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଆନ୍ନା ହଜାରେଙ୍କ ଭଳି ଗାନ୍ଧିବାଦୀ ବ୍ୟକ୍ତିଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ପରବର୍ତ୍ତୀ ସମୟରେ କ୍ଷମତାକୁ ଆସିଥିବା ଲୋକ ହିଁ ଦୁର୍ନୀତିର ରେକର୍ଡ ଭାଙ୍ଗିଛନ୍ତି ବୋଲି ଶାହ କହିଛନ୍ତି। ଶନିବାର ଏଠାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଶାହ ଏପରି କହିଛନ୍ତି। ଶାହ ନିଜ ସମ୍ବୋଧନରେ କହିଛନ୍ତି ଫେବ୍ରୁଆରି ୫ ହେଉଛି ଦିଲ୍ଲୀ ବିପର୍ଯ୍ୟୟର ମୁକ୍ତି ଦିବସ। ଫେବ୍ରୁଆରି ୫ ହେଉଛି ସମ୍ବେଦନହୀନ ଓ ମିଥ୍ୟା ସରକାରଙ୍କ କବଳରୁ ମୁକ୍ତିର ଦିନ। ଦିଲ୍ଲୀବାସୀ ହିଁ ଦିଲ୍ଲୀର ମୁକ୍ତିଦାତା ହୋଇପାରିବେ। ଆପ୍ ଦିଲ୍ଲୀ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି। ଏହାକୁ ହଟାଇବା ଜରୁରି ହୋଇପଡିଛି।”

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ଭୋଟ ହେବ। ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ଆପ୍ ଏବଂ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ, ବାକ୍ ଯୁଦ୍ଧ, ପୋଷ୍ଟର ଯୁଦ୍ଧ ସେତେସେତେ ତୀବ୍ର ହେବାରେ ଲାଗିଛି। ଦିନକ ପୂର୍ବେ ଉଭୟ ଦଳ ପରସ୍ପର ପ୍ରତି କଟାକ୍ଷ ପୂର୍ଣ୍ଣ ପୋଷ୍ଟର ଜାରି କରିଥିଲେ। ଆପ୍ ପକ୍ଷରୁ ବିଜେପି ବିରୋଧରେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ଗାଲିବାଜ ଦାନବ’ ରଖାଯାଇଥିବା ବେଳେ ଏଥିରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଥିବାର ଦେଖିବାକୁ ମିଳିଛି। ସେହିପରି ବିଜେପି ପକ୍ଷରୁ କେଜ୍ରିୱାଲଙ୍କ ଫଟୋ ଥିବା ପୋଷ୍ଟର ଜାରି କରାଯାଇଥିବା ବେଳେ ବିଜେପି ଏହାର ଶୀର୍ଷକ “ପୂର୍ବାଞ୍ଚଳର ସମାଜ କା ଅପମାନ, ଶିସମହଲ କେ ନୱାବ କେଜ୍ରିୱାଲ କି ପେହେଚାନ’ ରଖାଯାଇଛି। କେଜ୍ରିୱାଲଙ୍କୁ ପୂର୍ବାଞ୍ଚଳର ଶତ୍ରୁ ବୋଲି ବିଜେପି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking