ଭୁବନେଶ୍ୱର: ବଢିବ ତାପମାତ୍ରା । କମିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ତେବେ ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଫଳରେ ଶୀତ କମିବ । ହାଲୁକା ଶୀତ ସହ କଲବଲ କରିବ ଘନ କୁହୁଡି । ୯ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ ଓ କନ୍ଧମାଳ ଘନ କୁହୁଡି ଅନୁଭୁତ ହେବ । ଆଜି (ବୁଧବାର) କେନ୍ଦୁଝର, ଝାରସୁଗୁଡା, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଥିଲା । ସେହିପରି ୯ ତାରିଖ ବା ଆସନ୍ତାକାଲି ଅନୁଗୋଳ,ଢେଙ୍କାନାଳ, କଳାହାଣ୍ଡି, ରାୟଗଡା ଓ ଝାରସୁଗୁଡାରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି ।
ସେହିପରି ୧୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳ ଭାବରେ ଝାରସୁଗୁଡା ଓ ରାଉରକେଲାରେ ସର୍ବନିମ୍ନ ୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରି ଓ ଶିମିଳିଗୁଡ଼ାରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟ୍ୱିନସିଟି କଟକରେ ୧୫.୦ ଡ଼ିଗ୍ରୀ ଏବଂ ଭୁବନେଶ୍ବରରେ ୧୫.୩ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ପାରାଦୀପ ଓ ଭବାନୀପାଟଣାରେ ଅତି ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ କେନ୍ଦୁଝରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।










