19.1 C
Bhubaneswar
Tuesday, February 10, 2026
Homeଓଡିଶାବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ: ଜଣେ ବି ଚାଷୀ ଯେପରି କ୍ଷୟକ୍ଷତିରୁ ବଞ୍ଚିତ ନ ହୁଅନ୍ତି

ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ: ଜଣେ ବି ଚାଷୀ ଯେପରି କ୍ଷୟକ୍ଷତିରୁ ବଞ୍ଚିତ ନ ହୁଅନ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ଯେପରି ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସମୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଏଥି ସହିତ  ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ । ବୀମା କରିଥିବା ଓ ବୀମା ନକରିଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯଥାଶୀଘ୍ର  DBT ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୀମା କରିଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟ କ୍ଷତି ସଂପର୍କରେ ବୀମା କମ୍ପାନୀ ମାନଙ୍କୁ ସୂଚନା ଦେବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ । ବୈଠକର ସୂଚନାରୁ ଜଣାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି (ରବିବାର) ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ ।  ଏହା ସହିତ ବିଭିନ୍ନ ଜିଲ୍ଲାର ପଞ୍ଜୀକୃତ ଚାଷୀ ଭାଇ ଓ ଭଉଣୀ ମାନେ ଅଦିନିଆ ବର୍ଷା  ଜନିତ  ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ”  ପୋର୍ଟାଲ ମାଧ୍ୟମରେ କିମ୍ବା  ୧୪୪୪୭ କୁ କଲ୍ କରି ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
https://www.youtube.com/watch?v=EbufakOalok
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking