18.1 C
Bhubaneswar
Monday, December 15, 2025
Homeଦେଶ ବିଦେଶପପ୍‌କର୍ଣ୍ଣରେ ଜିଏସ୍‌ଟି: ସମାଲୋଚନାର କାଠଗଡ଼ାରେ କେନ୍ଦ୍ର ସରକାର

ପପ୍‌କର୍ଣ୍ଣରେ ଜିଏସ୍‌ଟି: ସମାଲୋଚନାର କାଠଗଡ଼ାରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ଜିଏସ୍‌ଟି ପରିଷଦ ବୈଠକରେ ନିଆଯାଇଥିବା କେତେକ ନିଷ୍ପତ୍ତି ମଧ୍ୟରୁ ମଲ୍ଟିପ୍ଲେକ୍ସରେ ବିକ୍ରି ହେଉଥିବା ପପ୍‌କର୍ଣ୍ଣ ଉପରେ ନୂଆ ଟିକସ ଲାଗୁ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନ୍ତର୍ଗତ ବିଭିନ୍ନ ପ୍ରକାର ପପ୍‌କର୍ଣ୍ଣ ଉପରେ ଭିନ୍ନ ଭିନ୍ନ ଜିଏସ୍‌ଟି ଲାଗୁ କରାଯିବ ବୋଲି ପରିଷଦ ନିଷ୍ପତ୍ତି ନେଇଛି। ତେବେ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ତୀବ୍ରତର ହେବାରେ ଲାଗିଛି।

ଜିଏସ୍‌ଟି ପରିଷଦ ବୈଠକ ପରେ ପରେ ବିଭିନ୍ନ ଫ୍ଲେଭରର ପପ୍‌ପର୍ଣ୍ଣ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ତୁରନ୍ତ ପ୍ରଭାବୀ ଭାବେ ଲାଗୁ ହୋଇଛି। ସାଦା ପପ୍‌କର୍ଣ୍ଣ ଉପରେ ୫% ଜିଏସ୍‌ଟି ଲାଗୁ ହୋଇଥିବାବେଳେ ବ୍ରାଣ୍ଡେଡ୍ ପପ୍‌କର୍ଣ୍ଣ ଉପରେ ୧୨% ଏବଂ କାରାମେଲ୍ ବା ଶର୍କରାଯୁକ୍ତ ପପ୍‌କର୍ଣ୍ଣ ଉପରେ ୧୮% ଜିଏସ୍‌ଟି ଧାର୍ଯ୍ୟ ହୋଇଛି। ପୂର୍ବତନ ଅର୍ଥନୈତିକ ଉପଦେଷ୍ଟାମାନେ ଜିଏସ୍‌ଟି ପରିଷଦର ଏହି ନିଷ୍ପତ୍ତିକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ସରକାର ଏପର୍ଯ୍ୟନ୍ତ କୌଣସି ସଫେଇ ଦେଇନାହାନ୍ତି। ସେହିପରି ଚିନି ଓ ମସଲାଯୁକ୍ତ ପପ୍‌କର୍ଣ୍ଣ ଉପରେ ଭିନ୍ନ ଟିକସ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ସୋସିଆଲ ମିଡିଆରେ ଉତ୍ତେଜନା ପ୍ରକାଶ ପାଇଛି। ୨୦୧୭ରେ ଲାଗୁ ହୋଇଥିବା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାକୁ ନେଇ ୨ ଜଣ ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ପ୍ରଶ୍ନ ଉଠାଇଛନ୍ତି।

ଜଟିଳତା ଏକ ଅମଲାତନ୍ତ୍ରୀ ଆନନ୍ଦ ହୋଇଥିବାବେଳେ ନାଗରିକଙ୍କ ପାଇଁ ଅତ୍ୟନ୍ତ କଟୁ ଅନୁଭବ ବୋଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନ୍ ନିଜ ଏକ୍ସ’ରେ ଲେଖିଛନ୍ତି। ସେ ଏଭଳି ନିଷ୍ପତ୍ତିର ବାସ୍ତବତାକୁ ନେଇ ପ୍ରଶ୍ନ କରିଛନ୍ତି। ଅନ୍ୟତମ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍ କହିଛନ୍ତି, ସରଳତା ଦିଗରେ ନ ଯାଇ ଆମେ ଅଧିକ ଜଟିଳତା ଦିଗକୁ ଢଳୁଛେ। ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ଏବଂ ଅବାସ୍ତବ ବୋଲି ସେ କହିଛନ୍ତି। ଜିଏସ୍‌ଟି ଅଧୀନରେ ପପ୍‌କର୍ଣ୍ଣ ଉପରେ ୩ ପ୍ରକାର ଟିକସ ସ୍ଲାବ୍ ଲାଗୁ କରିବା ଏକ ବଡ଼ ମୂର୍ଖତା, ଯାହା ଟିକସ ବ୍ୟବସ୍ଥାରେ ବଢ଼ୁଥିବା ଜଟିଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ପ୍ରକାଶ, ବିରୋଧୀ ରାଜନେତା, ଅର୍ଥନୀତିଜ୍ଞ ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମର୍ଥକମାନେ ମଧ୍ୟ ଏଭଳି ଟିକସ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking