21.1 C
Bhubaneswar
Tuesday, February 24, 2026
Homeଅପରାଧସଢ଼ୁକୁ ହତ୍ୟାକରି ଶ୍ମଶାନରେ ପୋତିଦେଲା ସଢ଼ୁ

ସଢ଼ୁକୁ ହତ୍ୟାକରି ଶ୍ମଶାନରେ ପୋତିଦେଲା ସଢ଼ୁ

କଟକ: ସଢ଼ୁକୁ ହତ୍ୟାକରି ଶ୍ମଶାନରେ ପୋତିଦେଇଛି ସଢ଼ୁ। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରାଯାଇଛି। ମୃତକଙ୍କ ପ୍ରଥମ ପତ୍ନୀ ଏଭଳି ସଂଗିନ୍ ଅଭିଯୋଗ କରିବାରୁ ଆଜି ବାରଙ୍ଗ ଥାନା ପୁଲିସ ଶ୍ମଶାନରୁ ମାଟିତଳୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ରହସ୍ୟମୟ ଘଟଣାଟି ଆଜି ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ରତାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଖବର ଅନୁସାରେ ଚନ୍ଦକା ଅଳସୁଆ ଗାଁର ରଜନୀକାନ୍ତ ବେହେରା ପ୍ରଥମ ସ୍ତ୍ରୀ ପ୍ରମିଳାଙ୍କୁ ଛାଡ଼ି ରତାଗଡ଼ରେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରଠୁ ପ୍ରାୟ ୧୦ ବର୍ଷ ହେଲା ରଜନୀକାନ୍ତ ରତାଗଡ଼ରେ ନିଜ ବଡ଼ ସଢ଼ୁ କାଳିଆ ସାମଲ ଘର ପାଖରେ ଭଡ଼ାଘର ନେଇ ରହୁଥିଲେ।

ସେବେଠୁ ସେ ପ୍ରଥମ ପତ୍ନୀଙ୍କ ସମେତ ନିଜ ପରିବାର ସହ ସବୁ ସମ୍ପର୍କ ତୁଟାଇଦେଇଥିଲେ। ଗତକାଲି ସନ୍ଧ୍ୟାରେ ପ୍ରଥମ ପତ୍ନୀ ପ୍ରମିଳା ରଜନୀକାନ୍ତଙ୍କ ମୃତ୍ୟୁ ଖବର ପାଇଥିଲେ। କୌଣସି ଟ୍ରେନ୍ ଧକ୍କାରେ ରଜନୀକାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରମିଳାଙ୍କୁ ଖବର ମିଳିଥିଲା। ରାତି ପ୍ରାୟ ୧୧ଟାରେ ପ୍ରମିଳା ରତାଗଡ଼ରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ବଡ଼ସଢ଼ୁ କାଳିଆ ଶବକୁ ଶ୍ମଶାନରେ ପୋତି ଦେଇଥିବା କହିଥିଲା। ଟ୍ରେନ୍ ଧକ୍କାରେ ମୃତ୍ୟୁ ହେଲା ପରେ ଶବ ବ୍ୟବଚ୍ଛେଦ କାହିଁକି କରାଗଲା ନାହିଁ ବୋଲି ପ୍ରମିଳା ପଚାରିବାରୁ କାଳିଆ ତାଙ୍କୁ ସନ୍ତୋଷଜନକ ଉତ୍ତର ଦେଇନଥିଲା। ପାଲଟା ଏଣୁତେଣୁ କହି ଘଉଡ଼ାଇଦେଇଥିଲା। ତେଣୁ ପ୍ରମିଳାଙ୍କର ସନ୍ଦେହ ହୋଇଥିଲା। ରଜନୀକାନ୍ତଙ୍କୁ ମାରି ପୋତିଦିଆଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଥିଲେ। ପ୍ରମିଳାଙ୍କ ଅଭିଯୋଗ ଅନୁସାରେ ରଜନୀକାନ୍ତ ଓ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା।

ସବୁବେଳେ ଝଗଡ଼ା ହେଉଥିଲା। ତେଣୁ ତାଙ୍କୁ ମାରିଦେବା ପରେ ଟ୍ରେନ୍ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ତେଣୁ ପୁଲିସ ଉପଯୁକ୍ତ ତଦନ୍ତ କରୁ ବୋଲି ପ୍ରମିଳା ଦାବି କରିଥିଲେ। ପ୍ରମିଳାଙ୍କ ଅଭିଯୋଗ ପରେ ଆଜି ବାରଙ୍ଗ ଥାନା ପୁଲିସ ରତାଗଡ଼ ଶ୍ମଶାନରେ ମାଟି ଖୋଳି ଶବ ବାହାର କରିଛି ଏବଂ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ସେହିଭଳି ପୁଲିସ ଶ୍ମଶାନରୁ ରଜନୀକାନ୍ତଙ୍କ ପୋଷାକପତ୍ର ଜବତ କରିଛି। ଏଥିସହିତ କାଳିଆକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସକୁ କାଳିଆ ଦେଇଥିବା ସୂଚନାନୁସାରେ ଗତକାଲି ରଜନୀକାନ୍ତ ରାଗରେ ଘରୁ ପଳାଇଥିଲେ। ଅପରାହ୍ଣରେ ତାଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ଖବର ପାଇ ସେ ଶବ ନେଇଆସିଥିଲେ ଏବଂ ରଜନୀକାନ୍ତଙ୍କ ଭାଇକୁ ଖବର ଜଣାଇଥିଲେ। କିନ୍ତୁ ସେ ଆସିବାକୁ ମନା କରିବାରୁ ଶବକୁ ଶ୍ମଶାନରେ ପୋତିଦେଇଥିଲେ। ପୁଲିସ ସୂଚନାନୁସାରେ ରଜନୀକାନ୍ତଙ୍କ ମୁହଁରେ ଶକ୍ତ ଆଘାତର ଚିହ୍ନ ରହିଛି। କିନ୍ତୁ ତାହା ଟ୍ରେନ୍ ଧକ୍କାରୁ କି ଅନ୍ୟ କୌଣସି କାରଣରୁ ହୋଇଛି ସ୍ପଷ୍ଟ ହୋଇନାହିଁ। ଟ୍ରେନ୍ ଧକ୍କା ସମ୍ପର୍କରେ ଜାଣିବାକୁ ରେଳବାଇ ପୁଲିସ ସହ ଯୋଗାଯୋଗ କରାଯାଇଛି। ସେହିଭଳି ପୁଲିସ ରେଳଧାରଣାକୁ ଯାଇ ଛାନ୍‌ଭିନ୍ କରିବା ସହ ଶବ ଦେଖିଥିବା ଲୋକଙ୍କୁ ପଚରାଉଚରା କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ସରିବା ପରେ ରଜନୀକାନ୍ତଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking