29.1 C
Bhubaneswar
Monday, March 23, 2026
Homeଓଡିଶାବିଧାୟକଙ୍କ ଦରମା, ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପାଇଁ ନୂଆ କମିଟି ଗଠନ

ବିଧାୟକଙ୍କ ଦରମା, ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପାଇଁ ନୂଆ କମିଟି ଗଠନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପାଇଁ ନୂଆ କମିଟି ଗଠନ ହେବ। ଏହି କମିଟିରେ ବିଜେପି ବିଧାୟକ ଭାସ୍କର ମଢ଼େଇ ଅଧ୍ୟକ୍ଷ ରହିବେ। ଏହି କମିଟିରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ଏବଂ ରିପୋର୍ଟ ପ୍ରସ୍ତୁତ କରାଯିବ। ଏନେଇ ମଙ୍ଗଳବାର ଗୃହରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ସେହିପରି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେ, ନିହାର ମହାନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ସେଠି ସଦସ୍ୟ ରହିବେ। ବିଧାନସଭା ଶୂନ୍ୟକାଳରେ ଆଜି ବିଧାୟକମାନଙ୍କର ଦରମା ଓ ପୂର୍ବତନ ବିଧାୟକମାନଙ୍କର ପେନସନ୍ ବୃଦ୍ଧି ଦାବି କରିଥିଲେ।

ଏଥିସହ ବିଧାୟକମାନଙ୍କର ପାଣ୍ଠିକୁ ମଧ୍ୟ ୩ରୁ ୫ କୋଟିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବଜାର ଦରଦାମ ସହ ସ୍ୱାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ, ତେଣୁ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ। ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା। ବିରୋଧୀ ଦଳ ଉପମୁଖ୍ୟ ସଚେତକ ଥିବା ପ୍ରତାପ ଦେବ ମଧ୍ୟ ସେହି ସମାନ ଢଙ୍ଗରେ କହିଥିଲେ ଯେ, ବିଧାୟକ ଉନ୍ନୟନ ପାଣ୍ଠି ୩ କୋଟି ଟଙ୍କା ଦିଆଯାଉଛି। କିନ୍ତୁ ୩ କୋଟି ଟଙ୍କା ଯଥେଷ୍ଟ ନୁହେଁ। ଏମଏଲଏ ପାଣ୍ଠିକୁ ୫ କୋଟି ଟଙ୍କା କରାଯାଉ।

ବିଜେଡି ବିଧାୟକଙ୍କ ଦାବିକୁ କଂଗେସ ସମର୍ଥନ ଦେଇଥିଲା। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଯେ, ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ। ସେମାନେ ଅବସର ପରେ ବି କୋଠା ଘରେ ରହୁଛନ୍ତି। କିନ୍ତୁ ବିଧାୟକ ମାନଙ୍କର ହୃଦୟ ନିର୍ମଳ, ପ୍ୟାକେଟ ଖାଲି। ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ବିଧାୟକମାନଙ୍କୁ ଦାବି ଜଣାଉଛନ୍ତି। ତେଣୁ ଏମଏଲଏ ପାଣ୍ଠିକୁ ବୃଦ୍ଧି କରି ୫ କୋଟି କରାଯାଉ। ଏଥିସହ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ମଧ୍ୟ ୨୦ ଲକ୍ଷକୁ ବୃଦ୍ଧି କରାଯାଉ ବୋଲି ତାରା ଦାବି କରିଥିଲେ। ବିଜେପି ବିଧାୟକ ଭାସ୍କର ମଢେଇଙ୍କ ସହ ସନାତନ ବିଜୁଳି ମଧ୍ୟ ଏହାକୁ ସମର୍ଥନ ଦେଇଥିଲେ। ସନାତନ କହିଥିଲେ ଯେ, ବିଧାୟକମାନଙ୍କ ଆନୁଷଙ୍ଗିକ ଖର୍ଚ୍ଚ ଅନୁସାରେ ଦରମା ବହୁତ କମ। ତେଣୁ କମିଟି ସୁପାରିଶ ଅନୁସାରେ ବିଧାୟକମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ। ଶେଷରେ ଏହା ଉପରେ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢୀ କହିଥିଲେ ଯେ, ବିଧାୟକ ମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହେଉଛି। ତେଣୁ ବିଧାୟକମାନଙ୍କ ଦରମା, ପୂର୍ବତନ ବିଧାୟକମାନଙ୍କ ପେନସନ ଓ ଏମଏଲଏ ପାଣ୍ଠି ବୃଦ୍ଧି ଦାବି ସମୟର ଆବଶ୍ୟକତା ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking