ଭୁବନେଶ୍ୱର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଡା ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ଭୟଙ୍କର ଆକ୍ସନ ନିଆଯିବ ବୋଲି କହିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କିଛି ଲୋକଙ୍କର ଏପର୍ଯ୍ୟନ୍ତ ଦୋଷ ଛାଡ଼ିନି । ଆଜି ବି ସେୟା କରିବାକୁ ଚେଷ୍ଟ କରୁଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ଆମ ସରକାରକୁ ଜଣାଅଛି । କେବଳ ବିଧାୟକ ନୁହେଁ, ସାଧାରଣ ଲୋକଙ୍କ ଉପରେ ବି ଅତ୍ୟାଚାର କଲେ ଫଳ ଭୋଗିବେ । ଏଭଳି ଘଟଣା ଭବିଷ୍ୟତରେ ଯେଭଳି ନହେବ, ସେଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଶକ୍ତ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବିଜେପି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ଏହି ଘଟଣା ପରେ ଜିଲ୍ଲା ରାଜନୀତି କୁଆଡ଼କୁ ଯିବ, ସେ ଉପରେ ଆଲୋଚନା ସାଙ୍ଗକୁ ଦଳ କାଉଣ୍ଟର ଷ୍ଟ୍ରାଟେଜି ନେଇ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।