15.1 C
Bhubaneswar
Friday, December 19, 2025
Homeଓଡିଶାବିଜୟ ସମ୍ଭାବନା ନଥିବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି: ବିଜେଡି

ବିଜୟ ସମ୍ଭାବନା ନଥିବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି: ବିଜେଡି

 ରାଜ୍ୟ ସରକାରଙ୍କ ଚାପରେ ନିର୍ବାଚନ ଅଧିକାରୀ ନିର୍ବାଚନ ସ୍ଥଳରେ ଅନୁପସ୍ଥିତ ରହୁଛନ୍ତି
 ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇନି
 କୁକୁଡ଼ାଖଣ୍ଡିରେ ସମସ୍ତ ବିକାଶମୂଳକ କାମ ଠପ, ଲୋକେ ହନ୍ତସନ୍ତ
ଭୁବନେଶ୍ୱର, : ଗଞ୍ଜାମର କୁକୁଡାଖଣ୍ଡି ପଞ୍ଚାୟତ ସମିତିର ଗତ ଚାରି ମାସ ହେବ ଅଧ୍ୟକ୍ଷ ପଦ ଖାଲି ପଡିଥିଲା ବେଳେ, ଆଜି କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭ୍ୟମାନେ ଓ ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏହି ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛନ୍ତି। ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବା ବେଳେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସରକାରୀ ଦଳର ଏହି ପଦବୀ ପାଇଁ ବିଜୟ ସମ୍ଭାବନା ନଥିବାରୁ, ନିର୍ବାଚନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।
ଡଃ ସାହୁ କହିଥିଲେ, ଗତ ସାଧାରଣ ନିର୍ବାଚନ ପରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦେହାନ୍ତ ହୋଇଥିଲା। ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ସେହି ପଦ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା କଥା, କିନ୍ତୁ ନିର୍ବାଚନ ପାଇଁ କୌଣସି ତତ୍ପରତା ଦେଖାଯାଇ ନଥିଲା। ସେଠାକାର ପଞ୍ଚାୟତ ସମିତିସଭ୍ୟମାନେ ନିର୍ବାଚନ କରିବା ପାଇଁ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ମାମଲାର ଶୁଣାଣି କରିବା ପରେ, ଉଚ୍ଚ ନ୍ୟାୟାଳୟ ତୁରନ୍ତ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକୁ ଇତିମଧ୍ୟରେ ଚାଳିଶ ଦିନ ବିତିଯାଇଥିଲେ ମଧ୍ୟ ନିର୍ବାଚନ କରାଯାଇନାହିଁ। ଦୁଇ ଦୁଇ ଥର ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ନଆସିବାରୁ ନିର୍ବାଚନ ହୋଇପାରି ନାହିଁ।
ଡଃ ସାହୁ କହିଥିଲେ, ଯେଉଁ ସ୍ଥାନରେ ସରକାରୀ ଦଳର ବିଜୟ ସମ୍ଭାବନା ଅଛି କେବଳ ସେହି ସ୍ଥାନରେ ନିର୍ବାଚନ ହୋଇଯାଉଛି ଓ ଯେଉଁ ସ୍ଥାନରେ ସରକାରୀ ଦଳର ବିଜୟ ସମ୍ଭାବନା ନାହିଁ, ସେହି ସ୍ଥାନରେ ସରକାରଙ୍କ ଚାପରେ ଅଧିକାରୀମାନେ ଆସୁନାହାନ୍ତି। ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇଥିବା ବେଳେ ସରକାର ନିଜ କ୍ଷମତାର ଅପବ୍ୟବହାର କରି ନିର୍ବାଚନକୁ ରୋକିବା ଏକ ନିନ୍ଦନୀୟ ଘଟଣା। ସରକାରଙ୍କ ଚାପରେ ଅଧିକାରୀମାନେ ଚେପା ହୋଇ ଯାଉଛନ୍ତି, ଯାହାଫଳରେ ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦେହାନ୍ତ ପରଠାରୁ କୌଣସି ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆମେ ଅଧ୍ୟକ୍ଷ ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛୁ। ତାଛଡା ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ନିର୍ବାଚନ ପରି ଗଣତାନ୍ତ୍ରିକ ପ୍ରକିୟାକୁ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଲାଗି କ୍ଷମତାର ଅପବ୍ୟବହାର ନକରନ୍ତୁ ।
ବିଜେଡି ପ୍ରତିନିଧି ମଣ୍ଡଳୀରେ ଡଃ ଅରୁଣ ସାହୁଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି, ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଶ୍ରୀ ତୁମ୍ୱନାଥ ପଣ୍ଡା, ମୁଖପାତ୍ର ଶ୍ରୀ ମିହିର ରାୟ ଓ କୁକୁଡ଼ାଖଣ୍ଡି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚମାନେ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking