17.1 C
Bhubaneswar
Tuesday, February 10, 2026
Homeଓଡିଶା୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ସରକାର ୩୩୫୩.୧୫ କୋଟି ଟଙ୍କାର ମିଳିତ ନିବେଶରେ ୧୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିଯୁକ୍ତି ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସଡବ୍ଲ୍ୟୁସିଏ) ବୈଠକରେ ଏହି ଅନୁମୋଦନ ମିଳିଛି। ଏହା ଫଳରେ ୪୬୩୭ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ନୂତନ ଭାବେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଅଧିକ ପ୍ରଭାବୀ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଏକ ବିବିଧ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି, ଇସ୍ପାତ ଡାଉନଷ୍ଟ୍ରିମ୍‌, ଆଲୁମିନିୟମ୍ ଡାଉନଷ୍ଟ୍ରିମ୍‌, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍ଚରିଂ, ଟେକ୍ସଟାଇଲ୍ ଏବଂ ଆପେରେଲ୍‌, ପର୍ଯ୍ୟଟନ, ଫାର୍ମାସ୍ୟୁଟିକାଲ୍ସ ଏବଂ ସିମେଣ୍ଟକ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧିପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରୁଛି। ଅନୁମୋଦନ ଲାଭ କରିଥିବା ଏହି ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ପୁରୀରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ୍ ଓ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରିବ। ୧୨୧.୨୧ କୋଟି ଟଙ୍କା ପୁଞ୍ଜିନିବେଶ ବିଶିଷ୍ଟ ଏହି କ୍ଷେତ୍ରରେ ୬୯ ନିଯୁକ୍ତି ସୃଷ୍ଟି ହେବା ସହିତ ଏଥିରେ ରାଜ୍ୟର ନିରନ୍ତର ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ରହିଛି। ଇସ୍ପାତ କ୍ଷେତ୍ରରେ କଟକରେ ‘ବିକେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌’ ଏହାର ପ୍ରକଳ୍ପକୁ ଅଧିକ ସମ୍ପ୍ରସାରଣ କରିବ, ଯେଉଁଥିରେ ସ୍ପଞ୍ଜ ଆଇରନ୍‌, ବିଲେଟ୍‌, ଫେରୋ ଆଲଏଜ୍‌, ସିଣ୍ଟର ପ୍ଲାଣ୍ଟ୍ସ ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସମେତ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ୭୫୦ କୋଟି ଟଙ୍କା ବିନିଯୋଗ କରିବ। କେବଳ ଏହି ପ୍ରକଳ୍ପ ୮୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି।

ଏଚ୍ ଏମ୍ ପାୱାର ଆଣ୍ଡ କେବଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ୍ ଏବଂ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରୁଥିବାରୁ ଡାଉନଷ୍ଟ୍ରିମ୍ ଆଲୁମିନିୟମ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ୫୫.୭୨ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୦୫ ଜଣ ନିଯୁକ୍ତି ପାଇବେ। ଏହାବ୍ୟତୀତ ଖୋର୍ଦ୍ଧାରେ ନେକ୍ସଟ୍ ଥର୍ମାଲ ଏସିଆ ପ୍ରାଇଭେଟ୍ ଲିମିଟେଟ୍ ୫୫.୮୧ କୋଟି ଟଙ୍କା ବିନିଯୋଗରେ ୧୩୨ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏକ ହିଟିଂ ଏଲିମେଣ୍ଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହାକି ଇସ୍ପାତ ଶିଳ୍ପ ଉପରେ ନିର୍ଭରଶୀଳ ଆନୁଷଙ୍ଗିକ ଇସ୍ପାତ ଶିଳ୍ପକୁ ଅତ୍ୟାବଶ୍ୟକ ଉପାଦାନ ଯୋଗାଇଦେବ। ଭୁବନେଶ୍ୱରୀ ଫୁଡ୍ସ ଆଣ୍ଡ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ‘ଅବନ’ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ଜିଓଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଭିରା ଡିଷ୍ଟିଲେରୀ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରକଳ୍ପ ସହ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ ହେବାରେ ଲାଗିଛି। ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୫୪୨.୦୪ କୋଟି ଟଙ୍କା ପୁଞ୍ଜିନିବେଶରେ ୧୩୫୮ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଟେକ୍ସଟାଇଲ୍ ଆଣ୍ଡ ଆପେରେଲ୍ କ୍ଷେତ୍ରରେ ‘ଓଡ଼ିଶା ଟେକ୍ସଟାଇଲ୍ ମ୍ୟାନୁଫାକଚରିଂ ପ୍ରାଇଭେଟ୍ ଲିମିଟେଡ୍‌’ ପକ୍ଷରୁ ଖୋର୍ଦ୍ଧାରେ ଟେକ୍ସଟାଇଲ ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରାଯାଉଛି । ୫୧.୮୦ କୋଟି ଟଙ୍କାର ଏହି ପଦକ୍ଷେପ ଏବଂ ୫୩୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପର୍ଯ୍ୟଟନ କ୍ଷେତ୍ରରେ ଆଇଟିସି ଲିମିଟେଡ୍ ୧୧୯.୧୪ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଞ୍ଚତାରକା ହୋଟେଲ୍ ‘ୱେଲ୍ କମ୍ ହୋଟେଲ୍‌’ର ସମ୍ପ୍ରସାରଣ କରିବ ଏବଂ ଅତିରିକ୍ତ ୨୪୦ ନିଯୁକ୍ତି ପ୍ରଦାନ କରିବ।

ଏସଜେ ଜେଆରଜି ଭେଞ୍ଚର୍ସ ଏଲଏଲପି ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍ ଦ୍ୱାରା ପର୍ଯ୍ୟଟନ ସମ୍ବନ୍ଧୀୟ ଅତିରିକ୍ତ ପ୍ରକଳ୍ପ, ପୁରୀ ଏବଂ କୋରାପୁଟରେ ନୂତନ ଆତିଥେୟତା ସୁବିଧା ଆଣିବ ଏବଂ ଏଥିପାଇଁ ମୋଟ ୧୫୪ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୩୮୦ ନିଯୁକ୍ତି ସୃଷ୍ଟି କରିବ। ଫାର୍ମାସ୍ୟୁଟିକାଲ୍ସରେ ଇନଫୁନେକ୍ସ ହେଲଥକେୟାର ପ୍ରାଇଭେଟ ଲିମିଟେଡ ୫୯.୪୩ କୋଟି ଟଙ୍କା ନିବେଶରେ କଟକରେ ଇଣ୍ଟ୍ରାଭେନସ ଫ୍ଲୁଇଡ୍ ଉତ୍ପାଦନ ପାଇଁ ଦ୍ୱିତୀୟ ୟୁନିଟ୍ ସ୍ଥାପନ କରିବ ଏବଂ ଏହା ଦ୍ୱାରା ୧୮୨ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ। ଅଲ୍‌ଟ୍ରା ଟେକ୍ ସିମେଣ୍ଟ ଲିମିଟେଡ୍ ର ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ କଟକରେ ଏହାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କ୍ଷମତା ୩ ଏମଟିପିଏରୁ ୬ ଏମଟିପିଏକୁ ବୃଦ୍ଧି ପାଇବ। ୩୭୨ କୋଟି ଟଙ୍କାର ଏହି ସମ୍ପ୍ରସାରଣ ପ୍ରକଳ୍ପ ୫୮୧ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି ଏବଂ ଏହା ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ପାଇଁ ପ୍ରତିବଦ୍ଧ, ଯାହାର ସାମୂହିକ ପୁଞ୍ଜିନିବେଶ ମୂଲ୍ୟ ୩,୩୫୩.୧୫ କୋଟି ଟଙ୍କା ଏବଂ ଏଥିରେ ୪୬୩୭ ନିଯୁକ୍ତି ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଓଡ଼ିଶାରେ ରାଜ୍ୟବ୍ୟାପୀ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଏକାଧିକ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସୁବିଧା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking