26.1 C
Bhubaneswar
Wednesday, November 6, 2024
Homeଦେଶ ବିଦେଶଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନ

ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନ

ୱାଶିଂଟନ: ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନ। କାମ ଦେଲା ଟ୍ରମ୍ପ କାର୍ଡ। ହାରିଲେ ହାରିସ, ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ ଟ୍ରମ୍ପ ଏମିତି ଜଣେ ରାଷ୍ଟ୍ରପତି ଯିଏ ପ୍ରଥମଥର ପାଇଁ ୪ ବର୍ଷ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଶୀର୍ଷ ପଦ ଦଖଲ କରିଛନ୍ତି। ୨୦୧୬ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥିଲେ। କିନ୍ତୁ ୨୦୨୦ରେ ତାଙ୍କୁ ଜୋ ବାଇଡେନଙ୍କ ଠାରୁ ହାରିବାକୁ ପଡ଼ିଥିଲା। ୨୦୨୪ରେ ସେ କମଳା ହାରିସଙ୍କୁ ହରାଇଛନ୍ତି। ଆଜି ପୂର୍ବାହ୍ଣରେ ଭୋଟିଂ ଶେଷ ହେବା ପରେ ମଧ୍ୟାହ୍ନ ସୁଦ୍ଧା ଗଣତି ଶେଷ ହୋଇଛି। ଏଥର ଆମେରିକାରେ କ୍ଷମତା ପରିବର୍ତ୍ତନ ସହ ଡେମୋକ୍ରାଟିକ୍ ପ୍ରାର୍ଥୀ ତଥା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ହରାଇ ସର୍ବୋଚ୍ଚ ସାମ୍ବିଧାନିକ ପଦ ହାସଲ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ।

 ଫଳାଫଳ ସ୍ପଷ୍ଟ ହେବା ପରେ ଆମେରିକୀୟ ରାଜନୈତିକ ପରମ୍ପରା ଅନୁସାରେ ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ୨୭୦ର ସଂଖ୍ୟା ଗରିଷ୍ଠତା ଛୁଇଁଛନ୍ତି । ସେ ମୋଟ ୨୭୭ ନିର୍ବାଚନୀ ଭୋଟ୍ ପାଇଥିବା ବେଳେ କମଲା ହାରିସ ୨୧୪ଟି ଭୋଟ ପାଇଛନ୍ତି। ଆସନ୍ତାମାସ (ଡିସେମ୍ବର) ମାସ ଦ୍ୱିତୀୟ ବୁଧବାର ପରେ ପଡୁଥିବା ପ୍ରଥମ ସୋମବାର ଦିନ ବିଜେତା ନିର୍ବାଚନ ପ୍ରତିନିଧିମାନେ ସେମାନଙ୍କ ପ୍ରାଦେଶିକ ବ୍ୟବସ୍ଥାପିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମତଦାନ କରିବେ। ଏହା ପରେ ସମସ୍ତ ବ୍ୟବସ୍ଥାପିକାରେ ମତଗଣନା କରାଯାଇ ଫଳାଫଳ ସଂସଦ ବା ଜାତୀୟ ବ୍ୟବସ୍ଥାପିକାରେ ଦାଖଲ କରାଯିବ। ଜାନୁଆରୀ ୬ ତାରିଖରେ ସଂସଦର ଉଚ୍ଚ ସଦନର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେତା ଇଲେକ୍ଟରଙ୍କର ଏକ ମିଳିତ ଅଧିବେଶନ ଆହୁତ କରାଯାଇ ସମସ୍ତ ଭୋଟ ଗଣତି ହେବାର ବିଧି ରହିଛି । ଉକ୍ତ ଅଧିବେଶନରେ ଟ୍ରମ୍ପଙ୍କ ନାମରେ ବିଧିବଦ୍ଧ ମୋହର ବାଜିବ।

ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ବିଧି ମଧ୍ୟ ପୂର୍ବ ନିର୍ଦ୍ଧାରିତ ହୋଇଥାଏ। ଜାନୁଆରୀ ୨୦ ତାରିଖରେ ପୂର୍ବ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଟ୍ରମ୍ପ ଶପଥ ନେବେ । ସଂସଦରେ ଆୟୋଜିତ ଶପଥ ବିଧି କାର୍ଯ୍ୟକ୍ରମରେ ସେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହାସହ ଟ୍ରମ୍ପ ଦ୍ୱିତୀୟ ପାଳିରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରନ୍ତି। ଅନ୍ୟପଟେ ସାରା ବିଶ୍ୱରୁ ଟ୍ରମ୍ପଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ‘ବନ୍ଧୁ’ ବୋଲି ସମ୍ବୋଧନ କରି ଟ୍ୱିଟରେ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି ଟ୍ରମ୍ପଙ୍କ ସହ ଉଠାଇଥିବା ୪ଟି ଫଟୋକୁ ମଧ୍ୟ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି।ମୋଦୀ ଲେଖିଛନ୍ତି, “ଐତିହାସିକ ନିର୍ବାଚନ ପାଇଁ ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଯେମିତି ଆପଣ ନିଜର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଇବେ, ମୁଁ ଭାରତ-ଆମେରିକା ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଆମର ସହଯୋଗକୁ ପୁଣି ଆରମ୍ଭ କରିବାକୁ ଉତ୍ସାହିତ। ଆସନ୍ତୁ, ମିଳିତ ଭାବେ ଆମ ଲୋକଙ୍କ ଫାଇଦା ଓ ବିଶ୍ୱର ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବା।”

ଇତିମଧ୍ୟରେ ବିଭିନ୍ନ ରାଷ୍ଟ୍ର ଏପରି କି ଚୀନ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମେରିକା ସହ ଭବିଷ୍ୟତର ସମ୍ପର୍କ ଉପରେ ମତ ରଖିଛି। କିନ୍ତୁ ରୁଷ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଛନ୍ତି। ରୁଷ ସତର୍କତାର ସହିତ କହିଛି ଯେ, ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବୁ ନାହିଁ। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଲାଗି ରହିଛି। ତେଣୁ ଟ୍ରମ୍ପଙ୍କ ଆଗାମୀ କାର୍ଯ୍ୟପନ୍ଥା, ପଦକ୍ଷେପ ଏବଂ ରୁଷ ପ୍ରତି ତାଙ୍କର ମନୋଭାବ ହିଁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସ୍ଥିର କରିବ ବୋଲି କ୍ରିମଲିନ ମୁଖପାତ୍ର ଡିମିତ୍ରି ପେସକୋଭ କହିଛନ୍ତି। ଯେହେତୁ ଆମେରିକା ରୁଷର ବନ୍ଧୁତ୍ୱ ଦେଶ ନୁହେଁ ସେଥିଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବାର କୌଣସି ଯୋଜନା ନାହିଁ। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ପାରସ୍ପରିକ ଲାଭଦାୟକ ରାଜନୈତିକ ଏବଂ ଅର୍ଥନୈତିକ ସହଯୋଗ ବିକଶିତ କରିବାକୁ ଆଗ୍ରହୀ, ଯାହା ଉଭୟ ଦେଶପାଇଁ ଲାଭଦାୟକ ହେବ। ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ଏକ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକାର ଯୁଗକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ଜେଲେନସ୍କି କହିଛନ୍ତି, ବିଶ୍ୱ ବ୍ୟାପାରରେ ଶକ୍ତି ମାଧ୍ୟମରେ ଶାନ୍ତିର ଦୃଷ୍ଟିକୋଣ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି। ଏହା ହେଉଛି ସେହି ନୀତି ଯାହା ୟୁକ୍ରେନକୁ ଏକ ନ୍ୟାୟପୂର୍ଣ୍ଣ ଶାନ୍ତି ଦେଇପାରିବ। ମୁଁ ଆଶା କରୁଛି ଆମେ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବୁ।

ଆମେରିକା ନିର୍ବାଚନ୨୦୨୪ : ଡୋନାଲ୍ଡ ଟ୍ରମ୍ପ- କମଳା ହାରିସଙ୍କ ମୋଟ ଭୋଟ ସମ୍ପୂର୍ଣ୍ଣ ତାଲିକା ଉପରେ ନଜର ପକାନ୍ତୁ

୧ ଆଲାବାମା ଡୋନାଲ୍ଡ ଟ୍ରମ୍ପ ୯ ଖଣ୍ଡ ଭୋଟ୍ (ଆଗୁଆ)
୨ କେଣ୍ଟୁକି ଡୋନାଲ୍ଡ ଟ୍ରମ୍ପ ୮ ଖଣ୍ଡ ଭୋଟ୍
୩ ଉତ୍ତର ଡାକୋଟା ଡୋନାଲ୍ଡ ଟ୍ରମ୍ପ ୩ ଖଣ୍ଡ ଭୋଟ୍
୪ ଆଲାସ୍କା ଡୋନାଲ୍ଡ ଟ୍ରମ୍ପ ୩ ଖଣ୍ଡ ଭୋଟ
୫ ଲୁଇସିଆନା ଡୋନାଲ୍ଡ ଟ୍ରମ୍ପ ୮ ଖଣ୍ଡ ଭୋଟ୍
୬ ଓହିଓ ଡୋନାଲ୍ଡ ଟ୍ରମ୍ପ ୧୭ ଖଣ୍ଡ ଭୋଟ୍
୭ ଆରିଜୋନା ଡୋନାଲ୍ଡ ଟ୍ରମ୍ପ ୧୧ ଖଣ୍ଡ ଭୋଟ
୮ ମେନେ କମଳା ହାରିସ୍ ୪ ଖଣ୍ଡ ଭୋଟ୍
୯ ଓକ୍ଲାହୋମା ଡୋନାଲ୍ଡ ଟ୍ରମ୍ପ ୭ ଖଣ୍ଡ ଭୋଟ୍
୧୦ ଆର୍କାନସାସ୍ ଡୋନାଲ୍ଡ ଟ୍ରମ୍ପ ୬ ଖଣ୍ଡ ଭୋଟ୍
୧୧ ମେରିଲାଣ୍ଡ କମଳା ହାରିସ୍ ୧୦ ଖଣ୍ଡ ଭୋଟ୍
୧୨ ଓରେଗନ୍ କମଳା ହାରିସ୍ ୮ ଖଣ୍ଡ ଭୋଟ୍
୧୩ କ୍ୟାଲିଫର୍ଣ୍ଣିଆ କମଳା ହାରିସ୍ ୫୪ ଖଣ୍ଡ ଭୋଟ୍
୧୪ ମାସାଚୁସେଟ୍ସ କମଳା ହାରିସ୍ ୧୧ ଖଣ୍ଡ ଭୋଟ୍
୧୫ ପେନ୍ସିଲଭାନିଆ ଡୋନାଲ୍ଡ ଟ୍ରମ୍ପ ୧୯ ଖଣ୍ଡ ଭୋଟ୍
୧୬ କଲୋରାଡୋ କମଳା ହାରିସ୍ ୧୦ ଖଣ୍ଡ ଭୋଟ୍
୧୭ ମିଚିଗାନ୍ ଡୋନାଲ୍ଡ ଟ୍ରମ୍ପ (ଆଗୁଆ) ୧୫ ଖଣ୍ଡ ଭୋଟ୍
୧୮ ରୋଡ୍ ଆଇଲ୍ୟାଣ୍ଡ କମଳା ହାରିସ୍ ୪ ଖଣ୍ଡ ଭୋଟ୍
୧୯ କନେକ୍ଟିକଟ୍ କମଳା ହାରିସ୍ ୭ ଖଣ୍ଡ ଭୋଟ୍
୨୦ ମିନେସୋଟା କମଳା ହାରିସ୍ ୧୦ ଖଣ୍ଡ ଭୋଟ୍
୨୧ ଦକ୍ଷିଣ କାରୋଲିନା ଡୋନାଲ୍ଡ ଟ୍ରମ୍ପ ୯ ଖଣ୍ଡ ଭୋଟ୍
୨୨ ଡେଲାୱେର କମଳା ହାରିସ୍ ୩ ଖଣ୍ଡ ଭୋଟ୍
୨୩ ମିସିସିପି ଡୋନାଲ୍ଡ ଟ୍ରମ୍ପ ୬ ଖଣ୍ଡ ଭୋଟ୍
୨୪ ଦକ୍ଷିଣ ଡାକୋଟା ଡୋନାଲ୍ଡ ଟ୍ରମ୍ପ ୩ ଖଣ୍ଡ ଭୋଟ୍
୨୫ କଲମ୍ବିଆ ଜିଲ୍ଲାକମଲା ହାରିସଙ୍କୁ ୩ ଖଣ୍ଡ ଭୋଟ୍
୨୬ ମିସୁରୀ ଡୋନାଲ୍ଡ ଟ୍ରମ୍ପ ୧୦ ଖଣ୍ଡ ଭୋଟ୍
୨୭ ଟେନେସି ଡୋନାଲ୍ଡ ଟ୍ରମ୍ପ ୧୧ ଖଣ୍ଡ ଭୋଟ୍
୨୮ ଫ୍ଲୋରିଡା ଡୋନାଲ୍ଡ ଟ୍ରମ୍ପ ୩୦ ଖଣ୍ଡ ଭୋଟ୍
୨୯ ମୋଣ୍ଟାନା ଡୋନାଲ୍ଡ ଟ୍ରମ୍ପ ୪ ଖଣ୍ଡ ଭୋଟ୍
୩୦ ଟେକ୍ସାସ୍ ଡୋନାଲ୍ଡ ଟ୍ରମ୍ପ ୪୦ ଖଣ୍ଡ ଭୋଟ୍
୩୧ ଜର୍ଜିଆ ଡୋନାଲ୍ଡ ଟ୍ରମ୍ପ ୧୬ ଖଣ୍ଡ ଭୋଟ୍
୩୨ ନେବ୍ରାସ୍କା ଡୋନାଲ୍ଡ ଟ୍ରମ୍ପ ୫ ଖଣ୍ଡ ଭୋଟ୍
୩୩ ୟୁଟା ଡୋନାଲ୍ଡ ଟ୍ରମ୍ପ ୬ ଖଣ୍ଡ ଭୋଟ୍
୩୪ ହାୱାଇ କମଳା ହାରିସ୍ ୪ ଖଣ୍ଡ ଭୋଟ୍
୩୫ ନେଭାଡା ଡୋନାଲ୍ଡ ଟ୍ରମ୍ପ ୬ ଖଣ୍ଡ ଭୋଟ
୩୬ ଭର୍ମୋଣ୍ଟ କମଳା ହାରିସ୍ ୩ ଖଣ୍ଡ ଭୋଟ୍
୩୭ ଇଡାହୋ ଡୋନାଲ୍ଡ ଟ୍ରମ୍ପ ୪ ଖଣ୍ଡ ଭୋଟ୍
୩୮ ନ୍ୟୁ ହାମ୍ପସାୟାର କମଳା ହାରିସ୍ ୪ ଖଣ୍ଡ ଭୋଟ୍
୩୯ ଭର୍ଜିନିଆ କମଳା ହାରିସ୍ ୧୩ ଖଣ୍ଡ ଭୋଟ୍
୪୦ ଇଲିନୋଇସ୍ କମଳା ହାରିସ୍ ୧୯ ଖଣ୍ଡ ଭୋଟ୍
୪୧ ନ୍ୟୁଜର୍ସି କମଳା ହାରିସ୍ ୧୪ ଖଣ୍ଡ ଭୋଟ୍
୪୨ ୱାଶିଂଟନ କମଳା ହାରିସ୍ ୧୨ ଖଣ୍ଡ ଭୋଟ୍
୪୩ ଇଣ୍ଡିଆନା ଡୋନାଲ୍ଡ ଟ୍ରମ୍ପ ୧୧ ଖଣ୍ଡ ଭୋଟ୍
୪୪ ନ୍ୟୁ ମେକ୍ସିକୋ କମଳା ହାରିସ୍ ୫ ଖଣ୍ଡ ଭୋଟ୍
୪୫ ପଶ୍ଚିମ ଭର୍ଜିନିଆ ଡୋନାଲ୍ଡ ଟ୍ରମ୍ପ ୪ ଖଣ୍ଡ ଭୋଟ୍
୪୬ ଆଇଓୱା ଡୋନାଲ୍ଡ ଟ୍ରମ୍ପ ୬ ଖଣ୍ଡ ଭୋଟ୍
୪୭ ନ୍ୟୁୟର୍କ କମଳା ହାରିସ୍ ୨୮ ଖଣ୍ଡ ଭୋଟ୍
୪୮ ୱିସକନ୍ସିନ୍ ଡୋନାଲ୍ଡ ଟ୍ରମ୍ପ ୧୦ ଖଣ୍ଡ ଭୋଟ୍
୪୯ କାନସାସ ଡୋନାଲ୍ଡ ଟ୍ରମ୍ପ ୬ ଖଣ୍ଡ ଭୋଟ୍
୫୦ ନର୍ଥ କାରୋଲିନା ଡୋନାଲ୍ଡ ଟ୍ରମ୍ପ ୧୬ ଖଣ୍ଡ ଭୋଟ୍
୫୧ ଓ୍ଵାମିଂ ଡୋନାଲ୍ଡ ଟ୍ରମ୍ପ ୩ ଖଣ୍ଡ ଭୋଟ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking