ବେଜିଂ : ଏକଦା ସର୍ବାଧିକ ଜନବହୁଳ ଦେଶ ବୋଲାଉଥିବା ଚୀନ୍ ଏବେ ଜନସାଂଖ୍ୟିକ ସଙ୍କଟରେ ଛନ୍ଦିହୋଇ ପଡ଼ିଛି । ଜନସଂଖ୍ୟା ବୃଦ୍ଧି ହାର ରେକର୍ଡ ମାତ୍ରାରେ ଧିମା ପଡ଼ିଛି । ଏହାର ସିଧାସଳଖ ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡ଼ୁଛି । ଏହି ଧାରା ଜାରି ରହିଲେ, ଚୀନ୍ ଆଗକୁ ସାଙ୍ଘାତିକ ସମସ୍ୟାର ସମ୍ମୁଖୀନ ହେବ । ବିବାହ ପାଇଁ ବିମୁଖ ଚୀନ୍ର ଏହି ସଙ୍କଟ ପାଇଁ ସବୁଠୁ ବଡ଼ କାରଣ ସାଜିଛି । ଚୀନ୍ରେ ବର୍ତ୍ତମାନ ବିବାହ କଥା ଉଠିଲେ ଅଧିକାଂଶ ଯୁବପିଢ଼ି ଡରିଯାଉଛନ୍ତି । ବିବାହ କରି ଅଯଥା ସମସ୍ୟାର ସମ୍ମୁଖୀନ ହେବାକୁ ସେମାନେ ଚାହୁଁନାହାନ୍ତି । ବେକାରୀ, ଦରଦାମ ବୃଦ୍ଧି, ଜଟିଳ ଛାଡ଼ପତ୍ର ନିୟମ ଓ କାମ ଚାପ ସେମାନଙ୍କ ମନୋବଳ ଭାଙ୍ଗିଦେଇଛି ।
ଦେଶରେ ବିବାହ ଖର୍ଚ୍ଚ ଆକାଶଛୁଆଁ ହୋଇଥିବା ବେଳେ ବିବାହ ପରେ ଘର କିଣିବା, ପିଲାଙ୍କ ଲାଳନପାଳନ କରିବା ମୁସ୍କିଲ ହୋଇପଡ଼ିଛି । ରିପୋର୍ଟ ମୁତାବକ, ଚୀନ୍ରେ ନୂଆ ବିବାହ ସଂଖ୍ୟା ସର୍ବନିମ୍ନ ସ୍ତରକୁ ଖସିବାକୁ ଯାଉଛି । ଚଳିତବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ପ୍ରାୟ ୪୭.୪ ଲକ୍ଷ ନବ ଦମ୍ପତି ସେମାନଙ୍କ ବିବାହ ପଞ୍ଜିକରଣ କରାଇଥିଲେ । ଯାହା କି ଗତବର୍ଷ ସମାନ ଅବଧି ତୁଳନାରେ ୧୬.୬% କମ୍ । ୨୦୨୩ ବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ୫୬.୯ ଲକ୍ଷ ନବ ଦମ୍ପତି ବିବାହ ପଞ୍ଜିକରଣ କରାଇଥିଲେ । ଚୀନ୍ର ସିଭିଲ୍ ଆଫେୟାର ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ, ୨୦୨୨ରେ ମୋଟ ୧.୧୬ କୋଟି ଲୋକ ବିବାହ କରିଥିଲେ । ୨୦୨୧ ତୁଳନାରେ ଏହା ୭ ଲକ୍ଷ କମ୍ ଥିଲା ବେଳେ ୨୦୧୩ର ୨.୩୯ କୋଟି ତୁଳନାରେ ଏହା ପ୍ରାୟ ଅଧା ।
ବିବାହରେ ଏହି ହ୍ରାସ ଯୋଗୁ ଚୀନ୍ ପାଇଁ ଜନସଂଖ୍ୟା ସହ ଜଡ଼ିତ ନୂଆ ବିପଦ ସୃଷ୍ଟି ହୋଇଛି । ଏହାକୁ ନେଇ ଦେଶରେ ବିତର୍କ ଜାରି ରହିଛି । ଯୁବପିଢ଼ି କାହିଁକି ବିବାହକୁ ମୁହଁ ମୋଡ଼ୁଛନ୍ତି ଏବଂ କି ଉପାୟ କଲେ ସେମାନେ ଏଥିପାଇଁ ଆଗ୍ରହ ଦେଖାଇବେ, ତାହା ନେଇ ଅଙ୍କକଷା ଚାଲିଛି । ୨୦୧୩ରେ ପ୍ରଥମ ଥର ପାଇଁ ଚୀନ୍ରେ ରେକର୍ଡ ମାତ୍ରାର ଲୋକ ବିବାହ କରିଥିଲେ । ସେତେବେଳେ ୧.୩ କୋଟିରୁ ଅଧିକ ନୂଆ ବିବାହ ହୋଇଥିଲା । ତାହା ପରଠାରୁ ନୂଆ ବିବାହ ସଂଖ୍ୟା ତଳମୁହାଁ ହେବାରେ ଲାଗିଛି । ଦେଶର ଜନସଂଖ୍ୟା ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଚଳିତବର୍ଷ ବିବାହ ସଂଖ୍ୟା ସର୍ବନିମ୍ନ ସ୍ତରକୁ ଖସିଆସିବ । ଏମିତି କି ୨୦୨୨ର ରେକର୍ଡ ତଳ ସ୍ତରଠାରୁ ଏହା ଆହୁରି ନିମ୍ନମୁଖୀ ହେବ । ବିବାହରେ ଏଭଳି ଅହେତୁକ ହ୍ରାସ ଯୋଗୁ ଜନ୍ମ ହାର କମୁଛି । ଏହା ଦେଶର ଶ୍ରମଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଉଛି ।