ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ସାରୁଅସ୍ଥିତ ଓଡିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡିଯାଇଛି । ଏନେଇ ଅଗ୍ନିଶମ ବିଭାଗର ୪ଟି ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗତକାଲି ଷ୍ଟୁଡିଓରେ ସୁଟିଂ ଚାଲିଥିଲା । ସୁଟିଂ ସରିବା ପରେ ରାତିରେ ସମସ୍ତେ ସେଠାରୁ ଚାଲିଯାଇଥିବା ବେଳେ ଷ୍ଟୁଡିଓ ଗେଟରେ ତାଲା ପଡିଥିଲା । କିନ୍ତୁ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟ ସର୍କିଟରୁ ହୋଇଥିବା ଜଣାପଡିଛି । ସବୁ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ଷ୍ଟୁଡିଓ ଭିତରେ କେହି କର୍ମଚାରୀ ନଥିବାରୁ ଅଳ୍ପକେ ବର୍ତ୍ତି ଯଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।