28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ବଡ଼ ରାୟ; ୟୁପିରେ ଚାଲୁ ରହିବ ୧୬ହଜାର ମଦ୍ରାସା

ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ୟୁପିରେ ଚାଲୁ ରହିବ ୧୬ହଜାର ମଦ୍ରାସା

ଲକ୍ଷ୍ନୌ: ‘ଉତ୍ତରପ୍ରଦେଶରେ ୧୬ ହଜାର ମଦ୍ରାସା ପୂର୍ବବତ୍ ଚାଲୁ ରହିବ। ଏସବୁକୁ ବନ୍ଦ କରାଯାଇପାରିବନି।’ ଆହ୍ଲାବାଦ୍ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରିବା ପୂର୍ବକ ସୁପ୍ରିମକୋର୍ଟ ମଙ୍ଗଳବାର ଏହି ରାୟ ଦେଇଛନ୍ତି। ପ୍ରକାଶ, ଆହ୍ଲାବାଦ ହାଇକୋର୍ଟ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରି ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ନେଇ ମଦ୍ରାସା ବୋଡ୍‌ର୍ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ‘ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪’କୁ ବୈଧ ବୋଲି ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁସାରେ ଏହି ଆକ୍ଟ ମଦ୍ରାସାର ଶିକ୍ଷାନୀତିକୁ ନିୟନ୍ତ୍ରିତ କରିଥାଏ। ଏହି ଅବସରରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ମଦ୍ରାସା ବୋର୍ଡ ଏବଂ ରାଜ୍ୟ ସରକାରଙ୍କର ମଦ୍ରାସାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ରାଜ୍ୟ ସରକାର ମଦ୍ରାସାର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିପାରିବେ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ। ଶିକ୍ଷାର ମାନରେ ଉନ୍ନତି ଆଣିବା ପାଇଁ ମଦ୍ରାସା ନିୟନ୍ତ୍ରଣ କରିବାରେ ସରକାରଙ୍କ ଆଗ୍ରହ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ ଜେ.ବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହା ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ କରୁନଥିବା ଦର୍ଶାଇ ହାଇକୋର୍ଟଙ୍କ ନିଷ୍ପତ୍ତିରେ ତ୍ରୁଟି ଥିବା ଦର୍ଶାଇଛନ୍ତି ଖଣ୍ଡପୀଠ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଥାତ୍ ଗତ ମାର୍ଚ୍ଚ ମାସରେ ଆହ୍ଲାବାଦ ହାଇକୋର୍ଟ ‘ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪’ ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଏହାକୁ ଖାରଜ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ ସୁପ୍ରିମକୋର୍ଟକୁ ଏକାଧିକ ପିଟିସନ୍ ମିଳିବା ପରେ ଗତ ଅକ୍ଟୋବର ୨୨ ତାରିଖରେ ଖଣ୍ଡପୀଠ ନିଜ ରାୟ ସଂରକ୍ଷିତ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking