ଇରାନ : ଇରାନରେ ମହିଳାମାନେ ଦୀର୍ଘ ଦିନରୁ ହିଜାବକୁ ବିରୋଧ କରିଆସୁଛନ୍ତି । ନିକଟରେ ଜଣେ ଯୁବତୀ ରାସ୍ତା ମଝିରେ ଦେହରୁ କପଡ଼ା ଖୋଲି ଅଦ୍ଭୁତ ବିରୋଧ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆ ଭିଡିଓ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର କଡ଼ା ଇସଲାମିକ୍ ଡ୍ରେସ୍ କୋଡ୍ ବିରୋଧରେ ଯୁବତୀ ଇରାନ୍ ବିଶ୍ୱବିଦ୍ୟାଳୟରେ ଏଭଳି ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଇସଲାମିକ୍ ୟୁନିଭର୍ସିଟିର ସୁରକ୍ଷା କର୍ମୀ ଜଣେ ଅଜଣା ଯୁବତୀଙ୍କୁ କାବୁ କରି ନେଇଯାଉଥିବା ଦେଖାଯାଉଛି । ୟୁନିଭର୍ସିଟିର ପ୍ରବକ୍ତା ଅମିର ମହଜୋବ ‘ଏକ୍ସ’ରେ କହିଛନ୍ତି, ସେ ଗଭୀର ମାନସିକ ଚାପରେ ପୀଡ଼ିତ ବୋଲି ଥାନାରେ ଜଣାପଡ଼ିଥିଲା ।
ଏହାସହ ତାଙ୍କୁ ଅନେକ ମାନସିକ ବିକାର ମଧ୍ୟ ଥିଲା । ଯଦିଓ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି କି, ଯୁବତୀ ଜଣକ ବିରୋଧ ପ୍ରଦର୍ଶନ ପାଇଁ ଜାଣିଶୁଣି କପଡ଼ା ଖୋଲିଥିଲେ । ଜଣେ ୟୁଜର ଭିଡିଓ ସହ ଲେଖିଛନ୍ତି, ସର୍ବସାଧାରଣ ସ୍ଥାନରେ ମହିଳା ଅନ୍ତଃବସ୍ତ୍ରରେ ରହିବା ସବୁଠାରୁ ଖରାପ କଥା । ଏହା ବାଧ୍ୟତାମୂଳକ ହିଜାବ ଉପରେ ଅଧିକାରୀମାନଙ୍କ ମୂର୍ଖତାପୂର୍ଣ୍ଣ ଜିଦର ଏକ ପ୍ରତିକ୍ରିୟା । ସେପଟେ ଯୁବତୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । ଇରାନର ଏକ ଖବରକାଗଜ ନିଜ ୱେବସାଇଟ ଲେଖିଛି ଯେ ଏମିତି କାମ କରିଥିବା ଯୁବତୀ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ ବୋଲି ସୂତ୍ରରୁ ଜଣାପଡ଼ିଛି । ଯାଞ୍ଚ ପରେ ସମ୍ଭବତଃ ତାଙ୍କୁ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ ।