22.1 C
Bhubaneswar
Friday, February 13, 2026
Homeଓଡିଶାକନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ, ସମସ୍ତେ ନିୟମିତ...

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ, ସମସ୍ତେ ନିୟମିତ ଭାବେ ପାଉଛନ୍ତି ଚାଉଳ

ଭୁବନେଶ୍ୱର: ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ ଓ ମୃତବ୍ୟକ୍ତି ମାନେ ତାଙ୍କର ନିୟମିତ ଖାଦ୍ୟ ଅଭ୍ୟାସ ଭାବରେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ। ଫୁଡ ପଏଜନିଙ୍ଗ କାରଣରୁ ସେମାନେ ଅସୁସ୍ଥ ହୋଇ ପଡିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଡାକ୍ତରୀ ଦଳ, ଜିଲା ପ୍ରଶାସନର ଅଧିକାରୀମାନେ ନଭେମ୍ବର ୧ ତାରିଖ ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ସମସ୍ତ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ତର୍ଜମା କରିଥିଲେ ।

ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ସେଠାରେ ରମିତା ପାଟମାଝୀ ଓ ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଅନ୍ୟ ଛଅ ଜଣ ପୀଡିତ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କର ଆରୋଗ୍ୟ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ପ୍ରକାଶ ଯୋଗ୍ୟ ଯେ ଆକ୍ରାନ୍ତ ପରିବାର ସମେତ ଏହି ଗ୍ରାମର ସମସ୍ତ ୬୯ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ପାଉଛନ୍ତି । ରିପୋର୍ଟରୁ ଜଣା ଯାଇଛି ଯେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୃତକଙ୍କ ପରିବାର ସହିତ ଗାଁର ସମସ୍ତେ ଚାଉଳ ପାଇଛନ୍ତି। ସେମାନେ ସେପ୍ଟେମ୍ବର ମାସରେ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ସରକାରଙ୍କ ପ୍ରଦତ୍ତ ଚାଉଳ ଉଠାଣ କରି ନେଇଥିଲେ ବୋଲି ଜଣାଯାଇଛି । ସମସ୍ତ ରିଟେଲରଙ୍କୁ ମଧ୍ୟ ହିତାଧିକାରୀମାନଙ୍କୁ ଚାଉଳ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏହା ବ୍ୟତୀତ ଆକ୍ରାନ୍ତ ପରିବାରଙ୍କୁ ମଧ୍ୟ ପୂର୍ବରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି ।

ମାଣ୍ଡିପଙ୍କା ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏହି ଗ୍ରାମକୁ ଆଶାକର୍ମୀ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧୁକାରୀ ନିୟମିତ ପରିଦର୍ଶନ କରି ଲୋକଙ୍କୁ ସ୍ୱାସ୍ଥ୍ୟରକ୍ଷା ନେଇ ସଚେତନ କରିଥାନ୍ତି । ଏହି ଗ୍ରାମର ବାସିନ୍ଦା ସାବିତ୍ରୀ ପ୍ରଧାନ ଏବଂ ମିନାକ୍ଷୀ ବଳିୟାରସିଂ ନିୟମିତ ଭାବେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ପାଇଥିବା କଥା ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଯେପରି ଏହିପରି ଅଭାବନୀୟ ଘଟଣା ନ ଘଟେ, ସେଥିପାଇଁ ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ ଦ୍ଵାରା ଉକ୍ତ ଅଞ୍ଚଳରେ ଅଙ୍ଗନବାଡି କର୍ମୀ ଏବଂ ସ୍ଵାସ୍ଥ୍ୟ ଟିମ ଦ୍ଵାରା ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଲୋକମାନେ ଯେପରି ସଫା ସୁତୁରା ରହିବା ସହ ସୁଷମ ଖାଦ୍ୟ ଗ୍ରହଣ କରିବେ ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପଂଚାୟତ ପ୍ରତିନିଧି ଆଦିଙ୍କ ଦ୍ୱାରା ସଚେତନତାର ବାର୍ତ୍ତା ଦିଆଯାଉଛି ବୋଲି ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, କନ୍ଧମାଳ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking