25.1 C
Bhubaneswar
Wednesday, October 30, 2024
Homeଓଡିଶାବିଏସ୍‌କେୱାଇ ଯୋଜନାରୁ କେଉଁମାନେ ବଞ୍ଚିତ ହେବେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ: ବିଜେଡି

ବିଏସ୍‌କେୱାଇ ଯୋଜନାରୁ କେଉଁମାନେ ବଞ୍ଚିତ ହେବେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ: ବିଜେଡି

– ବିଏସ୍‌କେୱାଇ ଯୋଜନା ଯୋଗୁ ମୁଣ୍ଡପିଛା ନିଜସ୍ୱ ଚିକିତ୍ସା ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି
– ଆୟୁଷ୍ମାନ ଯୋଜନାରେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ନା ଇନ୍‌ସ୍ୟୁରାନ୍ସ କମ୍ପାନୀ
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ମାଧ୍ୟମରେ ଚିକିତ୍ସା ସୁବିଧା ପାଉଥିବା ୯୬.୫ ଲକ୍ଷ ପରିବାରର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହନ କରୁଥିବା ବେଳେ ଆୟୁଷ୍ମାନ ଯୋଜନା ଲାଗୁ କରିବା ନାଁରେ କେତେ ଲକ୍ଷ ପରିବାରଙ୍କୁ ବିଏସ୍‌କେୱାଇରୁ ବଞ୍ଚିତ ହେବାକୁ ପଡ଼ିବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ।

ଶ୍ରୀମତୀ ମଲ୍ଲିକ ଆହୁରି କହିଥିଲେ ଯେ, ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କ ପରିବାର ପାଇଁ ଅତି ବେଶୀରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଇନସ୍ୟୁରାନ୍ସ କମ୍ପାନୀ ଜରିଆରେ ପ୍ରଦାନ କରାଯାଉଥିବା ବେଳେ ବିଏସ୍‌କେୱାଇ ମାଧ୍ୟମରେ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରତ୍ୟକ୍ଷ ଭାବେ ରାଜ୍ୟ ସରକାର ବହନ କରନ୍ତି । ବିଏସ୍‌କେୱାଇରେ ସମସ୍ତ ପ୍ରକାର ମେଡ଼ିକାଲ ଟେଷ୍ଟ ଓ ଫଲୋଅପ୍ କନସନଟେସନର ବ୍ୟବସ୍ଥା ରହିଥିଲା ବେଳେ ଏହି ସୁବିଧା ଆୟୁଷ୍ମାନ ଯୋଜନାରେ ନାହିଁ । ଆୟୁଷ୍ମାନ ଯୋଜନା ଇନସ୍ୟୁରାନ୍ସ ଆଧାରରେ କାର୍ଯ୍ୟକ୍ରମ ହେଉଥିବାରୁ ଅନେକ ସମୟରେ ଘରୋଇ ହସ୍ପିଟାଲ ଗୁଡ଼ିକ ତାଙ୍କର ଦେୟ ପାଇବା ବିଳମ୍ବ ହେଉଥିବା ଦୃଷ୍ଟିରୁ ହିତାଧିକାରୀ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ମନା କରିଦେଇଥାନ୍ତି । ଅପରପକ୍ଷରେ ବିଏସ୍‌କେୱାଇରେ ସରକାର ନିଜସ୍ୱ ପାଣ୍ଠିରୁ ଦେୟ ପ୍ରଦାନ କରୁଥିବାରୁ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଆଡ୍‌ମିଟ୍ କରିବା ପାଇଁ ଦ୍ୱିଧା ପ୍ରକାଶ କରନ୍ତି ନାହିଁ। ମୋଟାମୋଟି କହିବାକୁ ଗଲେ ବିଏସ୍‌କେୱାଇର ବିଶ୍ୱାସନୀୟତା ଆୟୁଷ୍ମାନ ଯୋଜନା ଠାରୁ ଢେର ଅଧିକା ରହିଛି।

ରାଜ୍ୟର ପ୍ରାୟ ୯୬.୫ ଲକ୍ଷ ଲୋକ ବିଏସ୍‌କେୱାଇ ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ପାଇପାରୁଛନ୍ତି ଓ ଏଥିରେ କୌଣସି ବୟସ ସୀମା ନାହିଁ । ଆୟୁଷ୍ମାନ ଯୋଜନାରେ ରାଜ୍ୟର କେତେ ଲୋକଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରାଯିବ ସେନେଇ ସନ୍ଦେହ ରହିଛି । ବିଏସ୍‌କେୱାଇରେ କୌଣସି ବୟସ ସୀମା ନଥିବାରୁ ହିତାଧିକାରୀଙ୍କ ପରିବାରରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ଥିବା ବ୍ୟକ୍ତିଙ୍କ ସମସ୍ତ ସଦସ୍ୟ ଚିକିତ୍ସା ସୁବିଧା ପାଉଛନ୍ତି । ବିଏସ୍‌କେୱାଇ ଯୋଜନା ପ୍ରଣୟନ ହେବା ପରେ ରାଜ୍ୟର ମୁଣ୍ଡପିଛା ନିଜସ୍ୱ ଚିକିତ୍ସା ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଦଳର ଅନ୍ୟତମ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ଅନ୍ୟ ବିଜେପି ଶାସିତ ରାଜ୍ୟ (ଆୟୁଷ୍ମାନଯୋଜନା ଲାଗୁ ହୋଇଥିବା ରାଜ୍ୟ) ମାନଙ୍କ ତୁଳନାରେ ଓଡ଼ିଶାର ଆଉଟ୍ ଅଫ୍ ପକେଟ୍ ଚିକିତ୍ସା ଖର୍ଚ୍ଚ ସବୁଠାରୁ କମ୍ ରହିଛି। ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍ ଏଷ୍ଟିମେଟ୍ ଫର୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଓଡ଼ିଶାର ସ୍ୱାସ୍ଥ୍ୟ ଉପରେ ପରିବାରର ଆଉଟ୍ ଅଫ୍ ପକେଟ୍ ଖର୍ଚ୍ଚ ଯାହା ୨୦୧୫ ମସିହାରେ ୭୧.୫% ଥିଲା, ତାହା ୨୦୨୧-୨୨ ବେଳକୁ ୩୭.୧% କୁ ଖସିଆସିଛି ।

ଏହି ତଥ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ, ଓଡ଼ିଶା ଅନେକ ବିଜେପି ଶାସିତ ରାଜ୍ୟମାନଙ୍କ ଠାରୁ ଭଲ ସ୍ଥିତିରେ ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଏସ୍‌କେୱାଇରୁ ବଞ୍ଚିତ କରି ଆୟୁଷ୍ମାନ ଭାରତ ଯୋଜନାରେ ସେହି ହିତାଧିକାରୀମାନଙ୍କୁ ସାମିଲ କରିବା ରାଜ୍ୟ ସ୍ୱାର୍ଥ ବିରୋଧୀ । ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ ରହିଥିବା ବିଏସ୍‌କେୱାଇର ଉପାଦେୟତାକୁ ଦୃଷ୍ଟିରେ ରଖି ୯୬.୫ ଲକ୍ଷ ବିଏସ୍‌କେୱାଇ ହିତାଧିକାରୀ ପରିବାରକୁ କିପରି ୩୩ ଲକ୍ଷ ପରିବାର ମଧ୍ୟରେ ସୀମିତ ରଖିବେ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଦଳର ନେତ୍ରୀ ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ ଯେ, ବରଗଡରେ କ୍ରିଟିକାଲ କେୟାର ହସ୍ପିଟାଲ ଅତ୍ୟନ୍ତ ତରବରିଆ ଭାବେ ଉଦ୍‌ଘାଟିତ ହୋଇଛି। ଏଯାବତ୍ ଆବଶ୍ୟକୀୟ ଯନ୍ତ୍ରପାତି ଏବଂ ମାନବ ସମ୍ବଳ ଯଥା ଡାକ୍ତର, ନର୍ସ, ପାରାମେଡିକ୍ ଷ୍ଟାଫ୍ ନିଯୁକ୍ତି ହୋଇନାହାନ୍ତି। କେବଳ ପ୍ରଚାର ଉଦ୍ଦେଶ୍ୟରେ ହସ୍ପିଟାଲ କୋଠାକୁ ଉଦ୍‌ଘାଟନ କରାଯାଇଛି। ଯାହାକି ଲୋକଙ୍କ ସେବାରେ ଲାଗିପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking