25.1 C
Bhubaneswar
Saturday, October 26, 2024
Homeଓଡିଶାପୁଣି ବିବାଦ ବଢାଇଲା ଇସ୍କନର ଅଦିନିଆ ରଥଯାତ୍ରା

ପୁଣି ବିବାଦ ବଢାଇଲା ଇସ୍କନର ଅଦିନିଆ ରଥଯାତ୍ରା

ଭୁବନେଶ୍ୱର : ଇସ୍କନର ପୁଣି ଥରେ ଅଦିନିଆ ରଥଯାତ୍ରା । ଏଥର ଦେଶରେ ନୁହେଁ, ବିଦେଶରେ । ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା ନେଇ ମୁଣ୍ଡ ଟେକିଛି ବିବାଦ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । ଭାରତ ବାହାରେ ଥିବା ଇସ୍କନର ଅଧକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଭୁବନେଶ୍ବର ଇସ୍କନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଚିଠି ଲେଖି ଇସ୍କନକୁ ଅଦିନରେ ରଥଯାତ୍ରା ନକରିବାକୁ କୁହାଯାଇଥିବା ବେଳେ ଏବେ ଏହି ରଥଯାତ୍ରାକୁ ନେଇ ତୀବ୍ର ବିରୋଧ ଓ ପ୍ରତିବାଦର ସ୍ବର ତେଜିଛି । ଆମେରିକାର ହଷ୍ଟନରେ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ତୀବ୍ର ବିରୋଧ, ରଥଯାତ୍ରାରୁ ନିବୃତ୍ତ ରହିବାକୁ ଦାବି କରିଛନ୍ତି।

୨୦୦୮ରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା ବୈଠକ ହୋଇଥିଲା । ଦେଶବ୍ୟାପୀ ଗୋଟିଏ ଦିନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା । ଏହା ପରେ ସାରା ଭାରତବର୍ଷରେ ଗୋଟିଏ ଦିନରେ ହିଁ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏଥିରେ କେବେ ତ୍ରୁଟି ହୋଇନାହିଁ । ଏବେ ଆମେରିକାରେ ରଥଯାତ୍ରା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜାଣିବାକୁ ପାଇଥିବା କହିଛନ୍ତି ଇସ୍କନ ରାଜ୍ୟ ଲୋକସଂପର୍କ ଅଧିକାରୀ । ଏନେଇ ଅନୁଧ୍ୟାନ କରାଯାଉଛି । ବିଭିନ୍ନ ଦେଶରେ ଇସ୍କନ ମହାପ୍ରଭୁଙ୍କ ପ୍ରଚାର କରିଆସିଛି। ଅନ୍ୟ ଦେଶରେ ପାଣିପାଗ ଏବଂ ନୀତି ନିୟମ ଭିନ୍ନ ରହିଥିବାରୁ ଏଭଳି ତ୍ରୁଟି ହୋଇ ଥାଇପାରେ ବୋଲି ସେ କହିଛନ୍ତି । ଭାରତ ବାହାରେ ଥିବା ଇସ୍କନର ଅଧକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଏହାସହ ଗଜପତି ମହାରାଜାଙ୍କ ସହ ମଧ୍ୟ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ପୂର୍ବରୁ ୨୦୦୭ ଅକ୍ଟୋବର ୬ରେ ଲୁଧିଆନା ଓ ଡିସେମ୍ବର ୨୩ରେ ନୂଆଦିଲ୍ଲୀରେ ରଥାଯାତ୍ରା କରିଥିଲା ଇସ୍କନ। ସେତେବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା । ୨୦୦୮ ଫେବୃୟାରୀ ୧୫ରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଷାଢ଼ ଶୁକ୍ଳ ଦ୍ଵିତୀୟରେ ହିଁ ସବୁଠି ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇ ଇସ୍କନକୁ ଚିଠି ଲେଖାଯାଇଥିଲା । ଏଥିରେ ପୁରୀର ମୂଳ ବିଗ୍ରହ,ଶାସ୍ତ୍ର, ପୁରାଣ ଓ ଶ୍ରୀମନ୍ଦିର ରେକର୍ଡ଼ ଅଫ ରାଇଟ ଅନୁସାରେ ରଥଯାତ୍ରା ପାଳନ ନେଇ ନିର୍ଦ୍ଦେଶ ରହିଥିଲା ।

୨୦୦୮ ଫେବୃୟାରୀ ୨୬ ତାରିଖରେ ପଶ୍ଚିମବଙ୍ଗ ମାୟପୁର ସ୍ଥିତ ଅନ୍ତରାଷ୍ଟ୍ରୀୟ ଇସ୍କନ ସଂସ୍ଥାର ଅଧ୍ୟକ୍ଷଙ୍କୁ ଅଦିନିଆ ରଥଯାତ୍ରାରୁ ନିବୃତ ରହିବାକୁ ଚିଠି ଲେଖିଥିଲେ । ପରେ ୨୦୧୯ ସେପ୍ଟେମ୍ବର ୯ରେ ଇସ୍କନକୁ ଚିଠି ଲେଖି ଆଷାଢ଼ ଶୁକ୍ଳ ଦ୍ଵିତୀୟରେ ରଥଯାତ୍ରା ଓ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀରେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ ପରମ୍ପରା କରିବାକୁ କହିଥିଲେ ଗଜପତି ଦିବ୍ୟସିଂହ ଦେବ । ଚିଠିରେ ଶ୍ରୀମନ୍ଦିରର ମହାନ ପରମ୍ପରାକୁ ଉଲ୍ଲଘଂନ କରି ଅଦିନରେ ରଥାଯାତ୍ରା ନ କରିବାକୁ ଉଲ୍ଲେଖ କରିଥିଲେ । ଏହା ସତ୍ତ୍ବେ ଏବେ ପୁଣି ଥରେ ଅଦିନିଆ ରଥଯାତ୍ରା କରୁଛି ଇସ୍କନ ସଂସ୍ଥା । ଏହାକୁ ଚାରିଆଡ଼େ ତୀବ୍ର ନିନ୍ଦା ଓ ବିରୋଧ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking