ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଲ୍ ଜଜିରାର ୬ ବରିଷ୍ଠ ସାମ୍ବାଦିକଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛି ଇସ୍ରାଏଲ୍। ଅଲ୍ ଜଜିରା ଏକ ଗଣମାଧ୍ୟମ ସଂସ୍ଥା ହୋଇଥିଲେ ମଧ୍ୟ ଏହା ବିରୋଧରେ ଇସ୍ରାଏଲ ଗମ୍ଭୀର ଅଭିଯୋଗ ଆଣିଛି। ଇସ୍ରାଏଲ ସେନା ଦାବି କରିଛି ଯେ ଗାଜାରେ ଉପସ୍ଥିତ ଥିବା ୬ ଜଣ ଅଲ୍ ଜଜିରା ସାମ୍ବାଦିକ ପାଲେଷ୍ଟାଇନ ଆତଙ୍କବାଦୀ ଏବଂ କେତେକ ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କ ରଖିଛନ୍ତି। ତେବେ ଇସ୍ରାଏଲ ସେନାର ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇବାପୂର୍ବକ ଖଣ୍ଡନ କରିଛି ଅଲ୍ ଜଜିରା। ଅଲ୍ ଜଜିରାର ମୁଖ୍ୟାଳୟ କତାରର ରାଜଧାନୀ ଦୋହାରେ ରହିଛି।
ଏହା ଉପସାଗରୀୟ ଅଞ୍ଚଳର ଅଗ୍ରଣୀ ଗଣମାଧ୍ୟମ ଗୋଷ୍ଠୀ ହିସାବରେ ଜଣାଶୁଣା। ଅଲ୍ ଜଜିରାର କିମ୍ବା ଏଠାରେ କାମ କରୁଥିବା କୌଣସି ସାମ୍ବାଦିକଙ୍କର କୌଣସି ଆତଙ୍କୀ ସଂଗଠନ ସହ ସମ୍ପର୍କ ନାହିଁ। ଇସ୍ରାଏଲର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା ବୋଲି ଅଲ୍ ଜଜିରା ଦର୍ଶାଇଛି। ଅନ୍ୟପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ଗାଜାରୁ ମିଳିଥିବା ଗୁଇନ୍ଦା ଏବଂ ବିଭିନ୍ନ ଦସ୍ତାବିଜ ଆତଙ୍କବାଦୀ ସଂଗଠନ ସହ ୬ ଜଣ ଅଲ୍ ଜଜିରାର ସାମ୍ବାଦିକଙ୍କ ସଂପର୍କକୁ ନିଶ୍ଚିତ କରୁଛି। ଏହି ସାମ୍ବାଦିକମାନେ ହମାସ ଏବଂ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି। ସେମାନଙ୍କ ନିକଟରୁ ମିଳିଥିବା କାଗଜପତ୍ରରେ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ପାଠ୍ୟକ୍ରମ, ଫୋନ୍ ଡିରେକ୍ଟୋରି ଏବଂ ଆତଙ୍କବାଦୀଙ୍କ ଦରମା ବିବରଣୀ ରହିଛି। ଆଇଡିଏଫ ବୁଧବାର ଏକ ଟ୍ୱିଟ୍ କରି କହିଛି ଯେ ଅଲ ଜଜିରାରେ ଯେ ହମାସର ଅନୁପ୍ରବେଶ ରହିଛି ତାହା ଏସବୁ କାଗଜପତ୍ର ନିଶ୍ଚିତ କରୁଛି।










