20.1 C
Bhubaneswar
Monday, February 9, 2026
Homeଓଡିଶାଆଜି ଏବଂ ଆସନ୍ତାକାଲି ହବିଷ୍ୟାଳୀଙ୍କୁ ଶ୍ରୀମନ୍ଦିର ମନା: ଜିଲ୍ଲାପାଳ

ଆଜି ଏବଂ ଆସନ୍ତାକାଲି ହବିଷ୍ୟାଳୀଙ୍କୁ ଶ୍ରୀମନ୍ଦିର ମନା: ଜିଲ୍ଲାପାଳ

ପୁରୀ : ବାତ୍ୟା ‘ଦାନା’ ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଏବଂ ବିଦ୍ୟାଳୟ ଗୁଡିକରେ ରଖାଯାଉଛି। ବୁଧବାର ସନ୍ଧ୍ୟା ସୁଦ୍ଧା ୮୫୬ ଗର୍ଭବତୀଙ୍କୁ ନିକଟସ୍ଥ ସହକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଧିକାଂଶ ପର୍ଯଟକ ପୁରୀ ଛାଡ଼ି ଚାଲି ଯାଇଛନ୍ତି। ସ୍ଥାନାନ୍ତର ହେଉଥିବା ଲୋକଙ୍କ ଲାଗି ୧୭୯ ବାତ୍ୟା ଆଶ୍ରୟସ୍ଥଳ ସମେତ ୩୭୦ ବିଦ୍ୟାଳୟ ପ୍ରସ୍ତୁତ ରଖାଯାଇଛି। ସେପଟେ ଶ୍ରୀକ୍ଷେତ୍ରରେ ପବିତ୍ର କାର୍ତ୍ତିକ ବ୍ରତ ଚାଲିଥିବାରୁ ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆଜି ଏବଂ ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ଦୁଇଦିନ ବର୍ଷା ପବନ ସମୟରେ ଘରୁ ନ ବାହାରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଏହି ଦୁଇଦିନ କାର୍ତ୍ତିକ ବ୍ରତଧାରୀମାନେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ନଯିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂହ ପୁରୀରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବାକୁ ନିର୍ଦେଶ ଦିଆଯାଇଛି। ଜିଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ପାଇଁ ୧୧ ବ୍ଲକରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଦୁଇଟି ଏନଡିଆରଏଫ୍, ଓଡ୍ରାଫ ଓ ୧୧ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ କରି ରଖାଯାଇଛି।

ସମୁଦ୍ର ଅଶାନ୍ତ ଥିବାରୁ ବିପଦ ସଂକେତ ଦିଆଯାଇ ବେଳାଭୂମିରେ ପୁଲିସ ମୁତୟନ କରାଯାଇଛି। ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ କରାଯାଇଛି। ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ, ସାତପଡ଼ା, କୋଣାର୍କ ଓ ଅସ୍ତରଙ୍ଗରେ ୩୭୧୭ ମାଛଧରା ଡଙ୍ଗା ସମୁଦ୍ର ବେଳାଭୂମିରେ ରହିଛି। ସ୍ଥିତିରେ ସୁଧାର ନଆସିବା ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟା ପ୍ରସ୍ତୁତି ବିଷୟରେ ଅଫିସରଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟପାଇଁ ୨୯ଟି ବୋଟ ରଖାଯାଇଛି। ଜିଲା ନିୟନ୍ତ୍ରଣ କକ୍ଷ ନମ୍ବର ୦୬୭୫୨-୨୨୩୨୩୭ କିମ୍ବା ହେଲ୍ପ ଲାଇନ ନମ୍ବର ୧୦୭୭ରେ ଯୋଗାଯୋଗ କରିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking