27.1 C
Bhubaneswar
Wednesday, October 23, 2024
Homeଓଡିଶାକାର୍ଯ୍ୟାନୁଷ୍ଠାନ ମୋଡରେ ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି: ଚଳିତ ମାସରେ ୫ ପ୍ରାଇଭେଟ ହସ୍ପିଟାଲ ତାଲିକାରୁ...

କାର୍ଯ୍ୟାନୁଷ୍ଠାନ ମୋଡରେ ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି: ଚଳିତ ମାସରେ ୫ ପ୍ରାଇଭେଟ ହସ୍ପିଟାଲ ତାଲିକାରୁ ବାଦ

ଭୁବନେଶ୍ଵର: ଗୋପବନ୍ଧୁ ଜନ ଆରାଗ୍ୟ ଯୋଜନାର କାର୍ଯ୍ୟାନ୍ଵୟନ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି (ସାସ୍)ର ଅଭିଯୋଗ-ପ୍ରଶମନ ଏବଂ ଅନ୍ତଃ-ଜାଗରୁକତା ବ୍ୟବସ୍ଥା ନିଜର କାର୍ଯ୍ୟ ପଦ୍ଧତିକୁ ଅଧିକ ଶାଣିତ ଓ ଲୋକାଭିମୁଖୀ କରିଛି । ଦେୟମୁକ୍ତ ଉଚ୍ଚମାନର ଚିକିତ୍ସା ପ୍ରଦାନ ବିଷୟରେ ସମସ୍ତ ଅଭିଯୋଗ ଏବଂ ଅନିୟମିତତା ଉପରେ ତୁରନ୍ତ ଅନୁସନ୍ଧାନ ସହ ଦୃଢ ପଦକ୍ଷେପ ନିଆଯାଉଛି । ଚଳିତ ମାସରେ ଆଜି ପର୍ଯ୍ୟନ୍ତ ୫ଟି ଘରୋଇ ହସ୍ପିଟାଲକୁ ପଞ୍ଜୀକୃତ ତାଲିକାରୁ ବାଦ ଦିଆଯାଇଛି । ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରାଗ୍ୟ ଯୋଜନାରେ ଗରିବ ଲୋକମାନଙ୍କୁ ସରକାରୀ ଖର୍ଚ୍ଚରେ ଦେୟମୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏହି ହସ୍ପିଟାଲମାନେ ପଞ୍ଜୀକୃତ ହୋଇଥିଲେ । ବାଦ୍ ଦିଆଯାଇଥିବା ହସ୍ପିଟାଲ ମଧ୍ୟରୁ ୪ଟି ଛତିଶଗଡ଼ ଏବଂ ଗୋଟିଏ ଓଡ଼ିଶାର । ଛତିଶଗଡ଼ ରାୟପୁର ସ୍ଥିତ ମିତ୍ତଲ ହସ୍ପିଟାଲ, ବଂଥିଆ ହସ୍ପିଟାଲ, ସୋନି ହସ୍ପିଟାଲ ଏବଂ ବାବୁଜୀ ହସ୍ପିଟାଲକୁ ତାଲିକାରୁ ବାଦ୍ ଦିଆଯାଇଛି । ସେହିପରି ଓଡ଼ିଶାର ଦେଓଗଡ ଜିଲ୍ଲା ସ୍ଥିତ ସମଲେଶ୍ଵରୀ ନର୍ସିଂହୋମକୁ ମଧ୍ୟ ବାଦ୍ ଦିଆଯାଇଛି ।

‘ସାସ୍’ର ଅଭିଯୋଗ-ପ୍ରଶମନ ଏବଂ ଅନ୍ତଃ-ଜାଗରୁକତା ବ୍ୟବସ୍ଥା ଏହି ହସ୍ପିଟାଲ ଗୁଡିକର କେତେକ ଅନିୟମିତତା ଲକ୍ଷ୍ୟକରି ତାହାର ଅନୁସନ୍ଧାନ କରିଥିଲେ । ସବିଶେଷ ଅନୁଧ୍ୟାନରୁ ସରକାରୀ ଡାକ୍ତରଖାନା ନାମରେ ମିଥ୍ୟା ରେଫରାଲ୍ ସ୍ଲିପ୍ ନେଇ ରେଫରାଲ୍ ପ୍ୟାକେଜରେ ରୋଗୀମାନଙ୍କୁ ଆଡମିଶନ କରିବା, ଚିକିତ୍ସା ବାବଦ ବିଲରେ ଜାଲ କାଗଜପତ୍ର ଦେବା, ଗରିବ ଓ ନିରୀହ ଲୋକଙ୍କଠାରୁ ଟଙ୍କା ନେବା, ହିତାଧିକାରୀମାନଙ୍କୁ ପ୍ରରୋଚିତ କରି ନିଜ ହସ୍ପିଟାଲରେ ଆଡମିଶନ କରାଇବା ଆଦି ଅନିୟମିତତା ଭିତ୍ତିରେ ଏହି ହସ୍ପିଟାଲଗୁଡିକୁ ତାଳିକାରୁ ବାଦ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରାଗ୍ୟ ଯୋଜନା ଅନ୍ତର୍ଭୁକ୍ତ ଗରିବ ଲୋକମାନଙ୍କୁ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ଯୋଗାଇବା ନିମନ୍ତେ ଓଡ଼ିଶାର ଭିଭିନ୍ନ ଜିଲ୍ଲା ଏବଂ ବାହାର ରାଜ୍ୟର ବିଭିନ୍ନ ସ୍ପେସାଲିଷ୍ଟ ଘରୋଇ ହସ୍ପିଟାଲମାନଙ୍କୁ ତାଲିକାଭୁକ୍ତ କରାଯାଇଛି । ଏହିସବୁ ପଞ୍ଜୀକୃତ ହସ୍ପିଟାଲରେ ହିତାଧିକାରୀମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ସରକାର ଭରଣା କରିଥାନ୍ତି । ଏହି ଯୋଜନାରୁ ପ୍ରତାରଣାମୂଳକ ଭାବେ ଫାଇଦା ନେବାକୁ ଚେଷ୍ଟା କରୁଥିବା ବ୍ୟକ୍ତି/ହସ୍ପିଟାଲଗୁଡିକ ଉପରେ ‘ସାସ’ର ଜାଗରୁକତା ବ୍ୟବସ୍ଥା ସତର୍କ ଦୃଷ୍ଟି ରଖି ଯଥାବିଧ କାର୍ଯ୍ୟାନୁଷ୍ଠାନ କରନ୍ତି । ଏପରି ଅନିୟମିତତା କାର୍ଯ୍ୟକଲେ ଆଗାମୀ ଦିନରେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସତର୍କ କରାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking