32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଆରଜି ମେଡିକାଲ୍ କଲେଜ ଓ ହସ୍ପିଟାଲ: ସାମୂହିକ ଇସ୍ତଫା ଦେଲେ ୫୦ ଡାକ୍ତର

ଆରଜି ମେଡିକାଲ୍ କଲେଜ ଓ ହସ୍ପିଟାଲ: ସାମୂହିକ ଇସ୍ତଫା ଦେଲେ ୫୦ ଡାକ୍ତର

କୋଲକାତା : ଆମରଣ ଅନଶନ ପୂର୍ବକ ଆନ୍ଦୋଳନରେ ବସିଥିବା ଜୁନିୟର ଡାକ୍ତରଙ୍କୁ ସମର୍ଥନ କରି ଆଜି କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରାୟ ୫୦ ଜଣ ସିନିୟର ଡାକ୍ତର କାର୍ଯ୍ୟରୁ ଇସ୍ତଫା ଦେଇଛନ୍ତି । ଏହି ୫୦ ଡାକ୍ତର ସେମାନଙ୍କ ସହକର୍ମୀ ତଥା ଜୁନିଅରଙ୍କୁ ନ୍ୟାୟ ପ୍ରଦାନ, କ୍ୟାମ୍ପସରେ ଗଣତନ୍ତ୍ର ସ୍ଥାପନ ଓ ରୋଗୀ ଅନୁକୂଳ ବାତାବରଣ ବ୍ୟବସ୍ଥା ତିଆରି କରିବା ଦାବିରେ ସମର୍ଥନ ବ୍ୟକ୍ତ କରିଛନ୍ତି । ପିଟିଆଇ ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ମେଡିକାଲ କଲେଜ୍‌ରେ ଅନେକ ବିଭାଗର ମୁଖ୍ୟଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାମୂହିକ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ନିଜ ସହକର୍ମୀ ତଥା ଆନ୍ଦୋଳନରତ ୬ ଜୁନିଅର ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ଅନଶନରୂପକ ଧାରଣାକୁ ସମର୍ଥନ ଜଣାଇବା ପୂର୍ବକ ପ୍ରାୟ ୫୦ଜଣ ସିନିଅର ଡାକ୍ତର ଇସ୍ତଫା ଦେବାକୁ ଆଗେଇ ଆସିଥିଲେ ।
ଶନିବାର ଠାରୁ ଅର୍ଥାତ୍ ଗତ ୪ ଦିନ ଧରି ଜୁନିଅର ଡାକ୍ତରଙ୍କ ଏକ ୬ଜଣିଆ ପ୍ରତିନିଧି ଦଳ ହସ୍ପିଟାଲ ପରିସରରେ ଆମରଣ ଅନଶନରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନା ଆଧାରରେ ସେମାନଙ୍କ ଦାବି ପୂରଣ ହୋଇନଥିବା କାରଣରୁ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଭୋକ ଉପାସରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହସ୍ପିଟାଲରେ ରୋଗୀସେବା ମଧ୍ୟ ଜାରି ରଖିଛନ୍ତି । ଆରଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତରାଣୀଙ୍କ ଘଟଣାରେ ସରକାରଙ୍କ ଆଗରେ ରଖାଯାଇଥିବା ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍‌ଏଆଇଏମ୍‌ଏ) ମଧ୍ୟ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରଙ୍କ ପ୍ରତି ସମର୍ଥନ ଘୋଷଣା କରିଛି । ଦାବି ପୂରଣ ନହେଲେ ଅକ୍ଟୋବର ୯ରେ ଡାକ୍ତରମାନେ ସାରା ଦେଶରେ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଏଫ୍‌ଏଆଇଏମ୍‌ଏ କହିଛି ।
ହସ୍ପିଟାଲରେ ଡାକ୍ତର, ଜୁନିଅର ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇଦେବା ଦାବି ସହ ଜୁନିଅର ଡାକ୍ତରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସମ୍ମୁଖରେ ମୁଖ୍ୟତଃ ୯ଟି ଦାବି ଉପସ୍ଥାପନ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ଏନ୍‌ଏସ୍ ନିଗମଙ୍କୁ ବିଦାକରାଯିବା ଦାବି ସମେତ ଏହି ୯ ଟି ଦାବି ଉପରେ ସେମାନେ ଜିଦ୍ ଧରିବସିଛନ୍ତି । ପ୍ରକାଶ, ରାଜ୍ୟର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ ସେଣ୍ଟ୍ରାଲାଇଜ୍‌ଡ ରେଫରାଲ ସିଷ୍ଟମ ବିକଶିତ କରାଯିବା, ଖାଲି ଶଯ୍ୟା ସଂଖ୍ୟା ସମ୍ପର୍କରେ ନିରୀକ୍ଷଣ କରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରାଯିବା, ସିସିଟିଭି, ୱାଶ୍‌ରୁମ୍ ଆଦି ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଅଛି ନା ନାହିଁ ଓ ଥିଲେ କାର୍ଯ୍ୟକ୍ଷମ ହେଉଛି ନା ନାହିଁ, ତାହା ସୁନିଶ୍ଚିତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରାଯିବା, ହସ୍ପିଟାଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ପୁଲିସ କର୍ମଚାରୀ ନିଯୁକ୍ତି କରାଯିବା, ବିଶେଷ କରି ମହିଳା ପୁଲିସ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ଜୁନିଅର ଡାକ୍ତରଙ୍କ ପକ୍ଷରୁ ଦାବି କରାଯାଉଛି । ଏଥିସହିତ ଡାକ୍ତରଖାନାଗୁଡ଼ିକରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦପଦବୀଗୁଡ଼ିକୁ ପୂରଣ କରାଯିବା, ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଆଦି ଦାବି ମଧ୍ୟ ଏଥିରେ ସାମିଲ ରହିଛି ।
ପୂର୍ବରୁ ଜୁନିଅର ଡାକ୍ତରମାନେ ସରକାରଙ୍କ ନିକଟରେ ୫ଟି ଦାବି ଉପସ୍ଥାପନ କରିଥିଲେ, ସେଥିମଧ୍ୟରୁ ସରକାର ୩ ପୂରଣ ମଧ୍ୟ କରିଥିଲେ । ପୁଲିସ୍ କମିଶନର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ କେତେକ ଅଧିକାରୀଙ୍କୁ ସରକାର ହଟାଇଦେଇଥିଲେ । ସେତେବେଳେ ଜୁନିଅର ଡାକ୍ତରମାନେ ଦୁଷ୍କର୍ମ-ହତ୍ୟା ଘଟଣା ବିରୋଧରେ ୧୦ ଅଗଷ୍ଟରୁ ୨୧ ସେପ୍େଟମ୍ବର ପର୍ଯ୍ୟନ୍ତ ୪୨ ଦିନ ଧର୍ମଘଟ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରାୟ ୪ଥର ଜୁନିଅର ଡାକ୍ତରଙ୍କ ସହ ଆଲୋଚନା ପାଇଁ ପ୍ରୟାସ କରାଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ବାଧ୍ୟହୋଇ ୩ଟି ଦାବି ପୂରଣ କରିବା ପରେ ଡାକ୍ତରମାନେ ଧର୍ମଘଟ ଶେଷ କରିଥିଲେ ଏବଂ ହସ୍ପିଟାଲରେ ସ୍ୱାଭାବିକ ରୋଗୀସେବା କାର୍ଯ୍ୟକୁ ଫେରିଥିଲେ । କିନ୍ତୁ ଗତ ସେପ୍ଟେମ୍ବର ୨୭ ରେ, ସାଗୋର ଦତ୍ତା ହସ୍ପିଟାଲରେ ୩ ଡାକ୍ତର ଏବଂ ୩ ନର୍ସଙ୍କୁ ଜଣେ ରୋଗୀଙ୍କ କିଛି ସମ୍ପର୍କୀ ମିଳିତ ଭାବେ ମାଡ ମାରିବା ମାମଲା ସାମ୍ନାକୁ ଆସିଥିଲା, ଯେଉଁ କାରଣରୁ ଡାକ୍ତରମାନେ ରାଗିଯାଇ ଅକ୍ଟୋବର ୧ରେ ପୁଣି ଧର୍ମଘଟ ଆରମ୍ଭ କରିଥିଲେ । ୪ ତାରିଖରେ ଜୁନିଅର ଡାକ୍ତରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି ପୂରଣ ଦିଗରେ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଦିଆଯାଇଥିଲା । କିନ୍ତୁ ଏହି ସମୟ ଶେଷ ହେବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟକାରିତା ଦେଖିବାକୁ ମିଳିନଥିଲା । ଏହାପରେ ଜୁନିଅର ଡାକ୍ତରଙ୍କ ପକ୍ଷରୁ ୬ଜଣିଆ ପ୍ରତିନିଧି ଆମରଣ ଅନଶନ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking