29.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଲେବାନନରେ ଇସ୍ରାଏଲ୍ ସେନାର ଏଣ୍ଟ୍ରି

ଲେବାନନରେ ଇସ୍ରାଏଲ୍ ସେନାର ଏଣ୍ଟ୍ରି

ବେରୁତ: ହିଜବୁଲ୍ଲା ଏବଂ ଇସ୍ରାଏଲ୍ ସେନାର ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଲେବାନନ୍ ସୀମାରେ ପ୍ରବେଶ କରିଛି ଇସ୍ରାଏଲ୍ ସେନା । ଗତ ଶୁକ୍ରବାର ରାତି ତମାମ ଏୟାରଷ୍ଟ୍ରାଇକ୍ କରିବା ପୂର୍ବକ ହିଜବୁଲ୍ଲା ମୁଖ୍ୟ ହସନ୍ ନସରଲ୍ଲା ସମେତ ସଂଗଠନର କିଛି ଶୀର୍ଷସ୍ତରୀୟ କମାଣ୍ଡରଙ୍କୁ ମିଶାଇ ମୋଟ୍ ୧୬ଜଣଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ୍ ସେନା ଏବେ ଲେବାନନ୍‌ରେ ପ୍ରବେଶ କରିଛି । ରିପୋର୍ଟ ଅନୁସାରେ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ୍ ସେନା ପକ୍ଷରୁ ଲେବାନନ୍ ପ୍ରାନ୍ତରେ ଆକ୍ରମଣ କରାଯାଇଥିବା ବେଳେ ଏଥିରେ ହିଜବୁଲ୍ଲାର ନାବିଲ କାୱେକ ନାମକ ଆଉ ଜଣେ କମାଣ୍ଡର (ସେଣ୍ଟ୍ରାଲ କାଉନସିଲର ସଦସ୍ୟ ତଥା ସଂଗଠନ କମାଣ୍ଡର) ମୃତ୍ୟୁବରଣ କରିଛି । ଇସ୍ରାଏଲ ସାମରିକ ବାହିନୀ (ଆଇଡିଏଫ୍‌) ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଲେବାନନ ସୀମାରେ ଥିବା ହିଜବୁଲ୍ଲା ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକୁ ଧ୍ୱଂସ କରିବା ପାଇଁ ଅପରେସନ ଆରମ୍ଭ କରାଯାଇଛି । ଏଥିରେ ଆତଙ୍କବାଦୀ ନାବିଲ କାୱେକ ମୃତ୍ୟୁବରଣ କରିଛି ।

ଜେରୁଜେଲମ୍ ପୋଷ୍ଟ ସୂତ୍ରରୁ ପ୍ରକାଶ ଯେ ଇସ୍ରାଏଲ୍ ସରକାର ଏବେ ଲେବାନନ୍‌ରେ ସ୍ଥଳ ଆକ୍ରମଣକୁ ନେଇ ଆଲୋଚନା କରୁଛନ୍ତି । ଯଦିଓ ଇସ୍ରାଏଲ୍ ଆନୁଷ୍ଠାନିକ ଭାବରେ ଲେବାନନ୍ ଉପରେ ସ୍ଥଳ ଆକ୍ରମଣ ଆରମ୍ଭ କରିବ କି ନାହିଁ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ । କିନ୍ତୁ ଆଗାମୀ ଦିନରେ ଇସ୍ରାଏଲ ନେତୃତ୍ୱ ଏହି ବିଷୟରେ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ପ୍ରକାଶ, ଗତ କିଛି ଦିନ ମଧ୍ୟରେ ଲେବାନନ ସୀମାରେ ଇସ୍ରାଏଲ୍ ନିଜର ସାମରିକ ଉପସ୍ଥିତି ଏବଂ ଅଭ୍ୟାସ ବୃଦ୍ଧି କରିଛି । ଏହାଦ୍ୱାରା ଲେବାନନରେ ଇସ୍ରାଏଲ ପକ୍ଷରୁ ଅଧିକ ଆକ୍ରମଣ ହୋଇପାରେ ବୋଲି ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଏହାର ସ୍ଥିତି ଗାଜା ଭଳି ହେବ ବୋଲି ଜନସାଧାରଣଙ୍କ ମଧ୍ୟରେ ଭୟ ବୃଦ୍ଧି ପାଇଛି ।

ଅନ୍ୟପକ୍ଷେ ହସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ଏହାର ନୂତନ ମୁଖ୍ୟ ଘୋଷଣା କରିଛି । ବର୍ତ୍ତମାନ ନସ୍‌ରଲ୍ଲାଙ୍କ ସ୍ଥାନରେ ହାସିମ୍ ସଫିଦ୍ଦିନ୍ ସଂଗଠନର ନେତୃତ୍ୱ ନେବେ । ହିଜବୁଲ୍ଲାର ଶ୍ରେଷ୍ଠ ତିନି ନେତାଙ୍କ ମଧ୍ୟରେ ନସ୍‌ରଲ୍ଲା ଏବଂ ନାଏମ କାସୀମଙ୍କୁ ବାଦଦେଲେ ହାସିମ୍ ସଫିଦ୍ଦିନ ଅନ୍ୟତମ ଶ୍ରେଷ୍ଠ ନେତୃତ୍ୱ ଭାବେ ପରିଚିତ । ୨୦୧୭ରେ ଆମେରିକା ସରକାର ସଫିଦ୍ଦିନଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିଥିଲା । ସେ ହିଜବୁଲ୍ଲାର ରାଜନୈତିକ ବ୍ୟାପାର କାର୍ଯ୍ୟ ବୁଝାସୁଝା କରିବା ସହ ସଂଗଠନର ଜିହାଦ୍ ପରିଷଦର ସଦସ୍ୟ ମଧ୍ୟ ଅଟନ୍ତି । ସଂଗଠନ ପକ୍ଷରୁ ଜିହାଦୀ (ଆତ୍ମଘାତୀ ଆତଙ୍କୀ କାର୍ଯ୍ୟକଳାପ) କାର୍ଯ୍ୟକ୍ରମକୁ ସେ ପରିଚାଳନା କରିଥାନ୍ତି । ତେବେ ହାସିମ୍ ସଫିଦ୍ଦିନ୍‌, ହିଜବୁଲ୍ଲାର ମଙ୍ଗ ଧରିବା ପରେ ଇସ୍ରାଏଲ୍‌କୁ ଇରାନ୍ ଚେତାବନୀ ଦେଇଛି । ଆଗାମୀ ଦିନରେ ହିଜବୁଲ୍ଲା ଅଧିକ ଶକ୍ତିଶାଳୀ ହେବ ଏବଂ ନସରଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ କହିଛି । ଇରାନର ବୈଦେଶିକ ମନ୍ତ୍ରୀ ଅଽାସ ଆରାକି ଏକ ବିବୃତ୍ତିରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ଠାରୁ ନସରାଲ୍ଲା ଏବଂ ଅନ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ପ୍ରତିଶୋଧ ନ ନେବେ ସେପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking