28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶପାକିସ୍ତାନକୁ ୭୦୦ କୋଟି ଡଲାର ଋଣ ଦେବ ଆଇଏମ୍‌ଏଫ୍‌

ପାକିସ୍ତାନକୁ ୭୦୦ କୋଟି ଡଲାର ଋଣ ଦେବ ଆଇଏମ୍‌ଏଫ୍‌

ଇସଲାମାବାଦ୍‌: ପାକିସ୍ତାନକୁ ୭୦୦ କୋଟି ଡଲାର ଋଣ ସହାୟତା ଯୋଗାଇ ଦେବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର କାର୍ଯ୍ୟକାରୀ ବୋର୍ଡ ନିଷ୍ପତ୍ତି ନେଇଛି । ବୋର୍ଡ ନିଜ ନିଷ୍ପତ୍ତି ସମ୍ପର୍କରେ ଗୁରୁବାର ଘୋଷଣା କରିବା ପରେ ଏସମ୍ପର୍କରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିଛି । ପ୍ରକାଶ, ପାକିସ୍ତାନ ସରକାର ଓ ଆଇଏମଏଫ୍ ପକ୍ଷରୁ ଗତ ଦୁଇମାସ ଧରି ଋଣ ମଞ୍ଜୁରି ସମ୍ପର୍କରେ ଆଲୋଚନା ଜାରି ରହିଥିଲା । ଶେଷରେ ପାକିସ୍ତାନ, ଆଇଏମ୍‌ଏଫ୍‌ର କେତେକ ସର୍ତ୍ତରେ ରାଜି ହେବା ପରେ ଆଇଏମ୍‌ଏଫ୍ ମଧ୍ୟ ୭୦୦ କୋଟି ଡଲାର ପରିମାଣର ଋଣ ଦେବାକୁ ସହମତି ପ୍ରକାଶ କରିଛି । ଆଇଏମ୍‌ଏଫ୍‌ର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନକୁ ମଞ୍ଜୁର ହୋଇଥିବା ୭୦୦ କୋଟି ଡଲାର ଋଣ ୩୭ମାସ ମଧ୍ୟରେ ପର୍ଯ୍ୟାୟ କ୍ରମରେ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଡଲାର ତୁରନ୍ତ ପ୍ରଦାନ କରାଯିବ ।

ଆଇଏମଏଫ୍‌ର ଏହି ସହାୟତା ଘୋଷଣା ଆର୍ôଥକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ବଡ ଆଶ୍ୱସ୍ତି ପ୍ରଦାନ କରିଛି । ପାକିସ୍ତାନକୁ ଏହି ଋଣ ମଞ୍ଜୁର ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜିଓର୍ଜିଭା ଓ ତାଙ୍କ ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ, ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇଏମଏଫ୍ ଠାରୁ ଋଣ ପାଇବା ଲାଗି ପାକିସ୍ତାନ ଆବଶ୍ୟକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଫଳରେ ଶରିଫ୍ ସରକାର, ନିଜ ବନ୍ଧୁ ରାଷ୍ଟ୍ର ଚୀନ୍‌, ସାଉଦି ଆରବ ଏବଂ ୟୁଏଇର ସହାୟତା ଲୋଡିଥିଲେ । ଅନ୍ୟପକ୍ଷେ ଆଇଏମ୍‌ଏଫ୍ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାରେ ପାକିସ୍ତାନକୁ ଏହି ୩ ରାଷ୍ଟ୍ର ମଧ୍ୟ ସହାୟତା କରିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଶରିଫ୍ ଏସମସ୍ତ ରାଷ୍ଟ୍ରଙ୍କୁ ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ) ବୈଠକରେ ପ୍ରଶଂସା କରିଥିଲେ ।

ପ୍ରକାଶ, ପାକିସ୍ତାନକୁ ଋଣ ସହାୟତା ପ୍ରଦାନ ଲାଗି ଆଇଏମଏଫ୍ କଠୋର ସର୍ତ୍ତ ରଖିଛି । ସର୍ତ୍ତ ଅନୁଯାୟୀ ପାକିସ୍ତାନ ଏହାର ରାଜସ୍ୱ ବୃଦ୍ଧି ଲାଗି ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଟିକସ ଆଦାୟକୁ କଡାକଡି କରିବ । ଏପରିକି ପାକିସ୍ତାନ ଏହାର ଟିକସ ପରିମାଣ ୧୩ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବ । ଯାହା ଚଳିତ ଆର୍ôଥକ ବର୍ଷର ଟିକସ ପରିମାଣ ଠାରୁ ୪୦% ଅଧିକ । ଏହି ଟିକସ ପରିମାଣ ବୃଦ୍ଧି ଲାଗି ପାକିସ୍ତାନ ଏହାର ବିଦ୍ୟୁତ୍ ବିଲ୍ ଓ ଅନ୍ୟାନ୍ୟ ଶକ୍ତି ଉତ୍ସର ବିଲ୍‌କୁ ୨୦ରୁ ୩୦% ବୃଦ୍ଧି କରିଛି । ସୂଚନାଯୋଗ୍ୟ, ୨୦୨୩ ଶେଷ ସୁଦ୍ଧା ପାକିସ୍ତାନର ମୋଟ ଋଣ ପରିମାଣ ୨୫,୦୦୦ କୋଟି ଡଲାରରେ ପହଞ୍ଚିଥିବା ବେଳେ ଏବେ ଏହା ଆହୁର ବୃଦ୍ଧି ପାଇଛି । ପାକିସ୍ତାନର ଏହି ଋଣ ଦେଶର ମୋଟ ଜିଡିପିର ୭୪% । ପାକିସ୍ତାନ ଯେଉଁ ଋଣ କରିଛି ସେଥିରୁ ୪୦% ଋଣ କେବଳ ଚୀନ୍ ଠାରୁ ଆଣିଛି । ଚୀନ୍‌ର ବାଣିଜ୍ୟିକ ବ୍ୟାଙ୍କ୍ ପାକିସ୍ତାନ ପାଇଁ ସବୁଠାରୁ ବଡ ଋଣ ପ୍ରଦାନକାରୀ ସଂସ୍ଥା ସାଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking