27.1 C
Bhubaneswar
Wednesday, September 25, 2024
Homeଓଡିଶାନୃଶଂସ ପାଲଟିଛି ଦନ୍ତା ନେଲା ଦୁଇ ମୁଣ୍ଡ , ତିନି ଗୁରୁତର

ନୃଶଂସ ପାଲଟିଛି ଦନ୍ତା ନେଲା ଦୁଇ ମୁଣ୍ଡ , ତିନି ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବଜାରି ରହିଥିବା ବେଳେ ଆଜି ଭୋର ସକାଳୁ ସକାଳୁ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ,ମୋରଡା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଉଲିଡ଼ିହି ଗ୍ରାମର ସାକ୍ର ହେମ୍ବ୍ରମ(୫୮) ସାଢେ ପାଞ୍ଚଟାରେ ଘର ବାହାରେ ଝାଡୁ ମାରୁଥିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରି ସାକ୍ରଙ୍କ ଛାତିରେ ଦାନ୍ତକୁ ଭୁସିବାରୁ ଘଟଣାସ୍ଥଳରେ ହିଁ ସାକ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।ତେବେ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।
ସେହିପରି ମୋରଡ଼ା ବ୍ଲକ ତଥା ଦେଉଳି ରେଞ୍ଜ ଅଧୀନ ସନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ ନିଜଘର ବାରଣ୍ଡାରେ ଶୋଇଥିବା ସମୟରେ ଏକ ଦନ୍ତାହାତୀ ହଠାତ ଆକ୍ରମଣ କରିଥଲା । ତେବେ ଭୟରେ ରଘୁନାଥ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ କବଳରୁ ବର୍ତ୍ତି ପାରିନଥିଲେ । ହାତୀଟି ରଘୁନାଥଙ୍କୁ ଦଳି ଦେବାରୁ ରଘୁନାଥ ଗୁରୁତର ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ରଘୁନାଥଙ୍କୁ ବନବିଭାଗ ଗାଡିରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏତିକିରେ ହାତୀ ଉପଦ୍ରଵ ଥମି ନାହିଁ ହାତୀ ଆକ୍ରମଣରେ ପୁଣି ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ପାଞ୍ଚଟା ସମୟରେ ଉଲିଡିହି ଗ୍ରାମର ସୁଗା ମହାନ୍ତ ମୋରଡା ବ୍ଲକ ତଥା ବେତନଟି ରେଞ୍ଜ ଅଧୀନ ଅସ୍ତିଆ ରବର ପ୍ଲାଣ୍ଟକୁ ଛତୁ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରି ଦାନ୍ତରେ ସୁଗାଙ୍କ ଜଙ୍ଘ କଣା କରିବା ଫଳରେ ସୁଗା ଗୁରୁତର ଆହତ ହୋଇଛନ୍ତି । ସୁଗାଙ୍କୁ ବାରମାଇଲ ସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ମୋରଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୁଳିଆପଦା ବ୍ଲକ ଅଧୀନ ତାଡିକି ଏବଂ ପୋଖରୀଆ ଗ୍ରାମର ସର୍ବେଶ୍ୱର ସିଂ ଓ ରୁଚକି ସୋରେନ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଏହିସବୁ ଉପଦ୍ରଵ ଗୋଟିଏ ହିଁ ଝାଡଖଣ୍ଡୀ ହାତୀ ଘଟାଇଥିବାର ଜଣାପଡିଛି ଏବଂ ବର୍ତ୍ତମାନ ଉକ୍ତ ହାତୀଟି ବେତନଟି ରେଞ୍ଜ ଅଂଚଳରେ ଥିବାର ଜଣାପଡିଛି । ଅନ୍ୟପଟେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ହାତୀ ଘଉଡ଼ାଇବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ହାତୀର ଗରିବିଧି ଉପରେ ବନବିଭାଗ ତୀକ୍ଷ୍ଣ ନଜର ରଖିଥିବା ଦାବି କରୁଥିଲେ ମଧ୍ୟ ଆଗକୁ ହାତୀ ବଢୁଥିବା ସମ୍ଭାବ୍ୟ ଅଞ୍ଚଳରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ କରିବା ପାଇଁ ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ସତର୍କ ସୂଚନା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ତେବେ ଏହାର ମୁକାବିଲା କରିବାକୁ ସତର୍କ ସୂଚନାଜାରି କରିଥିଲେ ହୁଏତ ଲୋକମାନେ ସାବଧାନ ହେବା ସହିତ ଘଟି ଯାଇଥିବା ଦୁର୍ଘଟଣା ରୋକା ଯାଇ ପାରନ୍ତା ବୋଲି ଆଲୋଚନା ହେଉଛି । ହେଲେ ସବୁପ୍ରକାର ସୁବିଧା ବିଭାଗ ହାତରେ ରହିଥିଲେ ସୁଦ୍ଧା ଏହାର ପାଳନ କରିବା ବଦଳରେ ନୀରବତା ଅବଲମ୍ବନ କରିବା ପଛରେ ବିଭାଗର କି ସ୍ୱାର୍ଥ ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଉଛି । ହେଲେ ଏହାର ବ୍ୟତିକ୍ରମ କ୍ଷେତ୍ରରେ ଦାୟୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବନବିଭାଗ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking